‘ଗ୍ରାମୀଣ ବୈଷୟିକ ଉଦ୍ୟାନ’କୁ ମୁଖ୍ୟ ଶାସନ ସଚିବ ଉଦ୍‌ଘାଟନ କଲେ : ଦୁଇ ମାସରେ ଘର ନିର୍ମାଣ ହୋଇଯିବ

ଭୁବନେଶ୍ୱର : ଏଣିକି ପକ୍‌କା ଘର ନିର୍ମାଣ ପାଇଁ ମାସାଧିକ ସମୟ ଲାଗିବନି। ନିଅ ଖୋଳା ହେବାର ଦୁଇ ମାସ ମଧ୍ୟରେ ଘର ନିର୍ମାଣ ଶେଷ ହେବ। କମ୍‌ ସମୟରେ ଘରେ ନିର୍ମାଣ ହେବ ଆଉ ପୂର୍ବରୁ ଯେତିକି ଅର୍ଥ ଖର୍ଚ୍ଚ ହେଉଥିଲା ତା’ର ୨୦% କମ୍‌ ଅର୍ଥ ଖର୍ଚ୍ଚ ହେବ। ଏଥିପାଇଁ ନୂତନ ଜ୍ଞାନ କୌଶଳ ପ୍ରୟୋଗ ହେବ। ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ ପରିସରରେ ନିର୍ମାଣ ହୋଇଥିବା ‘ଗ୍ରାମୀଣ ବୈଷୟିକ ଉଦ୍ୟାନ’କୁ ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଉଦ୍‌ଘାଟନ କରିଛନ୍ତି।

ମୁଖ୍ୟ ସଚିବ ଏହି ଉଦ୍ୟାନରେ ବ୍ୟବହୃତ ବୈଷୟିକ କୌଶଳଗୁଡ଼ିକର ଅନୁଧ୍ୟାନ କରିବା ସହ ଏଥିରେ ତାଲିମ୍‌ ନେଉଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ନିର୍ମାଣ ସାମଗ୍ରୀର ବ୍ୟାବସାୟିକ ଉତ୍ପାଦନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ବ୍ଲକ ଓ ପଞ୍ଚାୟତ ସ୍ତରରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ତାଲିମ୍‌ ଦିଆଯିବ। ଏଥିପାଇଁ ଗ୍ରାମୀଣ ବୈଷୟିକ ଉଦ୍ୟାନ ତରଫରୁ ବୈଷୟିକ କୌଶଳ ଓ ତାଲିମ୍‌ ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କା ଘର ଯୋଜନା, ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନା ଆଦିର ହିତାଧିକାରୀଙ୍କ ବ୍ୟତୀତ ଅନ୍ୟମାନେ ମଧ୍ୟ ସ୍ୱଳ୍ପ ମୂଲ୍ୟଯୁକ୍ତ ଏହି ନିର୍ମାଣ ସାମଗ୍ରୀମାନ କ୍ରୟ କରିପାରିବେ। ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ସଚିବ ଦେଓ ରଂଜନ କୁମାର ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର