ଭୁବନେଶ୍ବରର ଶିଶୁପାଳଗଡ଼ ନିକଟ ବଡ଼ଧାନପୁରସ୍ଥିତ ବେଦାନ୍ତ ବିଜ୍ଞାନ ଗୁରୁକୁଳରେ ‘ବେଦାନ୍ତ ପାଠ୍ୟକ୍ରମ’

ଭୁବନେଶ୍ବର : ଭୁବନେଶ୍ବରର ଶିଶୁପାଳଗଡ଼ ନିକଟ ବଡ଼ଧାନପୁରସ୍ଥିତ ‘ବେଦାନ୍ତ ବିଜ୍ଞାନ ଗୁରୁକୁଳମ୍‌’ରେ ଅବିବାହିତ ସ୍ନାତକ ଯୁବକମାନଙ୍କୁ ପୂର୍ଣ୍ଣାଙ୍ଗ ସମୃଦ୍ଧ ଜୀବନ ଗଠନର ପ୍ରାଚୀନ ଶିକ୍ଷା ପ୍ରଦାନ କରାଯିବ। ଗୁରୁକୁଳର ଅଧ୍ୟକ୍ଷ ସ୍ବାମୀ ଭାଗବତାନନ୍ଦ ସରସ୍ବତୀଙ୍କ ତତ୍ତ୍ବାବଧାନରେ ଓଡ଼ିଆ ଓ ଇ˚ରାଜୀ ଭାଷାର ତିନି ମାସର ଏହି ପାଠ୍ୟକ୍ରମ ଆସନ୍ତା ଅକ୍‌ଟୋବର ୮ ତାରିଖ ବିଜୟାଦଶମୀରୁ ଆରମ୍ଭ ହେବାକୁ ଯାଉଛି। ୧୮ରୁ ୩୦ ବର୍ଷ ବୟସର ଅବିବାହିତ ସ୍ନାତକ ଯୁବକମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରାଯିବ। ସଦାଚାରୀ ଜିଜ୍ଞାସୁମାନଙ୍କ କ୍ଷେତ୍ରରେ ବୟସ ଓ ଶିକ୍ଷାଗତ ଯୋଗ୍ୟତାରେ କୋହଳ କରାଯିବ। ତିନିମାସ ପରେ ଗଭୀର ଅଧ୍ୟୟନର ଆଗ୍ରହୀମାନଙ୍କ ନିମନ୍ତେ ପାଠ୍ୟକ୍ରମକୁ ପରିବର୍ଦ୍ଧିତ କରାଯିବ ବୋଲି ଅଧ୍ୟକ୍ଷ ପ୍ରକାଶ କରିଛନ୍ତି। କୌଣସି ବ୍ରହ୍ମଚାରୀ, ସାଧୁ ସନ୍ନ୍ୟାସୀଙ୍କର ଶାସ୍ତ୍ର ଅଧ୍ୟୟନର ଆଗ୍ରହ ଥିଲେ ଉକ୍ତ ପାଠ୍ୟକ୍ରମରେ ଯୋଗ ଦେଇପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

ଉପନିଷଦ, ଭଗବତଗୀତା, ପ୍ରକରଣ ଓ ଅନ୍ୟାନ୍ୟ ଶାସ୍ତ୍ର ସହିତ ସ˚ସ୍କୃତ, ଯୋଗ, ପ୍ରାଣାୟାମ, ଧୢାନ, ବେଦପାଠ ଇତ୍ୟାଦି ବୈଦିକ ପରମ୍ପରାକୁ ଭିତ୍ତିକରି ଜୀବନର ଗଭୀର ଆତ୍ମବିଶ୍ଳେଷଣ, ଅନୁଧ୍ୟାନ ଅନୁଶୀଳନର ଦିବ୍ୟ ଶିକ୍ଷା ଜିଜ୍ଞାସୁ ବିଦ୍ୟାର୍ଥୀମାନଙ୍କୁ ପ୍ରଦାନ କରାଯିବ। ଏହି ପ୍ରାଚୀନ ଶିକ୍ଷା ସମ୍ପୂର୍ଣ୍ଣ ନିଶୁକ୍ଳ ପ୍ରଦାନ କରାଯିବା ସହ ଖାଦ୍ୟପେୟ ଓ ରହିବାର ସୁବିଧା ଯୋଗାଇ ଦିଆଯିବ। କଟକ, ଭୁବନେଶ୍ବର ଓ ଏହାର ନିକଟବର୍ତ୍ତୀ ଅଞ୍ଚଳର ଆତ୍ମଜ୍ଞାନ ଲାଭ କରିବାରୁ କୌଣସି ବର୍ଗର ଆଗ୍ରହୀ ଜିଜ୍ଞାସୁମାନେ ଗୁରୁକୁଳରେ ନ ରହି ଯାତାୟାତ କରି ମଧ୍ୟ ଅଧ୍ୟୟନ କରିବାର ସୁଯୋଗ ପାଇପାରିବେ।

ଏଥିନିମନ୍ତେ ନିମ୍ନଲିଖିତ ଠିକଣାରେ ସେପ୍‌ଟେମ୍ବର ମାସ ୩୦ ତାରିଖ ସୁଦ୍ଧା ଚୟନ ଓ ମନୋନୟନ ନିମନ୍ତେ ବ୍ୟକ୍ତିଗତ ସାକ୍ଷାତ କରିବାକୁ ଅନୁରୋଧ କରାଯାଇଛି। ବେଦାନ୍ତ ବିଜ୍ଞାନ ଗୁରୁକୁଳମ୍‌, ବଡ଼ଧାନପୁର, ଶିଶୁପାଳଗଡ଼, ଭୁବନେଶ୍ବର- ୭୫୧୦୦୨, ଫୋନ୍‌: ୯୪୩୭୨୭୩୧୦୪, ୭୦୦୮୫୦୨୮୪୧, Email: [email protected]

ସମ୍ବନ୍ଧିତ ଖବର