ନାଲକୋର ଆଲୁମିନା ବିକ୍ରି ଟେଣ୍ଡରରେ ଅଂଶ ଗ୍ରହଣ ପାଇଁ ବେଦାନ୍ତକୁ ଅନୁମତି

କଟକ: ନାଲକୋ ପକ୍ଷରୁ ମେଟାଲୁର୍ଜିକାଲ ଗ୍ରେଡ୍ କାଲସିନାଇଡ ଆଲୁମିନା ବିକ୍ରି ପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ ପାଇଁ ବେଦାନ୍ତକୁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ୨୦୧୯, ଫେବ୍ରୁଆରି ୧ରେ ୩୦ ହଜାର ଏମଟି ମେଟାଲର୍ଜିକାଲ ଗ୍ରେଡ୍ କାଲସିନାଇଡ ଆଲୁମିନା ବିକ୍ରି ପାଇଁ ନାଲକୋ ପକ୍ଷରୁ ଟେଣ୍ଡର ଆହ୍ବାନ କରାଯାଇଥିଲା। କେବଳ ଓଭରସିଜ୍ କମ୍ପାନି ବା କ୍ରେତା ଯାହାର ଆନ୍ତର୍ଜାତିକ ଟ୍ରେଡିଂରେ ଅନୁଭବ ଥିବ ଏହି ଟେଣ୍ଡରରେ ଅଂଶ ଗ୍ରହଣ କରି ପାରିବେ ବୋଲି ସର୍ତ୍ତ ରଖାଯାଇଥିଲା। ଏପରି ସର୍ତ୍ତକୁ ଚାଲେଞ୍ଜ କରି ଝାରସୁଗୁଡାରେ ସ୍ପେଶାଲ ଇକୋନୋମିକ୍ ଜୋନ(ଏସଇ‌ଜେଡ୍)ରେ ଥିବା ବେଦାନ୍ତ ଲିମିଟେଡ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ.ଜାଭେରୀ ଓ ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବେଦାନ୍ତର ଆବେଦନର ଶୁଣାଣି କରି ଏହି ଟେଣ୍ଡର ପ୍ରକ୍ରିୟାରେ ଆବେଦନକାରୀ ଅଂଶ ଗ୍ରହଣ କରି ପାରିବେ ବୋଲି ରାୟ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଟେଣ୍ଡରର ଅନ୍ୟ ସର୍ତ୍ତ ଅପରିବର୍ତ୍ତିତ ରହିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। ମାମଲାର ବିବରଣୀରୁ ପ୍ରକାଶ ଯେ ବିଶ୍ବ ସ୍ତରରେ ନାଲକୋ କମ୍ ମୂଲ୍ୟର ମେଟାଲୁର୍ଜିକାଲ ଗ୍ରେଡ୍ ଆଲୁମିନା ଉତ୍ପାଦନ କରୁଥିବା ପ୍ରମୁଖ କମ୍ପାନି। ବଳକା ଆଲୁମିନାକୁ ନାଲକୋ ତୃତୀୟ ପକ୍ଷଙ୍କୁ ଏକ୍ସପୋର୍ଟ ମାର୍କେଟରେ ବିକ୍ରି କରିଥାଏ। ଅନ୍ୟପକ୍ଷରେ ପ୍ରତିବର୍ଷ ୧୨.୫ ଲକ୍ଷ ଟନ୍ ଆଲୁମିନିୟମ ଉତ୍ପାଦନ ପାଇଁ ବେଦାନ୍ତ ଝାରସୁଗୁଡାରେ ଏସଇଜେଡ୍ ୟୁନିଟ ସ୍ଥାପନ କରିଥିଲା। ଆବେଦନକାରୀ ସଂସ୍ଥାର ୨୦୧୩, ମାର୍ଚ୍ଚ ୫ର ଚିଠିର ଉତ୍ତରରେ ନାଲକୋ ପକ୍ଷରୁ ୨୦୧୩, ମାର୍ଚ୍ଚ ୨୫ରେ ଜାରି ଚିଠିରେ ଉଲ୍ଲେଖ କରାଯାଇଥିଲା ଯେ ଆଲୁମିନା ରପ୍ତାନୀ ପାଇଁ ଆହ୍ବାନ କରାଯାଉଥିବା ଟେଣ୍ଡରେ କେବଳ ଓଭରସିଜ୍ ସଂସ୍ଥା ଅଂଶ ଗ୍ରହଣ କରି ପାରିବେ। ଏପରି ପରିସ୍ଥିତିରେ ଏହି ପ୍ରସଂଗରେ ଏସଇଜେଡ୍ ୟୁନିଟର ଅନୁରୋଧ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଯାଇଥିଲା। ଟେଣ୍ଡରର ସର୍ତ୍ତ ଅନୁସାରେ ଆଲୁମିନା ବାବଦ ଅର୍ଥ ୟୁଏସ ଡଲାର ଆକାରରେ ପ୍ରଦାନ କରାଯିବ। ଏହି ସର୍ତ୍ତରେ ମଧ୍ୟ ଆବେଦନକାରୀ ସଂସ୍ଥା ସମ୍ମତି ପ୍ରଦାନ କରିଥିଲା। ଏହା ସତ୍ବେ ଆବେଦନକାରୀ ସଂସ୍ଥାକୁ ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ ପାଇଁ ଅନୁମତି ମିଳି ନଥିଲା। ଏପରି ପରିସ୍ଥିତିରେ ବେଦାନ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା।

ସମ୍ବନ୍ଧିତ ଖବର