ରାଜ୍ୟପାଳଙ୍କ ସହ କୁଳପତିମାନଙ୍କ ସାକ୍ଷାତ

ଭେଟିଲେ ଏକାଧିକ ସ୍ୱେଚ୍ଛାସେବୀ ସଙ୍ଗଠନର ପ୍ରତିନିଧି

ଭୁବନେଶ୍ୱର : ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ସତ୍ୟ ପାଲ ମଲ୍ଲିକଙ୍କୁ ରାଜଭବନରେ ସାକ୍ଷାତ କରିଛନ୍ତି ବିଭିନ୍ନ ବିଶ୍ୱବିଦ୍ୟାଳୟ କୁଳପତି। ବିହାରର ରାଜ୍ୟପାଳ ଥିବା ଶ୍ରୀ ମଲ୍ଲିକ ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ଆଜି ବିଶ୍ୱବିଦ୍ୟାଳୟର କୁଳପତିମାନେ ତାଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି। ପ୍ର୍ରତି କୁଳପତିମାନେ ୧୫ ମିନିଟ୍‌ ମଧ୍ୟରେ ସେମାନଙ୍କ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷାଦାନ ବ୍ୟବସ୍ଥା, ନୂତନ ପାଠ୍ୟକ୍ରମ ଖୋଲିବା, ଗବେଷଣା ସମ୍ପର୍କରେ ରାଜ୍ୟପାଳ ତଥା ବିଶ୍ୱବିଦ୍ୟାଳୟ କୁଳାଧିପତି ଶ୍ରୀ ମଲ୍ଲିକଙ୍କୁ ଅବଗତ କରାଇଥିଲେ।

ସାକ୍ଷାତ ସମୟରେ କୁଳାଧିପତି ଶ୍ରୀ ମଲ୍ଲିକ କହିଥିଲେ ଯେ ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ପଦକ୍ଷେପ ନିଆଯାଉ। ପ୍ରଫେସରମାନେ ଛାତ୍ରଛାତ୍ରୀଙ୍କୁ ଗବେଷଣା କ୍ଷେତ୍ର ପ୍ରତି ଆକୃଷ୍ଟ କରନ୍ତୁ। ନୂତନ ଆବିଷ୍କାର, ଦକ୍ଷତା ବିକାଶ କାର୍ଯ୍ୟକ୍ରମ ହାତକୁ ନେବାକୁ କୁଳପତିମାନଙ୍କୁ ପରାମର୍ଶ ଦେଇଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି), ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ଆଜି ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ।

ଓୟୁଏଟି କୁଳପତି ପ୍ର୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ସାକ୍ଷାତ ସମୟରେ ଓୟୁଏଟି ସମ୍ପର୍କରେ ଅବଗତ କରାଇଲି। ଏନ୍‌ଆଇଆରଏଫ୍‌ର ଶିକ୍ଷାନୁଷ୍ଠାନ ର‍୍ୟାଙ୍କିଙ୍ଗ୍‌ରେ ଓୟୁଏଟି ଭଲ ପ୍ରଦର୍ଶନ କରିଥିବାରୁ କୁଳାଧିପତି ଶୁଭେଚ୍ଛା ଜଣାଇଥିଲେ। ଏଥିସହ ଓୟୁଏଟି ଅଧୀନରେ ଥିବା କଲେଜ, ଛାତ୍ରଛାତ୍ରୀଙ୍କ ସଂଖ୍ୟା, ନୂତନ କିସମ ଉଦ୍‌ଭାବନ, ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ବିଶ୍ୱବିଦ୍ୟାଳୟର ଗବେଷଣାକୁ ଚାଷୀଙ୍କ ପାଖରେ ପହଞ୍ଚାଇବା, ବର୍ଷକୁ ଅତି କମ୍‌ରେ ଥରେ ହେଲେ ବି ତିନି ଦିନ ବ୍ୟାପି ଚାଷୀ ମେଳା କରିବାକୁ ପରାମର୍ଶ ଦେଇଛନ୍ତି। ପଞ୍ଜାବ ଓ ହରିୟାଣା ବିଶ୍ୱବିଦ୍ୟାଳୟଗୁଡ଼ିକ ଏବେ ଚାଷୀ ମେଳା ଆୟୋଜନ କରୁଛନ୍ତି। ତାହାକୁ ଓୟୁଏଟିରେ ଲାଗୁ କରିବାକୁ କହିଥିଲେ। ଏହି ମେଳାରେ ଉନ୍ନତ କିସମର ଗାଈ, ମଇଁଷିଙ୍କ ପ୍ରଦର୍ଶନ, ବିହନ ଉପଲବ୍ଧ କରିବା, ବୈଜ୍ଞାନିକ ଓ ଚାଷୀଙ୍କ ମଧ୍ୟରେ ଆଲୋଚନା, ଡାଲି ଜାତୀୟ ଫସଲ, ତୈଳବୀଜ ଫସଲ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି।

ରାଜ୍ୟପାଳ ଶ୍ରୀ ମଲ୍ଲିକଙ୍କୁ ଭାରତୀୟ ରେଡକ୍ରସ୍‌ ସୋସାଇଟ୍‌ର ଓଡ଼ିଶା ବ୍ରାଞ୍ଚ, ଭାରତ ସ୍କାଉଟ୍‌ ଆଣ୍ଡ ଗାଇଡସ୍‌, ସେଣ୍ଟ ଜନ୍‌ ଆମ୍ବୁଲାନ୍ସର ପ୍ରତିଧିମାନେ ସାମିଲ ହୋଇ ସଂସ୍ଥା ସମ୍ପର୍କରେ ଅବଗତ କରାଇଥିଲେ।

ସମ୍ବନ୍ଧିତ ଖବର