ବେଦାନ୍ତ ଝାଡ଼ଖଣ୍ଡ ମୁହାଁ

ଷ୍ଟିଲ୍‌ ପ୍ଲାଣ୍ଟ ଶିଳାନ୍ୟାସ ନଭେମ୍ବରରେ

ରାଉରକେଲା: ବକ୍ସାଇଟ୍‌ ସଂକଟ ପାଇଁ ଓଡ଼ିଶାରେ ସଂଘର୍ଷରତ ‘ବେଦାନ୍ତ ରିସୋର୍ସେସ୍‌’ ସୁନ୍ଦରଗଡ଼ ସୀମାର ଅନତିଦୂର ପଡ଼ୋଶୀ ଝାଡ଼ଖଣ୍ଡର ମନୋହାରପୁରରେ ଷ୍ଟିଲ୍‌ ପ୍ଲାଣ୍ଟ ସ୍ଥାପନ କରିବ। ଏଥି ସହ ବେଦାନ୍ତ ଇସ୍ପାତ ଶିଳ୍ପ କ୍ଷେତ୍ରରେ ପ୍ରଥମ ପ୍ରବେଶ ଆରମ୍ଭ କରିବ। ଚଳିତ ବର୍ଷ ନଭେମ୍ବରରେ ଏହାର ଶିଳାନ୍ୟାସ ହେବ ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ରାଞ୍ଚିରେ ଘୋଷଣା କରିଛନ୍ତି। ସେପଟେ ଭାରତରେ ବେଦାନ୍ତର ୯୦୦୦ କୋଟି ଡଲାର ପୁଞ୍ଜି ନିବେଶ ପ୍ରସ୍ତାବରେ ମଧ୍ୟ ଏହା ପ୍ରତିଫଳିତ ହୋଇଛି।
ପ୍ରାପ୍ତ ସୂଚନା ଅନୁସାରେ ଝାଡ଼ଖଣ୍ଡ ଖଣିଜ ବିକାଶ ନିଗମ (ଜେଏମ୍‌ଡ଼ିସି) ସହ ଯୁଗ୍ମ ଉଦ୍ୟୋଗରେ ବେଦାନ୍ତ ୪୦୦୦ କୋଟି ଟଙ୍କାର ପ୍ରାଥମିକ ପୁଞ୍ଜି ନିବେଶ ପ୍ରସ୍ତାବ ରଖିଛି। ପ୍ରସ୍ତାବିତ ପ୍ଲାଣ୍ଟରୁ ବାର୍ଷିକ ୧୦ ଲକ୍ଷ ଟନ୍‌ ପିଲେଟ୍‌, ପିଗ୍‌ ଆଇରନ୍‌ ଓ ଲୌହ ପାଇପ୍‌ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିବା ବେଳେ ଝାଡ଼ଖଣ୍ଡରେ ଲୁହାପଥର ଓ ଇସ୍ପାତ କ୍ଷେତ୍ରରେ ବେଦାନ୍ତ ୧୦,୦୦୦ କୋଟି ନିବେଶ କରିବାକୁ ଆପାତତଃ ପ୍ରସ୍ତାବ ରଖିଛି।

ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରେ ଆଲୁମିନା ଓ ଝାରସୁଗୁଡ଼ାରେ ଆଲୁମିନିୟମ୍‌ ସ୍ମେଲ୍ଟର ସ୍ଥାପନ କରିଥିବା ବେଦାନ୍ତକୁ ଏ ପର୍ଯ୍ୟନ୍ତ କଞ୍ଚାମାଲ ଚାହିଦା ପୂରଣ ପାଇଁ ନିଜସ୍ୱ ବକ୍ସାଇଟ୍‌ ଖଣି ମିଳିନଥିବାରୁ କମ୍ପାନି ବାହାରୁ ବକ୍ସାଇଟ୍‌ ଆମଦାନି କରି ଆଲୁମିନା ଓ ସ୍ମେଲ୍ଟରକୁ ଯଥାକଥା ଚଳାଇଛି। ବେଦାନ୍ତର ସହଯୋଗୀ ସଂସ୍ଥା ଷ୍ଟେର୍‌ଲାଇଟ୍‌ ଏବଂ ଓଡ଼ିଶା ଖଣି ନିଗମ (ଓଏମ୍‌ସି)ର ଯୁଗ୍ମ ଉଦ୍ୟୋଗରେ ନିୟମଗିରି ଖଣି ପ୍ରକଳ୍ପ ଆଞ୍ଚଳିକ ବିରୋଧ ଯୋଗୁଁ ବିଫଳ ହେବା ପରେ ରାଜ୍ୟ ସରକାର ବେଦାନ୍ତ ପାଇଁ କୌଣସି ବିକଳ୍ପ ଖଣିଜ ଉତ୍ସ ବ୍ୟବସ୍ଥା କରିନାହାନ୍ତି। ଫଳରେ କଞ୍ଚାମାଲ ଅଭାବରୁ ବେଦାନ୍ତର ଆଲୁମିନିୟମ୍‌ ଉତ୍ପାଦନ ଆରମ୍ଭରୁ ନୈରାଶ୍ୟଜନକ। ତେବେ କୋଇଲା ମିଳୁଥିବାରୁ କମ୍ପାନିର ଝାରସୁଗୁଡ଼ାସ୍ଥିତ ତାପଜ ବିଦ୍ୟୁତ ପ୍ଲାଣ୍ଟ ଚାଲିଛି।

ସମ୍ବନ୍ଧିତ ଖବର