ନିର୍ବାଚନ ବେଳେ ନବୀନଙ୍କୁ ସୁରଟ ମନେପଡ଼ିଲା: ରୂପାନୀ

ଆୟୁଷ୍ମାନ ଓ ଚିଟ୍‌ଫଣ୍ଡ୍‌ ପ୍ରସଙ୍ଗ ଉଠା‌ଇଲେ, ବିଜେପି ଭୟଭୀତ ଓ ଆତଙ୍କିତ: ବିଜେଡି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁରଟ ଗସ୍ତରେ ଯାଇଛନ୍ତି। ସେଠାରେ ସେ ପ୍ରବାସୀ ଓଡ଼ିଆଙ୍କ ସୁଖଦୁଃଖ ବୁଝିବା ସହ ଓଡ଼ିଆ ମହୋତ୍ସବରେ ଯୋଗ ଦେଇଛନ୍ତି। ଏପଟେ ଓଡ଼ିଶା ଗସ୍ତରେ ଆସିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ରାଫେଲ ପ୍ରସଙ୍ଗରେ କହିବାକୁ ସେ ଆସିଥିଲେ ମଧ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବାର କୌଣସି ସୁଯୋଗ ହାତଛଡ଼ା କରିନାହାନ୍ତି। ସିଧାସଳଖ କହିଛନ୍ତି, ୧୯ ବର୍ଷ ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସୁରଟ କଥା ମନେ ପଡ଼ୁ ନ ଥିଲା। ଠିକ୍ ନିର୍ବାଚନ ବେଳେ ତାଙ୍କର ମନେ ପଡ଼ିଛି ଓ ସେ ସୁରଟ ଯାଇଛନ୍ତି।

ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଗୁଜୁରାଟ ଗସ୍ତ ଦିନ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ଯୋଜନାବଦ୍ଧ ନୁହେଁ କି ବୋଲି ପ୍ରଶ୍ନରେ ଶ୍ରୀ ରୂପାନୀ କହିଥିଲେ, ଏହା ସ‌ଂଯୋଗ। ରାଫେଲ୍ ପ୍ରସଙ୍ଗରେ କିଏ କେଉଁଠି ସାମ୍ବାଦିକ ସମ୍ମିଳନୀ କରିବେ, ତାହା ବିଜେପିର ରାଷ୍ଟ୍ରୀୟ ନେତୃତ୍ବ ସ୍ଥିର କରିଥିଲେ। ମୋତେ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରିବା ପାଇଁ କୁହାଗଲା। ମୁଁ ଆସିଲି। ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଗୁଜୁରାଟ ଗସ୍ତ ସହ କୌଣସି ସମ୍ପର୍କ ନାହିଁ।

ସୁରଟରେ ରହୁଥିବା ଓଡ଼ିଆଙ୍କ ପାଇଁ ଗୁଜୁରାଟ ସରକାର ବହୁ କାମ କରୁଛନ୍ତି ବୋଲି ଦର୍ଶାଇ ସେ କହିଥିଲେ, ସେଠାରେ ଓଡ଼ିଆମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପକ୍କା ଘର ଯୋଗାଇ ଦିଆଯାଇଛି। ସେମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରତି ସରକାର ଯଥେଷ୍ଟ ଧ୍ୟାନ ଦେଉଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ପଢ଼ାଯାଉଥିବା ୭ଟି ସ୍କୁଲ୍‌କୁ ସରକାରୀ ସ୍ବୀକୃତି ଦିଆଯାଇଛି। ଓଡ଼ିଆଙ୍କୁ ବିଜୁଳି, ପିଇବା ପାଣି, ଗମନାଗମନ, ସ୍ବାସ୍ଥ୍ୟାବସ୍ଥା ଯୋଗାଇବାକୁ ଯାଇ ସୁରଟ ମହାନଗର ନିଗମ ୨୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛି। ଆଗାମୀ ଦିନରେ ଓଡ଼ିଆମାନଙ୍କୁ ଟ୍ରାନ୍‌ଜିଟ୍ ହାଉସ୍ ଯୋଗାଇଦେବା ପାଇଁ କାର୍ଯ୍ୟ କରାଯାଉଛି।

ସୁରଟ‌ର ସୂତାକଳଗୁଡ଼ିକରେ ଓଡ଼ିଆମାନଙ୍କୁ ଅଧିକ ସମୟ ଖଟାଯାଉଛି ବୋଲି ଅଭିଯୋଗ ଉପରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏହାକୁ ଅସ୍ବୀକାର କରିଥିଲେ। ଶ୍ରମ ଆଇନ୍‌ ଅନୁଯାୟୀ ସେଠାରେ ସବୁ କାମ କରାଯାଉଛି ଓ ଯିଏ ଆଇନ୍‌ ଭାଙ୍ଗୁଥିବ ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଆୟୁଷ୍ମାନ ପ୍ରସଙ୍ଗରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟକୁ ନାପସନ୍ଦ କରି ଶ୍ରୀ ରୂପାନୀ କହିଲେ, କେନ୍ଦ୍ର ସରକାରଙ୍କ ଯେ କୌଣସି ଯୋଜନା ସାରା ଦେଶର ଲୋକଙ୍କ ପାଇଁ ହୋଇଥାଏ। ତେଣୁ ରାଜ୍ୟ ସରକାର ନିଜ ରାଜ୍ୟରେ ଲାଗୁ କରିବାରେ ଆଦୌ କୁଣ୍ଠାବୋଧ କରିବା ଉଚିତ ନୁହେଁ। ଆୟୁଷ୍ମାନ ଯୋଜନାର ହିତାଧିକାରୀଙ୍କୁ ସାରା ଦେଶର ସବୁ ହସ୍ପିଟାଲ୍‌ରେ ଚିକିତ୍ସା ସୁବିଧା ମିଳିବ। କିନ୍ତୁ ଏଠାରେ ଲାଗୁ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ କେବଳ ରାଜ୍ୟ ଭିତରେ ଚିକିତ୍ସା ସୁବିଧା ମିଳିବ।ଚିଟ୍‌ଫଣ୍ଡ୍‌ ପ୍ରସଙ୍ଗ ଉଠାଇ ଶ୍ରୀ ରୂପାନୀ କହିଲେ, ସୁରଟରେ ରହୁଥିବା ଓଡ଼ିଆମାନେ ବହୁତ ପରିଶ୍ରମୀ। ବହୁତ ପରିଶ୍ରମ କରି ସେମାନେ କିଛି କିଛି ଅର୍ଥ ସଞ୍ଚୟ କରିଥିଲେ। କିନ୍ତୁ ବହୁ ଲୋକ ଚିଟ୍‌ଫଣ୍ଡ୍‌ର ଶିକାର ହୋଇଛନ୍ତି। ସେମାନଙ୍କ କଷ୍ଟ ଉପାର୍ଜିତ ଧନ ବୁଡ଼ିଯାଇଛି। ନବୀନ ବାବୁ ସେମାନଙ୍କ କଥା ଆଗେ ବୁଝନ୍ତୁ। ସେମାନଙ୍କ ଅର୍ଥ କିପରି ଫେରିପାଇବେ, ତାହାର ବ୍ୟବସ୍ଥା କରନ୍ତୁ।

ଶ୍ରୀ ରୂପାନୀଙ୍କ ଗସ୍ତ ଅବସରରେ ଗଞ୍ଜାମ ଜିଲ୍ଲାରୁ ଏକ ପ୍ରତିନିଧି ଦଳ ତାଙ୍କୁ ଭେଟିଥିଲେ। ଗଞ୍ଜାମର ବହୁ ଲୋକ ସୁରଟରେ ରହି କାର୍ଯ୍ୟ କରୁଛନ୍ତି। ଗୁଜୁରାଟ ସରକାର ଓଡ଼ିଆମାନଙ୍କ ପାଇଁ ବହୁ କାର୍ଯ୍ୟ କରୁଥିବାରୁ ଏହି ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ତେବେ ଶ୍ରୀ ରୂପାନୀଙ୍କ ଏପରି ମନ୍ତବ୍ୟକୁ ନିନ୍ଦା କରିଛି ବିଜେଡି। ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଗୁଜୁରାଟ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସି ସାମ୍ବାଦିକ ସମ୍ମିଳନୀ କରିବା ସ୍ପଷ୍ଟ ପ୍ରମାଣ କରୁଛି ଯେ ବିଜେପି ଭୟଭୀତ ଓ ଆତଙ୍କିତ। ଶ୍ରୀ ରୂପାନୀ ଯେଉଁ ଅଭିଯୋଗ କରିଛନ୍ତି ଯେ ୧୮ ବର୍ଷ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଗୁଜୁରାଟର ଓଡ଼ିଆ ଭାଇଭଉଣୀଙ୍କ କଥା ମନେ ପଡ଼ିଲା, ଯାହା ଏକ ହାସ୍ୟାସ୍ପଦ କଥା। ସେ ପ୍ରଥମ ଥର ପାଇଁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସେ ଜାଣିବା ଦରକାର ‌ବିଗତ ୧୮ ବର୍ଷ ହେଲା ବିଜେଡି ଶାସନ କାଳ ମଧ୍ୟରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଦଳ ତରଫରୁ ଓ ସରକାରଙ୍କ ତରଫରୁ ମନ୍ତ୍ରୀ, ବିଧାୟକ ଓ ଦଳୀୟ ନେତା ଗୁଜୁରାଟ ଯାଆନ୍ତି। ଏକଥା ବୋଧେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଜାଣନ୍ତି ନାହିଁ। ଓଡ଼ିଶା ସରକାର ବିଭିନ୍ନ ସମୟରେ ଚିଟ୍‌ଫଣ୍ଡ୍ ସଂସ୍ଥାଗୁଡ଼ିକ ଉପରେ ଚଢ଼ଉ କରିବା ସଙ୍ଗେ ସଙ୍ଗେ ଅନେକ ଲୋକଙ୍କୁ ଜେଲ୍‌କୁ ପଠାଇଛନ୍ତି ଓ କୋର୍ଟଙ୍କ ନି‌େର୍ଦ୍ଦଶକ୍ରମେ ବିଭିନ୍ନ ସଂସ୍ଥାର ଯାଞ୍ଚ୍ ପ୍ରକ୍ରିୟା ଚାଲିଛି। ଗୁଜୁରାଟର ଯେଉଁ ଚିଟ୍‌ଫଣ୍ଡ୍‌ କମ୍ପାନି ସେଠାକାର ଲୋକଙ୍କୁ ଠକିଛନ୍ତି, ସେ ବିଷୟରେ ଗୁଜୁରାଟ ସରକାର କ’ଣ ପଦକ୍ଷେପ ନେଇଛନ୍ତି? ଗୁଜୁରାଟରୁ ଆସି ଓଡ଼ିଶାରେ ମତମନ୍ତବ୍ୟ ଦେଲେ ଲୋକଙ୍କ ମନ ପରିବର୍ତ୍ତନ ହୋଇଯିବ ନାହିଁ।

ସମ୍ବନ୍ଧିତ ଖବର