ଯାଜପୁର : ଗାଁ ଆଲୁଅ କେଳେଙ୍କାରୀ, ଚାରି ବିଡିଓଙ୍କୁ ତାଗିଦ

ଯାଜପୁର : ଗାଁ ଆଲୁଆ କେଳେଙ୍କାରୀରେ କୋଟି କୋଟି ଟଙ୍କା କାରବାର ଚାଲିଥିବା ବେଳେ କେତେକ ସରପଞ୍ଚ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଷ୍ଟ୍ରିଟ୍ ଲାଇଟ୍ ଲଗାଇବା ଆଳରେ ନିମ୍ନମାନର ଉପକରଣ ଓ ବଲ୍ ଲଗାଇ ହରିଲୁଟ୍ କରିଚାଲିଛନ୍ତି। ଅଥଚ ବିଦ୍ୟୁତ ବିଲ୍ ପ୍ରଦାନ କରାଯାଉନାହିଁ। ଠିକାଦାର ମୋଟା ଅଙ୍କର ମୁନାଫା କମାଇ ମାଲାମାଲ ହେଉଛି। ମାତ୍ର ବିଦ୍ୟୁତ ଯୋଗାଣକାରୀ ସଂସ୍ଥା ସେସୁର ଆର୍ଥିକ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏଭଳି ସ୍ଥିତିକୁ ନେଇ ଯାଜପୁର ଜିଲ୍ଲାର ଚାରି ଜଣ ବିଡିଓଙ୍କୁ ସେସୁ ଅଧିକାରୀ ତାଗିଦ କରିଛନ୍ତି।

ଅଭିଯୋଗରୁ ଜଣାଯାଇଛି ଯେ, ଗାଁ ଆଲୋକୀକରଣ ନାମରେ ଅଧିକ ପିସି ମିଳୁଥିବାରୁ କେତେକ ସରପଞ୍ଚ ଉନ୍ନୟନ କାମକୁ ଅଣଦେଖା କରି ଏହି କାରବାରରେ ମାତିଛନ୍ତି। ଏହାର ଫାଇଦା ନେଇ ଠିକାଦାର ବେଶ୍‌ ମୁନାଫା କମାଇବାରେ ଲାଗିପଡ଼ିଛନ୍ତି। ଗାଁ ଗାଁରେ ଲାଗୁଥିବା ବିଦ୍ୟୁତ୍ ଆଲୋକ ବିଲ୍ ବାବଦରେ କୋଟି କୋଟି ଟଙ୍କା ସାଧାରଣ ଉପଭୋକ୍ତାଙ୍କ ଉପରୁ ବିଦ୍ୟୁତ ଯୋଗାଣ ସଂସ୍ଥା ଆଦାୟ କରୁଛି। ଗତକାଲି ସେସୁର ସିଇଓ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ଯେଉଁ ସୂଚନା ଦେଇଛନ୍ତି, ତାହା ତାଜୁବ ହେଲାଭଳି। ୧୯୭୧କୋଟି ଟଙ୍କା ବିଦ୍ୟୁତ ଦେୟ ବାକି ରହିଥିବା ସୂଚନା ମିଳିଛି।

ପଞ୍ଚାୟତ ପକ୍ଷରୁ ଏଭଳି ବେଆଇନ ବିଦ୍ୟୁତକରଣକୁ କିଏ ପ୍ରୋତ୍ସାହିତ କରୁଛି! ସେସୁର ବାଲିଚନ୍ଦ୍ରପୁର ଏସ୍‌ଡ଼ିଓ ୪ଜଣ ବିଡିଓ ବଡ଼ଚଣା, ଧର୍ମଶାଳା, ମହାଙ୍ଗା ଓ ଟାଙ୍ଗି ଚୌଦ୍ବାରଙ୍କୁ ଆଜି ନୋଟିସ୍ କରିଛନ୍ତି। ଏହି ବ୍ଲକ୍ ଗୁଡ଼ିକରେ କେତେକ ସରପଞ୍ଚ ବିଭାଗ(ସେସୁ)ର ବିନା ଅନୁମତିରେ ଗାଁ ଗାଁରେ ବିଦ୍ୟୁତ୍‌କରଣ କରି ଷ୍ଟ୍ରିଟ୍ ଲାଇଟ୍ ଲଗାଉଛନ୍ତି। ଏହି ବାବଦରେ ବିଦ୍ୟୁତ ଦେୟ ଦେଉନାହାଁନ୍ତି। ଏହି ବାବଦରେ ବ୍ୟାପକ ରାଜସ୍ବ କମ୍ପାନି ହରାଉଛି। ସେହିପରି ବିଦ୍ୟୁତ ଦୁର୍ଘଟଣା ଏଡ଼ାଇବା ପାଇଁ ଏହି ବେଆଇନ କାରବାରକୁ ବନ୍ଦ କରିବାକୁ ମଧ୍ୟ ବିଡ଼ିଓଙ୍କର ସେସୁ ଅଧିକାରୀ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସମ୍ବନ୍ଧିତ ଖବର