ଭିମ୍‌ସାରରୁ ୪୦ ଭେଣ୍ଟିଲେଟର ଫେରିଯିବା ଘଟଣା, ତଦନ୍ତ ନିର୍ଦେଶ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

୨୫ରେ ସ୍ବାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ଦେବେ କର୍ତ୍ତୃପକ୍ଷ

ସମ୍ବଲପୁର : ବୁର୍ଲା ବଡ଼ ମେଡିକାଲ(ଭିମ୍‌ସାର)କୁ ଆସିଥିବା ୪୦ଟି ଭେଣ୍ଟିଲେଟର ମେସିନ୍‌ ଫେରାଇ ଦିଆଯିବା ଘଟଣା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ତଥା କମିସନରଙ୍କୁ ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଜଣେ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଏହି ଘଟଣାର ତଦନ୍ତ କରି ଆସନ୍ତା ବିଧାନସଭା ଅଧିବେସନ ପୂର୍ବରୁ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ତାଙ୍କ କାର୍ଯ୍ୟାଳୟକୁ ପଠାଇବାକୁ ମନ୍ତ୍ରୀ ଶ୍ରୀ ଦାଶ ନିର୍ଦେଶ ଦେଇଛନ୍ତି। ତଦନ୍ତକାରୀ ଅଧିକାରୀ ବୁର୍ଲା‌ ମେଡିକାଲ ପରିଦର୍ଶନ କରି ସମସ୍ତ ତଥ୍ୟ ହାସଲ କରି ରିପୋର୍ଟ ଦେବାକୁ ମଧ୍ୟ ନିର୍ଦେଶ ରହିଛି।

ଏପଟେ ଘଟଣା ସମ୍ପର୍କରେ ଆଲୋଚନା ପାଇଁ ଭିମ୍‌ସାରରେ ଶନିବାର ଅପରାହ୍ଣରେ ଏକ ବୈଠକ ବସିଥିଲା। ବୈଠକରେ ଏହି ଘଟଣା ତଥା ପ୍ରସ୍ତାବିତ ସୁପର ସ୍ପେସିଆଲିଟି ହସ୍ପିଟାଲ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଭାରପ୍ରାପ୍ତ ନିର୍ଦେଶକ ଡା. ବିଜୟ କୁମାର ଦତ୍ତ, ଡିନ୍‌ ବି.ଏମ୍‌. ମିଶ୍ର, ନୋଡାଲ ଅଧିକାରୀ ସଞ୍ଜୟ ମହାପାତ୍ର, ଡା.ଲାଲ ମୋହନ ନାୟକ, ପ୍ରଶାସନିକ ଅଧିକାରୀ ଡା.ସଚ୍ଚିଦାନନ୍ଦ ପାଣ୍ଡେ, ପିଡବ୍ଲୁଡି ଓ ବିଦ୍ୟୁତ୍‌ ବିଭାଗର ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ। ଆସନ୍ତା ୨୫ ତାରିଖରେ ଭିମ୍‌ସାର କର୍ତ୍ତୃପକ୍ଷ ଭୁବନେଶ୍ବର ଯାଇ ସ୍ବାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦାଙ୍କୁ ଭେଟିବେ ଓ ଏହାଉପରେ ରିପୋର୍ଟ ପ୍ରଦାନ କରିବେ ବୋଲି ଡିନ୍‌ ଡା. ବି.ଏମ୍‌. ମିଶ୍ର ବୈଠକ ପରେ କହିଛନ୍ତି। ଭେଣ୍ଟିଲେଟର ଫେରିବା ଦିନ ସେ ଛୁଟିରେ ଥିବାରୁ ତତ୍କାଳୀନ ‌ଷ୍ଟୋର ଅଧିକାରୀ ଡା.ସଚ୍ଚିଦାନନ୍ଦ ପାଣ୍ଡେ ଓ ନୋଡାଲ ଅଧିକାରୀ ଡା. ସଞ୍ଜୟ ମହାପାତ୍ର ଉକ୍ତ ଡେଲିଭରି କମ୍ପାନି ‘ହାଇଟ୍ସ’ର କର୍ମଚାରୀଙ୍କୁ ଜାଗା ଖୋଜିବା ଯାଏଁ ଅପେକ୍ଷା କରିବାକୁ କହିଥିଲେ। କିନ୍ତୁ ଉକ୍ତ କମ୍ପାନିର କର୍ମଚାରୀମାନେ ଅପେକ୍ଷା ନକରି ଭେଣ୍ଟିଲେଟର ନେଇ ଚାଲି ଯାଇଥିଲେ ବୋଲି ଡା. ମିଶ୍ର କହିଛନ୍ତି।

ତେବେ ଏହି ଘଟଣା ସମ୍ପର୍କରେ ଆଜି ଭିମ୍‌ସାର ଅଧୀକ୍ଷକ ଡା.ଜୟଶ୍ରୀ ଦୋରାଙ୍କୁ ପଚାରିବାରେ ଭେଣ୍ଟିଲେଟର ‌ଫେରିବା ନେଇ ସେ ପୂର୍ବରୁ ଅବଗତ ନଥିଲେ ବୋଲି କହିଛନ୍ତି। ଏନେଇ ଅନୁଧ୍ୟାନ କରିବା ପରେ ଉକ୍ତ ଭେଣ୍ଟିଲେଟରଗୁଡ଼ିକ ସୁପର ସ୍ପେସିଆଲିଟି ହସ୍ପିଟାଲ ପାଇଁ ଆସିଥିବା ବେଳେ ଏହାର କୋଠା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ସେଗୁଡ଼ିକୁ ଫେରାଇ ଦିଆଯାଇଥିବା ସେ ଜାଣିବାକୁ ପାଇଛନ୍ତି ବୋଲି ଡା. ଦୋରା କହିଛନ୍ତି।

ଭିମ୍‌ସାରର ପୂର୍ବତନ ପ୍ରଶାସନିକ ଅଧିକାରୀ ନିହାର ରଞ୍ଜନ ଦାଶଙ୍କୁ ଏନେଇ ପଚରାଯିବାରେ ଜାଗା ଅଭାବରୁ ଭେଣ୍ଟିଲେଟର ଫେରାଇ ଦିଆଯିବା ଘଟଣା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି। ମେଡିକାଲରେ ଯେତିକି ସ୍ଥାନ ରହିଛି, ସେଥିରେ ଆହୁରି ଅଧିକ ଭେଣ୍ଟିଲେଟର ରଖାଯାଇପାରିଥାନ୍ତା ବୋଲି ଶ୍ରୀ ଦାସ କହିଛନ୍ତି।

ଭିମ୍‌ସାରର ପୂର୍ବତନ ନିର୍ଦେଶକ ଡା.ଅଶ୍ବିନୀ ପୂଜାହାରୀ ଏସମ୍ପର୍କରେ ମତ ରଖି କହିଛନ୍ତି ଯେ, ମେଡିକାଲ ତଥା ଅଞ୍ଚଳବାସୀଙ୍କ ଏକ ବୃହତ୍‌ ସ୍ବାର୍ଥକୁ ଆଖି ଆଗରେ ରଖି ଏହି ଯୋଜନା ସମ୍ପର୍କରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ‌କିନ୍ତୁ ଭେଣ୍ଟିଲେଟର ପହଞ୍ଚିବା ବେଳକୁ ସେ କାର୍ଯ୍ୟରୁ ନିବୃତ ହୋଇସାରିଥିଲେ। ଅନ୍ୟପକ୍ଷରେ ସୁପର ସ୍ପେଶାଲିଟି ହସ୍ପିଟାଲ ସହ ସଂପୃକ୍ତ ଜଣେ ଅଧିକାରୀ ‘ସମ୍ବାଦ’କୁ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଯୋଜନା ମୁତାବକ ସୁପର ସ୍ପେଶାଲିଟି ହସ୍ପିଟାଲ ପାଇଁ ହିଁ ‌ଏହି ଭେଣ୍ଟିଲେଟର ଆସିଥିଲା। ସୁପର ସ୍ପେଶାଲିଟି ହସ୍ପିଟାଲ କୋଠା ନିର୍ମାଣ କାର୍ଯ୍ୟ ୨୦୧୯ ଅକ୍ଟୋବରରେ ସରିବାର ଥିଲା। ମାତ୍ର ତାହା ଆହୁରି ୪-୫ ମାସ ବିଳମ୍ବ ହୋଇପାରେ। ଏତେ ଦିନ ଭେଣ୍ଟିଲେଟରଗୁଡ଼ିକୁ ପକାଇ ରଖିଥିଲେ ସେଗୁଡ଼ିକର ୱାରେଣ୍ଟି ଟାଇମ୍‌ ପ୍ରଭାବିତ ହୋଇଥାନ୍ତା ଓ ସାମଗ୍ରୀ ଡେଲିଭରି ପରେ ଯୋଗାଣକାରୀ ସଂସ୍ଥା ବି ଧରାଛୁଆଁ ଦେଇ ନଥାନ୍ତା। ତେଣୁ ସେଗୁଡ଼ିକୁ ଫେରାଇ ଦିଆଯାଇଥିଲା ଓ କୋଠା ନିର୍ମାଣ ସରିବା ପରେ ପୁଣି ଯୋଗାଣ ପାଇଁ କୁହାଯାଇଥିଲା ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର