ଭିଜିଲାନ୍ସ ରିପୋର୍ଟ କାର୍ଡ : ଧରା ପଡ଼ିଛନ୍ତି ୬୧ ପ୍ରଥମ ଶ୍ରେଣୀ ଅଧିକାରୀ

କଟକ : ୨୦୧୭ ବର୍ଷରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଆଇଏଏସ୍‌, ଡାକ୍ତର, ଇଂଜିନିୟରଙ୍କ ଭଳି ୬୧ ଜଣ ପ୍ରଥମ ଶ୍ରେଣୀ ପାହ୍ୟାର ସରକାରୀ ଅଧିକାରୀ। ସେମାନଙ୍କ ସହିତ ୬୧ ଜଣ ଦ୍ୱିତୀୟ ଶ୍ରେଣୀ ଏବଂ ୩୮୩ ତୃତୀୟ ଶ୍ରେଣୀ ପାହ୍ୟାର ସରକାରୀ ଅଧିକାରୀ ଅଛନ୍ତି। ୩୫୬ ଜଣ ବେସରକାରୀ ବ୍ୟକ୍ତି ମଧ୍ୟ ଭିଜିଲାନ୍ସ ଜାଲରେ ପଡିଛନ୍ତି। ବର୍ଷକ ଭିତରେ ଏ ପର୍ଯ୍ୟନ୍ତ ଭିଜିଲାନ୍ସ ପକ୍ଷରୁ ୪୫୩ଟି ଅପରାଧିକ ମାମଲା ରୁଜୁ କରାଯାଇଛି ବୋଲି ଆଜି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ବର୍ଷ ପିସି କାରବାର ଉପରେ ଅଙ୍କୁଶ ଲଗାଇବାକୁ ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଜୁନ୍‌ ୨୫ ତାରିଖରୁ ଏ ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନାରେ ଚାଲିଥିବା ପିସି କାରବାର ସଂପର୍କରେ ଛାନଭିନ୍‌ ପାଇଁ ୧୬୦ଟି ଘଟଣାର ଗୋପନୀୟ ଯାଞ୍ଚ କରାଯାଇଥିଲା। ଲୋକଙ୍କ ଠାରୁ ଏହି ସମୟ ଭିତରେ ୩୦୭ଟି ଅଭିଯୋଗ ଆସିଥିବା ବେଳେ ତାହାର ବି ଯାଞ୍ଚ ହୋଇଥିଲା। ୧୫୨ଟି ଘଟଣାର ଯାଞ୍ଚ କରି ୬୨ଟି ଘଟଣାରେ ଅପରାଧିକ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି।

ଭିଜିଲାନ୍ସ ଏସ୍‌ପି ଦେଇଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ୨୮୪ଟି ମାମଲାର ତଦନ୍ତ ସଂପୂର୍ଣ୍ଣ ଶେଷ ହୋଇଥିବା ବେଳେ ୨୭୫ଟି ଘଟଣାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ୫୪ ଜଣ ପ୍ରଥମ ଶ୍ରେଣୀ ଏବଂ ୪୮ ଜଣ ଦ୍ୱିତୀୟ ଶ୍ରେଣୀ ପାହ୍ୟାର ସରକାରୀ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଛି। ସେହିଭଳି ସରକାରୀ ବିଭାଗରେ ୫୯୫ଟି ଦୁର୍ନୀତି ଅଭିଯୋଗର ଯାଞ୍ଚ କରାଯାଇ ୨୫୧ଟି ଅପରାଧିକ ମାମଲା ରୁଜୁ ହୋଇଛି ଏବଂ ୧୦୧ଟି ଘଟଣାରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ବର୍ଷକ ଭିତରେ ୬୨ଟି ଟିକସ ଫାଙ୍କି ଘଟଣାର ଛାନଭିନ୍‌ କରାଯାଇ ୧୮ କୋଟି ୧୯ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଛି। ବନ ବିଭାଗ ସହାୟତାରେ ଭିଜିଲାନ୍ସ ୯୦ଟି ସ୍ଥାନରେ ଚଢଉ କରି ୨ କୋଟି ୮୬ ଲକ୍ଷ ଟଙ୍କା ବନ୍ୟ ସାମଗ୍ରୀ ଜବତ କରିଛି। ଏହି ସମୟ ମଧ୍ୟରେ ଓଏସ୍‌ଆଇସିର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍‌ ଅଫିସର ପାର୍ଥସାରଥୀ ମିଶ୍ରଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲା, ମୟୂରଭଞ୍ଜ ଜିଲ୍ଲାରେ ପୂର୍ବତନ ସହକାରୀ ଯନ୍ତ୍ରୀ ସୁଧିର କୁମାର ବାଗ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିବା ଘଟଣା, କୋରାପୁଟ ଡିଏଫ୍‌ଓ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ବିରୋଧରେ ଲାଞ୍ଚ ମାମଲା, ଡାକ୍ତର ରଂଜନ କୁମାର ମହାପାତ୍ର, ଡାକ୍ତର ରବୀନ୍ଦ୍ର ଜେନା, ଡାକ୍ତର ସୁଧା ସେଠୀ, ପରିବେଶ ବିଭାଗର ଡକ୍ଟର ଅଧିକାରୀ ଅଶୋକ କୁମାର ଚାଟାର୍ଜୀ ପ୍ରମୁଖଙ୍କ ବିରୋଧରେ ମାମଲା ରୁଜୁ ହେବା ଉଲ୍ଲେଖନୀୟ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର