ଦେଶ ନିର୍ମାଣରେ ଭୂମିକା ନେବ ପେଟ୍ରୋଲିୟମ ମନ୍ତ୍ରାଳୟର ଶିକ୍ଷାନୁଷ୍ଠାନ: ଧର୍ମେନ୍ଦ୍ର

ରାଷ୍ଟ୍ରପତି ଭବନରେ ପ୍ରମୁଖ ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ କୁଳପତି ସମ୍ମିଳନୀ

ଭୁବନେଶ୍ବର : ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ବରେ ଦେଶର ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ କୁଳପତିଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ବୈଠକରେ ଯୋଗ ଦେଇ ଶିକ୍ଷା କ୍ଷେତ୍ରରେ ନୂଆ ନୂଆ ଟେକ୍ନୋଲୋଜି ଅଣାଯିବା ସହ ନୂଆ ଜ୍ଞାନକୌଶଳ ମାଧ୍ୟମରେ ଦେଶରେ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ତିଆରି କରିବା ଉପରେ ଆଲୋକପାତ କରିଥିଲେ।

ଶ୍ରୀ ପ୍ରଧାନ କହିଥିଲେ, ବିଶ୍ୱରେ ଭାରତକୁ ମାନବ ବଳର ପେଣ୍ଠସ୍ଥଳୀ କରିବା ଏବଂ ସମଗ୍ର ହାଇଡ୍ରୋକାର୍ବନ ଓ ଉର୍ଜା ଶୃଙ୍ଖଳାରେ ଗବେଷଣା ଏବଂ ବିକାଶ ପାଇଁ ଏହି ଶିଳ୍ପର ଭବିଷ୍ୟତର ନେତୃତ୍ବମାନଙ୍କୁ ଗଢିବା ପାଇଁ ପେଟ୍ରୋଲିୟମ ମନ୍ତ୍ରଣାଳୟ ଦେଶର ରାଇବରେଲି, ଶିବସାଗର ଏବଂ ବେଙ୍ଗାଲୁରୁରେ ରାଜୀବ ଗାନ୍ଧୀ ପେଟ୍ରୋଲିୟମ ଟକ୍ନୋଲୋଜି ସଂସ୍ଥା (ଆରଜିଆଇପିଟି) ଏବଂ ବିଶାଖାପାଟଣାରେ ଭାରତୀୟ ପେଟ୍ରୋଲିୟମ ଊର୍ଜା ସଂସ୍ଥା (ଆଇଆଇପିବି) ଭଳି ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରିଛି। ଏହି ଶିକ୍ଷାନୁଷ୍ଠାନଗୁଡିକ ଦେଶ ନିର୍ମାଣରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବେ । ସେହିପରି ବିଶ୍ବବିଦ୍ୟାଳୟଗୁଡ଼ିକରେ ଦିଆଯାଉଥିବା ଜ୍ଞାନ ଦେଶର ଅର୍ଥନୀତିର ବିକାଶ ସହ ଜଡ଼ିତ। କେବଳ ଯେ ସ୍ଥିତାବସ୍ଥା ନୁହେଁ, ଦ୍ରୁତ ବିକାଶର ବାର୍ତାବହ ବିଶ୍ବବିଦ୍ୟାଳୟ ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ରାଷ୍ଟ୍ରପତି ଭବନ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀରେ ୪୬ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ମୁଖ୍ୟ ବିଶେଷ ଭାବରେ କୃଷି, ଫାର୍ମାସ୍ୟୁଟିକାଲ, ଡିଜାଇନ, ଫାସନ, ପେଟ୍ରୋଲିୟମ ଏବଂ ଏନର୍ଜି, ଯୋଜନା ଏବଂ ଆର୍କିଟେକ୍‌ଚର, ସୂଚନା ପ୍ରଯୁକ୍ତି ଭଳି ଉଚ୍ଚ ଶିକ୍ଷା କ୍ଷେତ୍ରର ମୁଖ୍ୟମାନେ ସାମିଲ ଥିଲେ ।

ସମ୍ବନ୍ଧିତ ଖବର