ସ୍ୱଚ୍ଛତା ଓ ଦୁର୍ନୀତି ନିରୋଧ ମୋ ସରକାରର ଦୁଇଟି ଅଙ୍ଗ: ମୁଖ୍ୟମନ୍ତ୍ରୀ

ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ

ଭୁବନେଶ୍ୱର : ସ୍ୱଚ୍ଛତା ଓ ଦୁର୍ନୀତି ନିରୋଧ ମୋ ସରକାରର ଦୁଇଟି ଅଙ୍ଗ। ଏଥିପାଇଁ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଆଜି ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଭିଜିଲାନ୍ସ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ, ସବୁ ବିଭାଗରୁ କିଭଳି ଦୁର୍ନୀତିକୁ ମୂଳରୁ ଉପାଡ଼ି ଫିଙ୍ଗି ହେବ ସେ ନେଇ ରାଜ୍ୟ ସରକାର ଉଦ୍ୟମରତ। ରାଜ୍ୟ ଭିଜିଲାନ୍ସର କାର୍ଯ୍ୟ ଏବେ ସାରା ଦେଶରେ ପ୍ରଶଂସିତ।

ଅନ୍ୟପକ୍ଷରେ ଭିଜିଲାନ୍ସ ନୂତନ ନିର୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀ କହିଲେ ଯେ ଭିଜିଲାନ୍ସ ବିଭାଗକୁ ତ୍ୱରାନ୍ଵିତ କରାଯିବ। ଭିଜିଲାନ୍ସର ଅଧିକାରୀମାନଙ୍କ ମୋବାଇଲ୍‌ ନମ୍ବର ସାରା ରାଜ୍ୟ ବିଭିନ୍ନ ସ୍ଥାନରେ ଇଂରାଜି ଓ ଓଡ଼ିଆରେ ପ୍ରଦର୍ଶନ କରାଯିବ। ସେହି ନମ୍ବର ମାଧ୍ୟମରେ ସାଧାରଣ ଲୋକ ଦୁର୍ନୀତି ସମ୍ପର୍କରେ ଖବର ଦେବେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମୁଖ୍ୟ ଶାସନ ସଚିବ ଆଦିିତ୍ୟ ପ୍ରସାଦ ପାଢ଼ୀ, ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା, ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ, ଭିଜିଲାନ୍ସ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କ ସମେତ ବହୁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଯୋଗ ଦେଇଥିଲେ। ଉତ୍ତମ ପ୍ରଦର୍ଶନ ପାଇଁ କାର୍ଯ୍ୟକ୍ରମରେ ଭିଜିଲାନ୍ସର ବହୁ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିଥିଲେ।

ସମ୍ବର୍ଧିତ ହୋଇଥିବା ଭିଜିଲାନ୍ସ ଅଧିକାରୀମାନେ ହେଲେ ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତି, ବଲାଙ୍ଗୀର ଡିଏସ୍‌ପି ପରମେଶ୍ୱର କିଶାନ, ବାରିପଦା ଡିଏସ୍‌ପି ସଂଜୟ କୁମାର ଦାସମହାପାତ୍ର, ଭୁବନେଶ୍ୱର ଭିଜିଲନ୍ସ ଇନ୍ସପେକ୍ଟର ଅନୁପମା ମହାପାତ୍ର, ଭବନୀପାଟଣାର ସ୍ୱତନ୍ତ୍ର ପିପି ଆଶୁତୋଷ ମିଶ୍ର ପ୍ରମୁଖ। ଏହାଛଡ଼ା ଭିଜିଲାନ୍ସ ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ କୃତିତ୍ୱ ଅର୍ଜନ କରିଥିବା ଭିଏଭି ସ୍କୁଲର ରିତେଶ ପଟ୍ଟନାୟକ, ଜାଭିଅର ସ୍କୁଲର ସୌରଭ ସମ୍ବିତ ମିଶ୍ର, ସୌମ୍ୟରଂଜନ ନାୟକ, କୃଷ୍ଣଚନ୍ଦ୍ର ମହାପାତ୍ର, ମଳୟ କୁମାର ଖଣ୍ଡା, ପ୍ରତୀକ କୁମାର ମହାନ୍ତି, ପର୍ଶୁରାମ ମହାପାତ୍ର, ମାଧବୀ ନାୟକ, ପଦ୍ମଜା ରଥ, ବନିତା ବିଶ୍ୱଜିତା, ତନ୍ମୟ ମହାପାତ୍ର ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର