ସ୍ଥିତାବସ୍ଥା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକରୁ ଭେଟନାରି, ଫିସରି ନିର୍ଦ୍ଦେଶାଳୟ ସ୍ଥାନାନ୍ତର ବିରୋଧରେ ମାମଲା

କଟକ : ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଟକରୁ ଉଠିବ ନାହିଁ ଭେଟନାରି ଓ ଫିସରି ନିର୍ଦ୍ଦେଶାଳୟ। କଟକର ମଙ୍ଗଳାବାଗ ଓ ଯୋବ୍ରା ଅଞ୍ଚଳରେ ଥିବା ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟକୁ ଭୁବନେଶ୍ୱର ଉଠାଇ ନେବା ସଂପର୍କରେ ହୋଇଥିବା ଯୋଜନା ଉପରେ ଅଙ୍କୁଶ ଲଗାଇଛନ୍ତି ଅଦାଲତ। ଭୁବନେଶ୍ୱରରେ ନିର୍ମାଣାଧୀନ କୃଷି ଭବନକୁ ଏହି ଦୁଇଟି କାର୍ଯ୍ୟାଳୟକୁ ଉଠାଇ ନେବା ପାଇଁ ହୋଇଥିବା ଯୋଜନା ସଂପର୍କିତ ଖବର ଅକ୍ଟୋବର ୨୭ ତାରିଖରେ ପ୍ରଥମେ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଏହାକୁ ନେଇ କଟକ ବଞ୍ଚାଅ କମିଟିର ଆବାହକ ଆଇନଜୀବୀ ବରଦା ପ୍ରସନ୍ନ ପଟ୍ଟନାୟକ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଆଜି ଏହି ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ସହିତ ଓଡ଼ିଶା ସରକାରୀ ପ୍ରେସ୍‌ ଏବଂ ପୁଲିସ ମୁଖ୍ୟାଳୟର ବିଭିନ୍ନ ବିଭାଗ ଭୁବନେଶ୍ୱର ସ୍ଥାନାନ୍ତର ଉପରେ ସ୍ଥିତାବସ୍ଥା ଜାରି କରିଛନ୍ତି। ଏ ସଂକ୍ରାନ୍ତରେ ଆସନ୍ତା ୨ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ସବୁ କାର୍ଯ୍ୟାଳୟର ସାନି ସ୍ଥିତି ସଂପର୍କରେ ମଧ୍ୟ ସରକାର ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ବରଦା ପ୍ରସନ୍ନ ପଟ୍ଟନାୟକଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ତାପସ କୁମାର ଦ୍ଵିବେଦୀ, ସୂର୍ଯ୍ୟ ପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ ଓ ତ୍ରିଲୋଚନ ଦାଶ ମାମଲା ପରିଚାଳନା କରୁଛନ୍ତି।

ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ କଟକ-ଭୁବନେଶ୍ୱର ଦେ୍ଵତ ନଗରି ମାନ୍ୟତା ପାଇଥିବା ବେଳେ କଟକରୁ ମତ୍ସ୍ୟ ନିର୍ଦ୍ଦେଶାଳୟ, ପଶୁ ପାଳନ ଓ ପଶୁ ଚିକିତ୍ସା ନିର୍ଦ୍ଦେଶାଳୟ, ପୁଲିସ ଡିଜି ଅଫିସ ପରିସରରେ ଥିବା ବିଭିନ୍ନ ବିଭାଗ ସ୍ଥାନାନ୍ତର ପାଇଁ ଗ୍ରହଣ କରାଯିବା ନିଷ୍ପତ୍ତି ଯଥାର୍ଥ ନୁହେଁ। ପୂର୍ବରୁ ରାଜ୍ୟ ବନ୍ଦର ଯନ୍ତ୍ରୀ କାର୍ଯ୍ୟାଳୟ ଓ ସ୍ୱତନ୍ତ୍ର ରିଲିଫ୍‌ କମିସନର କାର୍ଯ୍ୟାଳୟ ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ଉଦ୍ୟମ ହୋଇଥିବା ବେଳେ ଏ ନେଇ ହାଇକୋର୍ଟରେ ମାମଲା ଦାୟର ହୋଇଥିଲା। ଏ ପ୍ରସଂଗରେ ଶୁଣାଣି କରି ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିଥିବା ବେଳେ ମାମଲା ଏବେ ବିଚାରାଧୀନ ରହିଛି। କଟକରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ୨୦୧୬, ମାର୍ଚ୍ଚ ୩୦ ଠାରୁ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ନିଷ୍ପତ୍ତିକୁ ବେଆଇନ ଘୋଷଣା ପାଇଁ ନିବେଦନ କରାଯାଇଛି। ଆବେଦନରେ ମତ୍ସ୍ୟ ଓ ପଶୁ ସଂପଦ ସଚିବ, ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ, ଗୃହ ସଚିବ, ଶିଳ୍ପ ସଚିବ ଓ କଟକ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର