ଭେଡ଼େନ୍ ଗଣଦୁଷ୍କର୍ମ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ବର : ୨୦୧୬ରେ ବରଗଡ଼ ଜିଲ୍ଲା ଭେଡ଼େନ୍ ଥାନା ଅନ୍ତର୍ଗତ ରୁପାପାଲି ଗାଁରେ ୩ ଜଣ ଦଳିତ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଘଟଣାକୁ ରାଜ୍ୟ ସରକାର ଚପାଇବା ପାଇଁ ଉଦ୍ୟମ କରିଥିଲେ। ଏବେ ରାଜ୍ୟ ମାନବାଧିକାର କମିସନଙ୍କ ନିର୍ଦ୍ଦେଶ ପରେ ଚଳିତ ମାସ ୩ ତାରିଖରେ ଭେଡ଼େନ ପୁଲିସ ବାଧ୍ୟ ହୋଇ ୨ ଜଣ ପୁଲିସ ଅଧିକାରୀଙ୍କ ସମେତ ୮ ଜଣଙ୍କ ନାଁରେ ମାମଲା ରୁଜ୍ଜୁ କରିଛି। ଆଜି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିରୋଧରେ ଏପରି ଅଭିଯୋଗ କରିଛି କଂଗ୍ରେସ।

କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଥିଲେ, ମହିଳାଙ୍କ ପରିବାର ପକ୍ଷରୁ ଏ ନେଇ ଭେଡ଼େନ ଥାନା, ବରଗଡ଼ ଏସପି ଓ ଗୃହ ସଚିବଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା। କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ମାନବାଧିକାର କମିସନଙ୍କ ପାଖରେ ଆବେଦନ କରାଯାଇଥିଲା। କମିସନ ସମସ୍ତ ପ୍ରମାଣପତ୍ର ଦେଖିଲା ପରେ ପୁଲିସର କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ପୀଡ଼ିତାଙ୍କ ଦେଢ଼ଶୁର ଦେଇଥିବା ଅଭିଯୋଗକୁ ଏତଲା ଭାବେ ପଞ୍ଜୀକରଣ କରିବାକୁ ବରଗଡ଼ ଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ୨୦୧୭ ମେ ୧୯ ତାରିଖରେ ଗୃହ ବିଭାଗ ଏ ଘଟଣା ସମ୍ପର୍କରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ଅବଗତ କରାଇ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗୃହ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ପୁଲିସ ମହାନିର୍ଦ୍ଦେଶକ ୨୦୧୭ ଜୁଲାଇ ୨ ତାରିଖରେ ତତ୍କାଳୀନ ବରଗଡ଼ ଏସପିଙ୍କୁ ଗଣେଷ ମଲ୍ଲିକଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏତେସବୁ ପରେ ବି ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା। ରାଜ୍ୟ ସରକାର କେବଳ ଧର୍ମକୁ ଆଖିଠାର ମାରିବା ସଦୃଶ ଉପରଠାଉରିଆ ଭାବରେ ଚିଠି ଲେଖି ଘଟଣାକୁ ଚପାଇ ଦେବା ପାଇଁ ଉଦ୍ୟମ କରିଥିବା ଶ୍ରୀ ନାୟକ ଅଭିଯୋଗ କରିଥିଲେ।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନିଶିକାନ୍ତ ମିଶ୍ର, ବିଧାୟକ ସୁରେଶ କୁମାର ରାଉତରାୟ, ଜିନେଶ ଦାସ, ଚିନ୍ମୟ ସୁନ୍ଦର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର