ଭିଜିଲାନ୍ସ ଟା‌ର୍ଗେଟରେ ତଳିଆ କର୍ମଚାରୀ

୫୫ ମାମଲାରେ ୫୭.୨୬ କୋଟି ଟଙ୍କା ଆୟ ବହିର୍ଭୂତ ସଂପତ୍ତି ଅଟକଳ

ଭୁବନେଶ୍ବର: ଭିଜିଲାନ୍ସ ଟାର୍ଗେଟରେ ରାଜ୍ୟ ସରକାରଙ୍କ ତୃତୀୟ ଶ୍ରେଣୀ କର୍ମଚାରୀ। ଅଧିକାଂଶ ସମୟ ବଡ଼ ବଡ଼ିଆ ବାବୁଙ୍କୁ ଛାଡ଼ି ଭିଜିଲାନ୍ସ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପଛରେ ପଡ଼ିଛି। ସେମାନଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ହିସାବ ଖୋଜୁଛି। ମାତ୍ର ୧୦ ମାସ ମଧ୍ୟରେ ଭିଜିଲାନ୍ସ ୨୩୮ଜଣ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିବା ପ୍ରମାଣ କରୁଛି ଭିଜିଲାନ୍ସ ନଜର ସରକାରଙ୍କ ତୃ୍ତୀୟ କର୍ମଚାରୀଙ୍କ ଉପରେ ରହିଛି। ଏହା କୌଣସି ମନ ଗଢ଼ା କଥା ନୁହେଁ ବରଂ ଏଭଳି ତଥ୍ୟ ଖୋଦ ଭିଜିଲାନ୍ସ ବିଭାଗ ଗଣମାଧ୍ୟମକୁ ଦେଇଛି। ଭିଜିଲାନ୍ସ ପକ୍ଷରୁ ଯାହା ସୂଚନା ମିଳିଛି, ଚଳିତ ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟ ଭିଜିଲାନ୍ସ ପକ୍ଷରୁ ୪୧୩ଜଣ ବ୍ୟକ୍ତିଙ୍କ ବିରୋଧରେ ୨୮୭ଟି ମାମଲା ରୁଜୁ ହୋଇଛି। ଏଥିରେ ୩୭ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୩୩ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ, ୨୩୮ଜଣ ତୃତୀୟ ଶ୍ରେଣୀ କର୍ମଚାରୀ, ୧୨ଜଣ ଚତୁର୍ଥ ‌ଶ୍ରେଣୀ, ୨୯ ଅନ୍ୟ ସରକାରୀ କର୍ମଚାରୀ ଓ ୬୪ଜଣ ବେସରକାରୀ କର୍ମଚାରୀ ରହିଛନ୍ତି। ୨୮୭ ମାମଲାରୁ ୫୫ଟି ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲା ରହିଛି। ତହିଁରୁ ୫୭ଜଣ ସରକାରୀ କର୍ମଚାରୀ ଓ ୨୩ଜଣ ‌ବେସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ହୋଇଛି। ଏଥିରେ ସମୁଦାୟ ୫୭.୨୬ କୋଟି ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଅଟକଳ ହୋଇଥିବା ବେଳେ ଗୋଟିଏ ମାମଲାରେ ସର୍ବାଧିକ ପ୍ରାୟ ୭ କୋଟି ଟଙ୍କାର ସଂପତ୍ତି ହିସାବ କରାଯାଇଛି। ସେହିପରି ଲାଞ୍ଚ ନେବା ସମୟରେ ୧୫୫ ସରକାରୀ ଓ ୨ଜଣ ବେସରକାରୀ କର୍ମଚାରୀ ଧରା ପଡ଼ିଥିବା ବେଳେ ସେମାନଙ୍କ ବିରୋଧରେ ୧୪୮ ମାମଲା ରୁଜୁ ହୋଇଛି। ସେମାନଙ୍କଠାରୁ ୧୨.୭୧ଲକ୍ଷ ଲାଞ୍ଚ ଟଙ୍କା ଜବତ ହୋଇଛି। ଗତ ୧୦ ମାସ ମଧ୍ୟରେ ୮୪ଟି ସରକାରୀ ଅର୍ଥ ହେରଫେର୍‌ ମାମଲା ରୁଜୁ କରିଛି ଭିଜିଲାନ୍ସ। ଏଥିରେ ୧୩୭ଜଣ ସରକାରୀ କର୍ମଚାରୀ ଓ ୩୯ଜଣ ବେସରକାରୀ କର୍ମଚାରୀଙ୍କୁ ମିଶାଇ ୧୭୬ଜଣଙ୍କ ବିରୋଧରେ ମାମଲା ହୋଇଛି। ସେମାନଙ୍କ ମଧ୍ୟରେ ୧୫ଜଣ ପ୍ରଥମ ଶ୍ରେଣୀ ଅଧିକାରୀ, ୧୧ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ, ୮୯ ତୃତୀୟ ଶ୍ରେଣୀ କର୍ମଚାରୀ, ୨୨ଜଣ ଅନ୍ୟ ସରକାରୀ ଓ ୩୯ଜଣ ବେସରକାରୀ କର୍ମଚାରୀ ରହିଛନ୍ତି।

୮୪ ହେରଫେର ମାମଲା, ୨୩ ସରକାରୀ କର୍ମଚାରୀ ବହିଷ୍କୃତ
୪୧୩ ବ୍ୟକ୍ତିଙ୍କ ବିରୋଧରେ ୨୮୭ ଆପରାଧିକ ମାମଲା

ଏହି ସବୁ ମାମଲାରେ ୮.୨୦ କୋଟି ଟଙ୍କା ହେରଫେର ହୋଇଥିବା ଭିଜିଲାନ୍ସ ହିସାବ କରିଛି। ଦୁର୍ନୀତି ଅଭିଯୋଗରେ ୪୯୪ ବ୍ୟକ୍ତିଙ୍କ ବିରୋଧରେ ୩୮୩ଟି ମାମଲାର ତଦନ୍ତ ହୋଇଛି। ସେଥିରୁ ୨୭୩ଟି ମାମଲାର ଫଇସଲା ହୋଇଥିବା ବେଳେ ୮୩ଟି ମାମଲାରେ ସଂପୃକ୍ତ ବିଭାଗ କର୍ତ୍ତୃପକ୍ଷଙ୍କ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ହସ୍ତାନ୍ତର କରାଯାଇଛି। ତହିଁରେ ୧୨୪ଟି ତଦନ୍ତରେ ଆପରାଧିକ ମାମଲା ରୁଜୁ ହୋଇଛି। ସେହିପରି ୧୬୮ଟି ମାମଲାରେ ତଦନ୍ତ ସହ ଫଇସଲା ହୋଇଥିବା ବେଳେ ୧୬୦ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି। ଏଥିରେ ୨୯ ପ୍ରଥମ, ୨୪ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ, ୧୮୩ ତୃତୀୟ, ୩ ଚତୁର୍ଥ ‌ଶ୍ରେଣୀ କର୍ମଚାରୀ, ୫ ଅନ୍ୟ ସରକାରୀ କର୍ମଚାରୀ ଓ ୭୯ ବେସରକାରୀ ବ୍ୟକ୍ତିଙ୍କୁ ମିଶାଇ ସମୁଦାୟ ୩୨୩ ବ୍ୟକ୍ତିଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି। ଯାହାର ହାର ୯୫.୨୩ ପ୍ରତିଶତ ବୋଲି ଭିଜିଲାନ୍ସ କହିଛି। ଭିଜିଲାନ୍ସ ପକ୍ଷରୁ ଯେତିକି ମାମଲା ରୁଜୁ ହୋଇଛି, ତହିଁରେ ୨୨ଜଣ ପ୍ରଥମ, ୧୫ ଦ୍ବିତୀୟ ଶ୍ରେଣୀ ଅଧିକାରୀ, ୧୪୧ ତୃତୀୟ ଓ ୯ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ୫ ଅନ୍ୟ ସରକାରୀ କର୍ମଚାରୀଙ୍କୁ ମିଶାଇ ୧୯୭ଜଣଙ୍କୁ ଭିଜିଲାନ୍ସ ଗିରଫ କରିଛି। ୯୫ଟି ମାମଲାର ବିଚାର କରାଯାଇ ଫଇସଲା ହୋଇଛି। ଏଥିରେ ୧୭ଜଣ ପ୍ରଥମ, ୯ଜଣ ଦ୍ବିତୀୟ ଶ୍ରେଣୀ ଅଧିକାରୀ, ୭୦ ଜଣ ତୃତୀୟ, ଜଣେ ଚତୁର୍ଥ ଶ୍ରେଣୀ, ୮ଜଣ ଅନ୍ୟ ସରକାରୀ କର୍ମଚାରୀ ଓ ୧୩ଜଣ ଅଣ ସରକାରୀ କର୍ମଚାରୀଙ୍କୁ ମିଶାଇ ମୋଟ ୧୧୮ଜଣ ଦଣ୍ଡିତ ହୋଇଛନ୍ତି। ଦଣ୍ଡାଦେଶ ହାର ୫୧ ପ୍ରତିଶତ। ୨୦୧୬-୧୭ରେ ଏହା ୪୭ ପ୍ରତିଶତ ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ୨୩ଜଣ ସରକାରୀ କର୍ମଚାରୀ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ଭିଜିଲାନ୍ସର ବାଣିଜ୍ୟିକ କର ୱିଙ୍ଗ ପକ୍ଷରୁ ଠକ ବେପାରୀ ଓ ପ୍ରସ୍ତୁତକାରୀ ୟୁନିଟ୍ ବିରୋଧରେ ୨୦ଟି ଟିକସ ଫାଙ୍କିବା ମାମଲାରେ ୪.୧କୋଟି ଟଙ୍କା ଆଦାୟ ହୋଇଛି। ସେହିପରି ଫରେଷ୍ଟ ୱିଙ୍ଗ ୯୭ଟି ଏକକାଳୀନ ଚଢ଼ଉରେ ୩.୬୧ କୋଟି ଟଙ୍କାର ମୂଲ୍ୟବାନ୍‌ ଗଛ ଜବତ କରିବା ସହ ୪୪ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର