ଅଭିନୟ ସରିଗଲା, ବାହୁଡ଼ିଗଲେ ପାର୍ବତୀ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଶେଷକୃତ୍ୟ
ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ବିଭିନ୍ନ ମହଲରେ ଶୋକର ଛାୟା

ଭୁବନେଶ୍ୱର : କେବଳ ଓଡ଼ିଶା ନୁହେଁ, ସେ ଥିଲେ ପୂର୍ବ ଭାରତର ପ୍ରଥମ ମହିଳା ଚଳଚ୍ଚିତ୍ର ନିର୍ଦ୍ଦେଶିକା। ଅଭିନୟ ଓ କଳା ଯେପରି ତାଙ୍କ ରକ୍ତରେ ଥିଲା। ମାତ୍ର ୬ ବର୍ଷ ବୟସରେ ‘ଶ୍ରୀ ଜଗନ୍ନାଥ’ରେ ଶିଶୁ କଳାକାର ଭାବେ ଅଭିନୟ କରି ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ। ଏକାଧାରାରେ ଜଣେ ପ୍ରଯୋଜିକା, ନିର୍ଦ୍ଦେଶିକା, ଚିତ୍ରନାଟ୍ୟ ଲେଖିକା, ନୃତ୍ୟ ନିର୍ଦ୍ଦେଶିକା ଓ ଅଭିନେତ୍ରୀ ଭାବରେ ଖ୍ୟାତି ଅର୍ଜନ କରିଥିବା ପାର୍ବତୀ ଘୋଷଙ୍କ ୮୫ ବର୍ଷ ବୟସରେ ଜୀବନ ମଞ୍ଚର ଅଭିନୟରେ ପରଦା ପଡ଼ିଛି। ରବିବାର ରାତି ପ୍ରାୟ ସାଢ଼େ ବାରଟା ବେଳେ ଏହି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜୟିନୀ ମହାନ କଳାକାର ଜଣକ ଇହ ଜଗତରୁ ବିଦାୟ ନେଇ ଯାଇଛନ୍ତି। ଅଭିନୟ ଚାତୁରିରେ ଲକ୍ଷଲକ୍ଷ ହୃଦୟରେ ବସା ବାନ୍ଧିଥିବା ପାର୍ବତୀଙ୍କ ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଓ ସଂସ୍କୃତି ଜଗତରେ ଶୋକର ଛାୟା ଖେଳିଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି କିମ୍‌ସ ହସ୍ପିଟାଲକୁ ଯାଇ ପାର୍ବତୀଙ୍କୁ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ ପ୍ରଧାନ ପାର୍ବତୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହିତ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ମଙ୍ଗଳବାର କଟକ ସ୍ଥିତ ଜନ୍ମମାଟିରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡ଼ିଛି।

ରବିବାର ରାତିରେ ନୀଳାଦ୍ରିବହାରସ୍ଥିତ ବାସଭବନରେ ରହୁଥିବା ପାର୍ବତୀ ହଠାତ୍‌ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ସ୍ଥାନୀୟ କିମସ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। ମାତ୍ର ହସ୍ପିଟାଲ୍‌ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦାରୁଣ ସମ୍ବାଦ ପାଇବା ପରେ ତାଙ୍କ ଭାଇ ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ ଏବଂ ବହୁ ସିନେ ବ୍ୟକ୍ତିତ୍ୱ ହସ୍ପିଟାଲ୍‌ରେ ପହଞ୍ଚିଥିଲେ। ଆଜି ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସିନେ ଜଗତ ଏବଂ ଅନ୍ୟାନ୍ୟ ବିଭିନ୍ନ କ୍ଷେତ୍ରରୁ ବହୁ ବିଶିଷ୍ଟ ବ୍ୟକ୍ତିମାନେ କିମ୍‌ସ ହସ୍ପିଟାଲ୍‌ରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ବତୀ ଘୋଷଙ୍କ ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ଘୋଷଣା କରିଥିଲେ। ଗଭୀର ଶୋକ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପାର୍ବତୀଙ୍କ ପରଲୋକ ତାଙ୍କୁ ମର୍ମାହତ କରିଛି। ପ୍ରାରମ୍ଭିକ କାଳରେ ସେ ଏକାକି ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଏକ ନୂଆ ସୋପାନକୁ ନେଇ ପାରିଥିଲେ। ଏହାଛଡ଼ା ନାରୀ ସଶକ୍ତିକରଣର ସେ ଜଣେ ଜ୍ୱଳନ୍ତ ଉଦାହରଣ ଥିଲେ।

ପ୍ରଥମେ କିମ୍‌ସ ହସ୍ପିଟାଲ ଏବଂ ପରେ ପାର୍ବତୀଙ୍କ ନୀଳାଦ୍ରିବିହାରସ୍ଥିତ ବାସଭବନରେ ମଧ୍ୟ ଆଜି ଦିନତମାମ ଭିଡ଼ ଜମିଥିଲା। ପରଲୋକ ସୂଚନା ପାଇ ମୁମ୍ବଇରେ ରହୁଥିବା ତାଙ୍କ ଝିଅ ରୀତି ଘୋଷ ଏବଂ ପାର୍ବତୀଙ୍କ ଭଉଣୀ କ୍ଷୀରାବ୍ଦିି ନାୟକ ମଧ୍ୟ ଆସି ପହଞ୍ଚିଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ପାର୍ବତୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ତାଙ୍କ ମରଶରୀରକୁ ଏକ ଶୀତତାପ ନିୟନ୍ତ୍ରିତ ବାକ୍ସରେ ରଖାଯାଇ ନୀଳାଦ୍ରିବିହାରସ୍ଥିତ ବାସଭବନକୁ ନିଆଯାଇଥିଲା। ଏକମାତ୍ର ପୁଅ ରୋମି ଆମେରିକାରୁ ଆସି ପହଞ୍ଚିବା ପର୍ଯ୍ୟନ୍ତ ମରଶରୀରକୁ ତାଙ୍କ ବାସଭବନରେ ରଖାଯିବ। ମଙ୍ଗଳବାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ କଟକ ସ୍ଥିତ ଜନ୍ମମାଟିରେ ତାଙ୍କ ଶେଷକୃତ ସଂପନ୍ନ କରାଯିବା ନେଇ ପରିବାର ପକ୍ଷରୁ ସୂଚନା ମିଳିଛି।

୩ଟି ଚଳଚ୍ଚିତ୍ରକୁ ମିଳିଥିଲା ରାଷ୍ଟ୍ରପତି ପୁରସ୍କାର

ପାର୍ବତୀ ଘୋଷ। ଓଡ଼ିଆ ଚଳଚ୍ଚିତ୍ରପ୍ରେମୀଙ୍କ ପାଇଁ ଏଇ ନାଁଟି ହିଁ ଯଥେଷ୍ଟ। ପଚାଶ ଦଶକରୁ ଏଯାବତ୍‌ ତାଙ୍କ ଦୁର୍ବାର ଯାତ୍ରା ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଯେତିକି ରୁଦ୍ଧିମନ୍ତ କରିଛି, ସେତିକି ମହିମାନ୍ଵିତ କରିଛି। ୧୯୩୩ ମାର୍ଚ୍ଚ ୨୮ତାରିଖରେ କଟକ ମାନସିଂହପାଟଣା ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ପାର୍ବତୀଙ୍କର ପିଲାଦିନର ନାମ ଥିଲା ଚପଳା ନାୟକ। ଆଠ ଭାଇ ଭଉଣୀ ମଧ୍ୟରେ ସେ ଥିଲେ ଷଷ୍ଠ। ତାଙ୍କ ବଡ଼ ଭାଇ ସାରଦା ପ୍ରସନ୍ନ ନାୟକ ଓ ସାନଭାଇ ସ୍ୱରୂପ ନାୟକ ଚଳଚ୍ଚିତ୍ର ଜଗତ ସହିତ ସଂପୃକ୍ତ। ଏକ ସମ୍ଭ୍ରାନ୍ତ ସାଂସ୍କୃତିକ ପରିବାରର ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା। ୧୯୫୦ରେ ‘ଶ୍ରୀ ଜଗନ୍ନାଥ ଚଳଚ୍ଚିତ୍ର’ରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଜୀବନ ଆରମ୍ଭ କରିଥିବା ପାର୍ବତୀ ଆମରି ଗାଁ ଝିଅ, ଭାଇ ଭାଇ, ମା, ଲକ୍ଷ୍ମୀ, କା, ସ୍ତ୍ରୀ, ସଂସାର ଆଦି ଚଳଚ୍ଚିତ୍ରରେ ବଳିଷ୍ଠ ଅଭିନୟ କରି ଓଡ଼ିଆ ସିନେ ଜଗତରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ। ସବୁଠାରୁ ବଡ଼ କଥା ହେଲା ତାଙ୍କ ଅଭିନୀତ ୩ଟି ଚଳଚ୍ଚିତ୍ର ଲକ୍ଷ୍ମୀ, କା ଓ ସ୍ତ୍ରୀ ରାଷ୍ଟ୍ରପତି ପୁରସ୍କାର ପାଇଥିଲା। ୧୯୬୧ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ପ୍ରବାଦ ପୁରୁଷ ଗୌର ପ୍ରସାଦ ଘୋଷଙ୍କୁ ସେ ବିବାହ କରିଥିଲେ। ୧୯୮୬ମସିହାରେ ଫକୀର ମୋହନ ସେନାପତିଙ୍କ କାଳଜୟୀ ଉପନ୍ୟାସ ‘ଛଅ ମାଣ ଆଠଗୁଣ୍ଠ’କୁ ନେଇ ସେ ଏକ ଚଳଚ୍ଚିତ୍ର ନିର୍ମାଣ କରିବା ସହିତ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏହା ତାଙ୍କୁ ପ୍ରଥମ ଓଡ଼ିଆ ନିର୍ଦ୍ଦେଶିକା ହେବାର ଗୌରବ ଆଣି ଦେଇଥିଲା। ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ସାମଗ୍ରିକ ଅବଦାନ ପାଇଁ ପାର୍ବତୀ ମର୍ଯ୍ୟାଦାଜନକ ଜୟଦେବ ପୁରସ୍କାର, ଫିଟ୍‌ଫାଟ୍‌ ବାଇସ୍କୋପ୍‌ ପୁରସ୍କାର ସମେତ ଅନେକ ସମ୍ମାନ ଓ ସ୍ୱୀକୃତି ଲାଭ କରିଥିଲେ।

ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଅଭିନେତା ଓ ନେତାଙ୍କ ଭିଡ଼

ପାର୍ବତୀଙ୍କ ପରଲୋକ ଖବରରେ କିମ୍‌ସ ହସ୍ପିଟାଲ ପରିସରକୁ ଯେପରି ଓଡ଼ିଆ ଚଳଚ୍ଚିତ୍ର ଜଗତ ଉଠିଆସିଥିଲା। ନିଜର ପ୍ରିୟ ଅଭିନେତ୍ରୀ, ନିର୍ଦ୍ଦେଶିକା ତଥା ପଥପ୍ରଦର୍ଶକଙ୍କୁ ଶେଷ ଦର୍ଶନ ପାଇଁ ହସ୍ପିଟାଲ ପରିସର ଲୋକାରଣ୍ୟ ହୋଇପଡ଼ିଥିଲା। ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ବିଜୟ ନାୟକ, ଓଡ଼ିଆ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ ମୁନା ଖାଁ, ପ୍ରଦ୍ୟୁମ୍ନ ଲେଙ୍କା, ବିଜୟ ମିଶ୍ର, ବିଶିଷ୍ଟ ଅଭିନେତ୍ରୀ ମହାଶ୍ୱେତା ରାୟ, ମିହିର ଦାସ, କୁନା ତ୍ରୀପାଠି, ରାଇମୋହନ, ଏଲିନାଙ୍କ ସମେତ ବହୁ ଅଭିନେତା ଓ ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେହିପରି ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ ମହାନ୍ତି, ମେୟର ଅନନ୍ତ ନାରାୟଣ ଜେନାଙ୍କ ସମେତ ବହୁ ରାଜନୈତିକ ବ୍ୟକ୍ତିବିଶେଷ, ସାହିତ୍ୟିକା ଇତି ସାମନ୍ତ ମଧ୍ୟ ପାର୍ବତୀଙ୍କୁ ଶ୍ରଦ୍ଧା ସୁମନ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର