ସୋସିଆଲ ମିଡିଆରେ ଭିଡିଓ ଭାଇରାଲ: ଭୋଟ ଦେଉଛନ୍ତି ଅଧିକାରୀ

କେନ୍ଦୁଝର/ଆନନ୍ଦପୁର: ଭୋଟ ଦେଉଛନ୍ତି ପୋଲିଂ ଅଧିକାରୀ। ଏମିତି ଏକ ଭିଡିଓ ଗତ ଦୁଇଦିନ ଧରି ସୋସିଆଲ ମିଡିଆରେ ଘୂରିବୁଲୁଛି। ବହୁଚଚ୍ସର୍ଚ୍ଚିତ ଘସିପୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋହିରା ପଞ୍ଚାୟତ ଭୋଳନୂଆଗାଁରେ ଭୋଟରଙ୍କ ପରିବର୍ତ୍ତେ ପୋଲିଂ ଦାୟିତ୍ବରେ ଥିବା ଜଣେ ଅଧିକାରୀ ବାରମ୍ବାର ଇଭିଏମ ପାଖକୁ ଯାଇ ଭୋଟ ଦେଉଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କିତ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘସିପୁରା ନିର୍ବାଚନମଣ୍ଡଳୀରେ ସ୍ବଚ୍ଛ ଓ ଅବାଧ ନିର୍ବାଚନକୁ ନେଇ ପ୍ରଶ୍ନ ଉଠିଛି। ଘସିପୁରା ନିର୍ବାଚନମଣ୍ଡଳୀରେ ବୁଥ ରିଗିଂ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ନ୍ୟାୟାଳୟ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ଏଥର ଏହି ନିର୍ବାଚନମଣ୍ଡଳୀରେ ଥିବା ଉତ୍ତେଜନା ପ୍ରବଣ ବୁଥ ଗୁଡ଼ିକରେ ସିସିଟିଭି ଲଗାଯିବା ସହ ୱେବକାଷ୍ଟିଂ କରାଯାଇଥିଲା। ଏହା ସତ୍ତ୍ବେ ବି ଭୋଳନୂଆଗାଁ ବୁଥରେ ପୋଲିଂ ଦାୟିତ୍ବରେ ଥିବା ଜଣେ ଅଧିକାରୀ ଇଭିଏମ ପାଖକୁ ବାରମ୍ବାର ଯାଇ ଭୋଟ ଦେବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହି ଭିଡିଓର ସତ୍ୟାସତ୍ୟ କେତେ ରହିଛି, ତାହା ତଦନ୍ତ ସପେକ୍ଷ।

ସମ୍ବନ୍ଧିତ ଖବର