ଭେଣ୍ଟିଲେଟର ଫେରିବା ଘଟଣା : ଅଭିଯୁକ୍ତଙ୍କୁ ତଦନ୍ତ ଭାର!

ସୁପର୍‌ ସ୍ପେସାଲିଟି କୋଠା ନିର୍ମାଣ ବିଳମ୍ବ କାହିଁକି?, ଦେଢ଼ ବର୍ଷ ଯାଏ ଜମି ହସ୍ତାନ୍ତର କରି ନଥିଲେ କର୍ତ୍ତୃପକ୍ଷ, ଉଚ୍ଚସ୍ତରୀୟ ତଦନ୍ତ ଲାଗି ନାଗରିକ ମଞ୍ଚର ଦାବି

ସମ୍ବଲପୁର : ଭିମସାର୍‌କୁ ଆସିଥିବା ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ୪୦ଟି ଅତ୍ୟାଧୁନିକ ଭେଣ୍ଟିଲେଟର ଫେରାଇ ଦିଆ ଯାଇଥିବା ଘଟଣାରେ ନିଜକୁ ଦୋଷମୁକ୍ତ କରିବାକୁ ଭିମ୍‌ସାର କର୍ତ୍ତୃପକ୍ଷ ଜୋରଦାର ଉଦ୍ୟମ ଚଳାଇଥିବା ଜଣାପଡ଼ିଛି। କୋଠା ତିଆରି ସରିନଥିବାରୁ ଭେଣ୍ଟିଲେଟରଗୁଡ଼ିକୁ ଫେରାଇ ଦିଆଗଲା ବୋଲି ତଦନ୍ତ ପରେ ଡିଏମ୍‌ଇଟି ସୁନାମାଳି ବାଗ କହିଛନ୍ତି। ଭିମ୍‌ମାର କର୍ତ୍ତୃପକ୍ଷ ଦେଇଥିବା ସ୍ପଷ୍ଟୀକରଣ ସନ୍ତୋଷଜନକ ବୋଲି ଶ୍ରୀ ବାଗ କହିଛନ୍ତି। ମାତ୍ର କୋଠା ନିର୍ମାଣରେ କାହିଁକି ବିଳମ୍ବ ହେଲା ଓ ଏଥିଲାଗି ଦାୟୀ କିଏ ବୋଲି ଅନୁସନ୍ଧାନ କରିବାରୁ ଆହୁରି ସାଙ୍ଘାତିକ ତଥ୍ୟ ‘ସମ୍ବାଦ’ ହାତରେ ଲାଗିଛି। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାରେ ବୁର୍ଲା ଓ ବ୍ରହ୍ମପୁରରେ ସୁପର ସ୍ପେସାଲିଟି ହସ୍ପିଟାଲ ନିର୍ମାଣ ପାଇଁ ଓ ସେଥିଲାଗି ବିଭିନ୍ନ ଯନ୍ତ୍ରପାତି ଓ ଚିକିତ୍ସା ଉପକରଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ଇତିମଧ୍ୟରେ ବ୍ରହ୍ମପୁର ମେଡିକାଲରେ ସୁପର ସ୍ପେସାଲିଟି ହସ୍ପିଟାଲ ପାଇଁ କୋଠା ତିଆରି ସରି ସେଥିରେ ସମସ୍ତ ଉପକରଣ ଲାଗି ସାରିଛି। ଭେଣ୍ଟିଲେଟର ମଧ୍ୟ ଲାଗି ସାରିଛି। ମାତ୍ର ଭିମ୍‌ସାରରେ କୋଠା ତିଆରି ପାଇଁ ଜମି ଦେବାକୁ ଅହେତୁକ ବିଳମ୍ବ କରାଯିବାରୁ କୋଠା ନିର୍ମାଣ ବିଳମ୍ବିତ ହୋଇଛି ବୋଲି ଜଣାପଡ଼ିଛି। ଆଶ୍ଚର୍ଯ୍ୟର କଥା ହେଉଛି, କୋଠା ପାଇଁ ଜମି ଦେବାରେ ବିଳମ୍ବ କରାଯିବା ବେଳେ ନିଜେ ସୁନାମାଳି ବାଗ ଭିମ୍‌ସାରର ନିର୍ଦେଶକ ଥିଲେ। ବିଦାୟୀ ଅସ୍ଥାୟୀ ‌ନିର୍ଦେଶକ ପ୍ର. ବିଜୟ କୁମାର ଦତ୍ତ ବି ସେତେବେଳେ ଭିମସାର୍‌ର ଅଧ୍ୟକ୍ଷ ଥିଲେ।

ଏଭଳି ପରିସ୍ଥିତିରେ ଡିଏମ୍‌ଇଟି ଶ୍ରୀ ବାଗ ଭେଣ୍ଟିଲେଟର ଫେରାଯିବା ଘଟଣାର ତଦନ୍ତ କରିବା କଥାକୁ ବୁଦ୍ଧିଜୀବୀମାନେ ସହଜରେ ହଜମ କରି ପାରୁନାହାନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଯେଉଁ ଉଦ୍ଦେଶ୍ୟ ନେଇ ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଥିଲେ ତାହା ଶ୍ରୀ ବାଗଙ୍କ ତଦନ୍ତରୁ ଯେ ଫଳବତୀ ହେବ ନାହିଁ ତାହା ଜଳଜଳ ଦେଖାଯାଉଛି। ତେଣୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଓ ସରକାରୀ ଯୋଜନା ଓ ଅର୍ଥର ସଠିକ ବିନିଯୋଗରେ ବାଧକ ସାଜିଥିବା ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ୨୦୧୬ ଜାନୁଆରି ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୁର୍ଲାର ଭିମସାର ଓ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ ଡାକ୍ତରଖାନାରେ ସୁପରସ୍ପେସାଲିଟି ବ୍ଲକ ନିର୍ମାଣ ପାଇଁ ଚିଠି ଆସିଥିଲା। କେନ୍ଦ୍ର ସରକାରର ନିର୍ମାଣକାରୀ ସଂସ୍ଥା ଏଚ୍‌ଏସ୍‌ସିସିକୁ ଏଥିପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ଚିଠିରେ ଅନୁରୋଧ କରା ଯାଇଥିଲା। ହେଲେ ଆଶ୍ଚର୍ଯ୍ୟର କଥା ତତ୍‌କାଳୀନ ଭିମସାର୍‌ କର୍ତ୍ତୃପକ୍ଷ ପୂର୍ବରୁ ଚିହ୍ନଟ ହୋଇ ସାରିଥିବା ସ୍ଥାନକୁ ନିର୍ମାଣକାରୀ ସଂସ୍ଥାକୁ ପ୍ରଦାନ ପାଇଁ ଦେଢ଼ ବର୍ଷରୁ ଅଧିକ ସମୟ ଲଗାଇ ଦେଲେ। ଏମିତିକି ତା ମଧ୍ୟରେ ଏନ୍‌ଏସି କଲେଜ ନିକଟରେ ସେମାନଙ୍କୁ ଏକ ଜମି ଦେଖାଇ ସେଠାରେ ସୁପର ସ୍ପେସାଲିଟି ବ୍ଲକ ନିର୍ମାଣ ପାଇଁ କହିଥିଲେ। ସ୍ଥାନୀୟ ବୁଦ୍ଧିଜୀବୀମାନେ ସେତେବେ‌ଳେ ଏହାକୁ ବିରୋଧ କରିଥିଲେ ଓ ମେଡିକାଲ ପରିସରରେ ହିଁ ଏହା ନିର୍ମାଣ ହେଉ ବୋଲି ଦାବି କରିଥିଲେ। ମାତ୍ର ଶ୍ରୀ ବାଗ୍‌ଙ୍କ କାର୍ଯ୍ୟକାଳରେ ଏହା ହୋଇ ପାରିଲା ନାହିଁ।

୨୦୧୭ ଜୁନ ମାସରେ ଡା. ଅଶ୍ବିନୀ ପୂଜାହାରୀ ନୂଆ ନିର୍ଦ୍ଦେଶକଭାବେ ଦାୟିତ୍ବ ନେବା ପରେ ସେହି ବର୍ଷ ଅଗଷ୍ଟ ମାସରେ ୫ ମହଲା ବିଶିଷ୍ଟ ସୁପର୍‌ସ୍ପେସାଲିଟି କୋଠାର ନକ୍ସାକୁ ମଞ୍ଜୁର କରାଗଲା ଓ ସେପ୍‌ଟେମ୍ବର ୧ ତାରିଖରେ ଏଥିଲାଗି ଜମି ହସ୍ତାନ୍ତର କରା ଯାଇଥିଲା। ଏହାପରେ କାମ ଆରମ୍ଭ ହୋଇ ଦେଢ଼ ବର୍ଷ ଭିତରେ ଅଧା କାମ ହୋଇଛି। ଏହା ସରିବାକୁ ଆଉ ୮ ମାସ ସମୟ ଲାଗିଯିବ ବୋଲି ସୂଚନା ମିଳୁଛି। ସେପଟେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ର ସୁପର୍‌ସ୍ପେସାଲିଟି କୋଠା ନିର୍ମାଣ କେବେଠାରୁ ଶେଷ ହୋଇ ଯାଇଛି। ଇତିମଧ୍ୟରେ କେନ୍ଦ୍ର ସରକାର ମୂଳ ଯୋଜନା ମୁତାବକ ଠିକ୍‌ ସମୟରେ ସୁପର ସ୍ପେସାଲିଟି ହସ୍ପିଟାଲରେ ଲଗାଯିବାକୁ ଥିବା ଉପକରଣ ମଧ୍ୟ ପଠାଇ ସାରିଛନ୍ତି। ବ୍ରହ୍ମପୁରରେ ଏହି ଯନ୍ତ୍ରପାତି ଓ ଉପକରଣ ଲାଗି ସାରିଛି। ବୁର୍ଲାରେ କିଛି ଯନ୍ତ୍ରପାତିକୁ ଆଣି ଗୋଦାମରେ ରଖାଯାଇଥିବା ବେଳେ ଭେଣ୍ଟିଲେଟରକୁ ଫେରାଇ ଦିଆଯାଇଛି। ଭେଣ୍ଟିଲେଟର କାହିଁକି ଫେରିଲା ସେ ନେଇ ବି ଭିନ୍ନ ଭିନ୍ନ ମତ ରଖୁଛନ୍ତି ଅଧିକାରୀମାନେ। ଏବେ ନିଜେ ଶ୍ରୀ ବାଗ ଆସି ଏହି ଘଟଣାର ତଦନ୍ତ କରିବା ମଧ୍ୟ ହାସ୍ୟାସ୍ପଦ ପରିସ୍ଥିତି ସୃଷ୍ଟି କରିଛି ବୋଲି ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି।

ଏ ସଂପର୍କରେ ଡିଏମ୍‌ଇଟି ଶ୍ରୀ ବାଗଙ୍କୁ ପଚାରିବାରୁ ‌ସେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। କହିଛନ୍ତି, ସୁପର ସ୍ପେସାଲିଟି କୋଠା ନିର୍ମାଣ ସଂପୂର୍ଣ୍ଣ ଭାବେ କେନ୍ଦ୍ର ସରକାର ଓ ତାଙ୍କ ଅଧିନସ୍ଥ ସଂସ୍ଥା ଗୁଡ଼ିକର ବ୍ୟାପାର। ଏଥିରେ ଆମର କିଛି କରିବାର ନଥିଲା ବୋଲି ସେ କହିଛନ୍ତି। ଅପରପକ୍ଷରେ ତତ୍କାଳୀନ ଅଧ୍ୟକ୍ଷ ପ୍ର. ବି କେ ଦତ୍ତ ନିର୍ମାଣକାରୀ ସଂସ୍ଥାକୁ ଜମି ହସ୍ତାନ୍ତରରେ ବିଳମ୍ବକୁ ସ୍ବୀକାର କରିଛନ୍ତି। କିନ୍ତୁ ନିର୍ମାଣ ଦାୟିତ୍ବ ନେଇଥିବା ସଂସ୍ଥା ମଧ୍ୟ କିଛିଟା ବିଳମ୍ବ କରିଥିବା ସେ କହିଛନ୍ତି। ତାଙ୍କ ମତରେ ବର୍ତ୍ତମାନ କୋଠା ତିଆରି ହେଉଥିବା ସ୍ଥାନ ନିର୍ମାଣ ଦୃଷ୍ଟିରୁ ଉପଯୁକ୍ତ ନଥିଲା। ଏନ୍ଏସି କଲେଜ ନିକଟରେ ଏକ ସ୍ଥାନ ଚିହ୍ନଟ ହୋଇଥିଲା। ସରକାର ସେ ଜମିକୁ ଆମ ନାଁ’ରେ କରିବାର ଥିଲା। ତେବେ ଉକ୍ତ ଜମି ଆମ ହାତକୁ ଆସିବାର ମାତ୍ର କିଛି ଦିନ ପୂର୍ବରୁ ତତ୍କାଳୀନ ନିର୍ଦ୍ଦେଶକ ଶ୍ରୀ ପୂଜାହାରୀ ବର୍ତ୍ତମାନର ଜମିକୁ ସୁପର ସ୍ପେସାଲିଟି କୋଠା ନିର୍ମାଣ ପାଇଁ ହସ୍ତାନ୍ତର କରିଥିଲେ ବୋଲି ପ୍ର. ଦତ୍ତ କହିଛନ୍ତି।

ଅପରପକ୍ଷେ ଏନ୍‌ଏସି କଲେଜ ନିକଟରେ ପ୍ରସ୍ତାବିତ ସ୍ଥାନ ମୂଳ ହସ୍‌ପିଟାଲରୁ ପ୍ରାୟ ୧ କ‌ିଲୋମିଟର ଦୂରରେ ଥିଲାବେଳେ ଗୁରୁତର ରୋଗୀ ବ୍ଲଡ୍ ବ୍ୟାଙ୍କ, ଆର୍‌ଡିସିକୁ କିଭଳି ଆସିବେ ବୋଲି ପ୍ରଶ୍ନ ଉଠାଇ ବୁର୍ଲାର ଲୋକେ ପ୍ରତିବାଦ କରିଥିଲେ। ଭିମସାର କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ହିଁ ଆଜି ସୁପରସ୍ପେସାଲିଟି କୋଠା ନିର୍ମାଣ ସଂପୂର୍ଣ୍ଣ ହୋଇପାରି ନାହିଁ ବୋଲି ବୁର୍ଲା ସଚେତନ ନାଗରିକ ମଞ୍ଚର ଆବାହକ ନାରାୟଣ ପତି ଅଭିଯୋଗ କରିଛନ୍ତି। ଯେଉଁମାନଙ୍କ ଲାଗି ସୁପର ସ୍ପେସାଲିଟି ହସ୍ପିଟାଲ କୋଠା ବିଳମ୍ବିତ ହୋଇଛି ଓ ଯାହା ଲାଗି ଭେଣ୍ଟିଲେଟର ଫେରିଛି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାନଗଲେ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର