୨୫ରେ ଏମ୍‌ସ ସମାବର୍ତନ ଉତ୍ସବ, ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର : ଭୁବନେଶ୍ୱର ଏମ୍‌ସର ସମାବର୍ତନ ଉତ୍ସବ ଚଳିତ ମାସ ୨୫ ତାରିଖରେ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡୁ ଯୋଗ ଦେବେ। ଆଜି ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ଭୁବନେଶ୍ୱର ଏମ୍‌ସକୁ ଏ ନେଇ ଚିଠି ଯୋଗେ ଜଣାଇ ଦିଆଯାଇଛି। ତେଣୁ ଅନିଶ୍ଚିତତା ଭିତରେ ରହି ଯାଇଥିବା ଏହି କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଓ ଅସନ୍ତୋଷ ଦୂର ହୋଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ଚଳିତ ମାସ ୧୬ ତାରିଖରେ ଅନୁଷ୍ଠିତ ହେବ ବୋଲି ପୂର୍ବରୁ ସ୍ଥିର କରାଯାଇଥିଲା। ୨୦୧୨ ମସିହା ବ୍ୟାଚ୍‌ର ମେଡିକାଲ ପାସ୍‌ ଆଉଟ୍‌ ଛାତ୍ରଛାତ୍ରୀ ଓ ୨୦୧୩ ମସିହାର ନର୍ସିଂ ଛାତ୍ରଛାତ୍ରୀମାନେ ବେଶ୍‌ ଉତ୍ସାହିତ ଥିଲେ। ୨୦୧୭ ଡିସେମ୍ବରରୁ ଏହି କାର୍ଯ୍ୟକ୍ରମ ହେବ ବୋଲି ଦିନ ଗଡ଼ି ଚାଲିଥିବା ବେଳେ ଚଳିତ ୧୬ ତାରିଖକୁ ଧାର୍ଯ୍ୟ ହେବା ପରେ ସମସ୍ତେ ଖୁସି ଥିଲେ। ତେଣୁ ଏମ୍‌ସ କର୍ତୃପକ୍ଷ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ସେହିଭଳି ପ୍ରଶାସନ ଓ କମିସନରେଟ୍‌ ପୁଲିସ ପକ୍ଷରୁ ମଧ୍ୟ ଉପରାଷ୍ଟ୍ରପତିଙ୍କ ଭୁବନେଶ୍ୱର ଗସ୍ତକୁ ନେଇ ପ୍ରସ୍ତୁତି ସରିଥିଲା। ମାତ୍ର ହଠାତ୍‌ ଉପରାଷ୍ଟ୍ରପତିଙ୍କ ୧୬ ତାରିଖ ଗସ୍ତ ବାତିଲ୍‌ ହୋଇଥିଲା। ତେଣୁ ଏମ୍‌ସ ସମାବର୍ତନ ଉତ୍ସବକୁ ମଧ୍ୟ ବାତିଲ୍‌ କରାଯାଇଥିଲା। ସେହିଭଳି ଏମ୍‌ସରେ ନାଲ୍‌କୋ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ଧର୍ମାଶଳା ଓ ଏନ୍‌ଟିପିସି ପ୍ରଦତ୍ତ ବର୍ଣ୍ଣ ୟୁନିଟ୍‌ର ଶିଳାନ୍ୟାସ ହେବାର ଥିଲା। ମାତ୍ର ଉପରାଷ୍ଟ୍ରପତିଙ୍କ ଗସ୍ତ ବାତିଲ୍‌ ହେବା ପରେ ଏସବୁ ପ୍ରକଳ୍ପ ପ୍ରତିଷ୍ଠା ବିଳମ୍ବିତ ହେବ ବୋଲି ସାଧାରଣରେ ଅସନ୍ତୋଷ ଦେଖାଯାଇଥିଲା। କିନ୍ତୁ ଆଜି ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ୨୫ ତାରିଖ ପାଇଁ ଚିଠି ମିଳିବା ପରେ ସବୁ ମହଲରେ ଖୁସିର ମାହୋଲ ଦେଖାଦେଇଛି। ସମାବର୍ତନ ଉତ୍ସବ ଅବସରରେ ମୁଖ୍ୟ ଅତିଥିଙ୍କ ସହ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଉପସ୍ଥିତ ରହିବେ ଓ ତରଳ ଅମ୍ଳଜାନ ପ୍ଲାଣ୍ଟ ଭଳି କିଛି ନୂଆ ପ୍ରକଳ୍ପର ଉଦ୍‌ଘାଟନ ହେବ। ଏଥିସହ ଭୁବନେଶ୍ୱର ଏମ୍‌ସକୁ ତୁରନ୍ତ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ବାବଦରେ ଅଧିକ ସୂଚନା ମିଳିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର