ମଶାଣିରେ ବି ଭେଦ ବିଚାର : ଗରିବଙ୍କ ସମାଧି ଭାଙ୍ଗିଲେ, ଧନୀଙ୍କୁ ଛାଡ଼ିଲେ!

ଭୁବନ : କୁହାଯାଏ ମଶାଣି ଭୂଇଁ ସମସ୍ତଙ୍କୁ ସମାନ କରିଦିଏ। ଧନୀ-ନିର୍ଧନ, ଜ୍ଞାନୀ-ଅଜ୍ଞାନ ସମସ୍ତଙ୍କୁ ଏକାକାର କରିଦିଏ ଏହି ମାଟି। କିନ୍ତୁ ଭୁବନ ଏନ୍‌ଏସି ଅଞ୍ଚଳର ଏକ ଶ୍ମଶାନରେ ଦାହ ହୋଇଥିବା ଧନୀ ଓ ଗରିବ ଲୋକଙ୍କ ସମାଧିକୁ ନେଇ ବାଛବିଚାର ଏବେ ଅଂଚଳବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଏନଏସି କର୍ତ୍ତୃପକ୍ଷ ଏହି ଶ୍ମଶାନର ଉନ୍ନତୀକରଣ ଲାଗି ସେଥିରେ ଥିବା ସମସ୍ତ ସମାଧିଗୁଡ଼ିକ ଭାଂଗି ଦେଇଥିଲା ବେଳେ ସହରର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମାଧିକୁ ଛାଡ଼ିଦେବା ଘଟଣା କେବଳ ସାଧାରଣରେ ସଂଶୟ ସୃଷ୍ଟି କରିନାହିଁ; ବରଂ ଧନ ଓ ପ୍ରଭାବ ଆଗରେ ପ୍ରଶାସନ ଯେ କିଭଳି ଅସହାୟ ହୋଇପଡ଼େ ତାର ଏକ ଉଦାହରଣ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଭୁବନ ଏନ୍‌ଏସି ଅଞ୍ଚଳର ୫ଟି ଶ୍ମଶାନର ଉନ୍ନତୀକରଣ କାର୍ଯ୍ୟ ଏନ୍‌ଏସି କର୍ତୃପକ୍ଷ ହାତକୁ ନେଇଛନ୍ତି। ତନ୍ମଧ୍ୟରୁ ୨୦ ଲକ୍ଷ ୪୯ ହଜାର ଟଙ୍କା ବ୍ୟୟ ଅଟକଳରେ ରଗଡ଼ି ନାଳ କୂଳ ଅଷ୍ଟଶମ୍ଭୁ ମନ୍ଦିର ପାଖ ଶ୍ମଶାନର ଉନ୍ନତୀକରଣ କରାଯାଉଛି। ରଗଡି ନାଳର ପଶ୍ଚିମ ପାର୍ଶ୍ୱରେ ଥିବା ଏହି ଶ୍ମଶାନରେ ଲତାବିଲ, ଅରାସାହି , ବଡ଼ହାଟ, ବାଜିଛକ, ବାସୁଦେଇପୁର, ବାରିଜଙ୍ଗ, ମିରିଗଚରା, ଭିତରଦିଗ ପାଟଣା ଅଞ୍ଚଳବାସୀ ଶବ ଦାହ କରୁଛନ୍ତି। ଶ୍ମଶାନର ସୁରକ୍ଷା ପାଇଁ ଚାରିପାଖେ ପାଚେରି ନିର୍ମାଣ ସହ ଭିତର ପରିସରକୁ ସଂପୂର୍ଣ୍ଣ କଂକ୍ରିଟ୍‌ କରାଯିବ। ସେହିପରି ପାନୀୟ ଜଳ, ଆଲୋକ ବ୍ୟବସ୍ଥା ସହ ଶବଦାହ କରୁଥିବା ମାଲଭାଇଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ କରାଯିବ। ଶ୍ମଶାନ ନିକଟରେ ଥିବା ସର୍ବସାଧାରଣ ରାସ୍ତାରେ ଲୋକେ ଚଳପ୍ରଚଳ ହେଉଛନ୍ତି। ଏଠାରେ ଥିବା ସମାଧିଗୁଡ଼ିକ ଯୋଗୁଁ ଜନସାଧାରଣ ଭୟ କରୁଛନ୍ତି। ତେଣୁ ସମାଧିଗୁଡ଼ିକ ଭାଙ୍ଗିଦିଆଯିବାକୁ ଅଞ୍ଚଳର କେତେକ ବ୍ୟକ୍ତି ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ। ଜିଲ୍ଲାପାଳ ଓ ଭୁବନ ତହସିଲଦାରଙ୍କ ନିର୍ଦେଶକ୍ରମେ ଶ୍ମଶାନରେ ଥିବା ବହୁ କାଳର ସମାଧି ସବୁ ଭାଙ୍ଗି ଦିଆଯାଇଛି। କିନ୍ତୁ ମଧ୍ୟସ୍ଥଳରେ ଥିବା ଗୋଟିଏ ସମାଧି ଭଙ୍ଗାଯାଇନାହିଁ। ଏହି ସମାଧିଟି ଭୁବନର ଜଣେ ବିଶିଷ୍ଟ ବ୍ୟବସାୟୀ ତଥା ପ୍ରଭାବଶାଳୀ ବ୍ୟକ୍ତି ଗୌରାଙ୍ଗ ଚରଣ ପୋଥାଳଙ୍କର। ବହୁ ଗରିବ ଲୋକଙ୍କ ସମାଧି ଭାଙ୍ଗି ଦିଆଯାଇଥିବାବେଳେ ସ୍ବର୍ଗତ ପୋଥାଳଙ୍କ ସମାଧି କାହିଁକି ଛାଡ଼ିଦିଆଯାଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂପର୍କରେ ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରମୋଦ ବରାଳଙ୍କୁ ପଚାରିବାରୁ ଜିଲ୍ଲାପାଳ ଓ ତହସିଲଦାରଙ୍କ ନିର୍ଦେଶ ମୁତାବକ ସମାଧି ସବୁ ଭଙ୍ଗାଯାଇ ଶ୍ମଶାନର ଉନ୍ନତୀକରଣ ଚାଲିଛି ବୋଲି କହିଛନ୍ତି। କିନ୍ତୁ କାହିଁକି ଗୋଟିଏ ସମାଧି ଛାଡ଼ିଦିଆଯାଇଛି, ତଦନ୍ତ ପରେ ଏ ନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବରାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର