ପିଜ‌ି ପାଠ୍ୟକ୍ରମରେ ଏକକ ସିଲାବସ୍‌ ଲାଗୁ ନିଷ୍ପତ୍ତିକୁ ବିରୋଧ, ଡକାଗଲା କୁଳପତି ସମ୍ମିଳନୀ

ଭୁବନେଶ୍ବର : ୨୦୧୯-୨୦ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟଗୁଡ଼ିକରେ ଲାଗୁ ହେବ ଏକକ ସିଲାବସ୍‌। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆଲୋଚନା ହୋଇସାରିଛି। ସିଲାବସ୍‌ ବି ପ୍ରସ୍ତୁତ ହୋଇଛି। ଶିକ୍ଷାବିତ୍‌ ଓ ବିଶେଷଜ୍ଞଙ୍କ ପରାମର୍ଶ ବି ନିଆଯାଇଛି। ତେବେ ଲାଗୁ ହେବା ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି। ବିଶ୍ବବିଦ୍ୟାଳୟରେ ଏହାକୁ ନେଇ ପ୍ରବଳ ବିରୋଧ କରାଯାଇଛି। ପ୍ରଫେସର୍‌ମାନେ ଏକକ ସିଲାବସ୍‌ ଲାଗୁ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି। କେତେକ ବିଶ୍ବବିଦ୍ୟାଳୟ ପ୍ରଫେସର୍‌ମାନେ ଏନେଇ କର୍ତ୍ତୃପକ୍ଷଙ୍କୁ ରୋକଠୋକ୍‌ ଶୁଣାଇ ଦେବା‌ ପରେ ପରିସ୍ଥିତି ଜଟିଳ ହୋଇଛି।

ମଡେଲ୍‌ ଏକକ ସିଲାବସ୍‌ ଲାଗୁ ହେବା ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଥିବାରୁ ତତ୍ପରତା ପ୍ରକାଶ କରିଛି ଉଚ୍ଚଶିକ୍ଷା ବିଭାଗ। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କ ବୈଠକ ଡକାଯାଇଛି। ଏପ୍ରିଲ ୨୬ରେ ଭୁବନେଶ୍ବର ପୁସ୍ତକ ଭବନଠାରେ ଥିବା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ କାର୍ଯ୍ୟାଳୟରେ କୁଳପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ମଡେଲ୍‌ ଏକକ ସିଲାବସ୍‌ ଲାଗୁ କିଭଳି ହେବ, ତାହାକୁ ଗୁରୁତ୍ବ ଦିଆଯିବ। ପ୍ରଥମ ଏଜେଣ୍ଡା ଭାବେ ଏହାକୁ ସମ୍ମିଳନୀରେ ସ୍ଥାନିତ କରାଯାଇଛି। ଏହାବ୍ୟତୀତ ବିଶ୍ବବିଦ୍ୟାଳୟଗୁଡ଼ିକର ଅନ୍ୟ ଏକାଡେମିକ୍‌ ବିଷୟ ଉପରେ ଆଲୋଚନା ‌ହେବ। କୁଳପତିଙ୍କ ବ୍ୟତୀତ ୧୧ଟି ବିଶ୍ବବିଦ୍ୟାଳୟର କୁଳସଚିବ ଓ ପିଜି କାଉନସିଲ୍‌ ଅଧ୍ୟକ୍ଷମାନେ ଏଥିରେ ସାମିଲ ହେବାକୁ କୁହାଯାଇଛି।

ଉତ୍କଳ ବିଶ୍ବବିଦ୍ୟାଳୟର ଜଣେ ପ୍ରଫେସର ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ଏକକ ସିଲାବସ୍‌ ଲାଗୁ କରିବା ଏବେ ସମ୍ଭବପର ନୁହେଁ। ସମସ୍ତ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ସମାନ ନାହିଁ। ଉତ୍କଳରେ ଯେଉଁ ଭିତ୍ତିଭୂମି ରହିଛି, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟରେ ସେଭଳି ନାହିଁ। ସବୁଠି ପ୍ରଫେସର, ଅଧ୍ୟାପକ ପଦବି ପୂରଣ ହୋଇନି। କେଉଁଠି ଅଧିକ ପଦବି ଖାଲି ରହିଛି ତ ଆଉ କେଉଁଠି କମ୍‌ ରହିଛି। ସବୁଠି ଗବେଷଣା ଭିତ୍ତିଭୂମି ବି ସୁଦୃଢ଼ ନାହିଁ। ସେହି ଦୃଷ୍ଟିରୁ ଦେଖିଲେ ସମସ୍ତ ବିଶ୍ବବିଦ୍ୟାଳୟକୁ ଗୋଟିଏ ମାନରେ ନେବା ସମ୍ଭବପର ନୁହେଁ। ଏନେଇ କିଛି ଦିନ ତଳେ ବସିଥିବା ବୈଠକରେ ଆଲୋଚନା ହୋଇଥିଲା। ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପୂର୍ବରୁ ଏବିଷୟରେ ଆଉ ଥରେ ବିଚାର ଆଲୋଚନା କରିବାକୁ ପ୍ରସ୍ତାବ ଦିଆଯାଇଛି। ଯେଉଁମାନେ ଏଭଳି ଯୋଜନା କରିଛନ୍ତି, ସେମାନେ ଉତ୍କଳ ବିଶ୍ବବିଦ୍ୟାଳୟ ଦାୟିତ୍ବରେ ଥିବା ବେଳେ କାହିଁକି ଲାଗୁ କରିବାକୁ ମନ ବଳାଇଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

କୁଳପତି ସମ୍ମିଳନୀ ଅବସରରେ ଦୁଇଟି ଅଧିବେଶନ ଅନୁଷ୍ଠିତ ହେବ। ପୂର୍ବାହ୍ନରେ ମଡେଲ୍‌ ଏକକ ସିଲାବସ୍‌ ସହ ଏକାଡେମିକ ବିଷୟ ଉପରେ ମୁଖ୍ୟତଃ ଆଲୋଚନା ହେବ। ଅପରାହ୍‌ଣ ୨ଟା ୩୦ ଅଧିବେଶନରେ ବିଶ୍ବବିଦ୍ୟାଳୟ ପ୍ରାଶାସନିକ, ଭିତ୍ତିଭୂମି ଓ ଆର୍ଥିକ ବ୍ୟବସ୍ଥା ଉପରେ ଆଲୋଚନା ହେବ। ଏହାବ୍ୟତୀତ ପୂର୍ବାହ୍ନ ୧୧ଟା‌ରେ ଉଚ୍ଚଶିକ୍ଷା ବିଭାଗରେ ବିଶ୍ବବିଦ୍ୟାଳୟ ବିତ୍ତ ନିୟନ୍ତ୍ରକମାନଙ୍କୁ ନେଇ ମଧ୍ୟ ଏକ ବୈଠକ ହେବ। କୁଳପତି ସମ୍ମିଳନୀରେ ନିଆଯିବାକୁ ଥିବା ନିଷ୍ପତ୍ତିକୁ ଆସନ୍ତା ଶିକ୍ଷାବର୍ଷରୁ ଲାଗୁ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର