ଗାଁରୁ ସହର, ସବୁଠି ରଙ୍ଗର ଆସର

ଆଜି ରଙ୍ଗର ପର୍ବ ହୋଲି । ପ୍ରେମ ରଙ୍ଗରେ ଦେହ ମନକୁ ରଙ୍ଗିନ କରିବାର ପର୍ବ । ଭାଇଚାରା ଓ ସଦଭାବନାର ପର୍ବ ଓ ପରସ୍ପର ମଧ୍ୟରେ ଖୁସି ବାଣ୍ଟିବାର ପର୍ବ । ରାଗ ଦ୍ୱେଷ ଭୁଲି ପରସ୍ପରକୁ ରଙ୍ଗ, ଅବିର ବୋଳି ଶୁଭେଛା ଜଣାଉଛନ୍ତି ସମସ୍ତେ । ସୁରକ୍ଷା ଦୃଷ୍ଟିରୁ ଲୋକେ ହର୍ବାଲ ହୋଲି ଖେଳୁଛନ୍ତି । ଗାଁରୁ ଆରମ୍ଭ କରି ସହର ଯାଏଁ ସବୁଠି ଦେଖିବାକୁ ମିଳିଛି ରଙ୍ଗର ଆସର। ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ଜଣାଶୁଶା ବ୍ୟକ୍ତିଙ୍କ ଯାଏଁ, ସଭିଏଁ ନିଜ ଢ଼ଙ୍ଗରେ ପାଳିଛନ୍ତି ହୋଲି।

ରାଜଧାନୀର ବିଭିନ୍ନ ସ୍ଥାନରେ ଖୁବ ଉତ୍ସାହର ସହ ହୋଲି ଖେଳାଯାଉଛି । ରଙ୍ଗର ପର୍ବରେ ରଂଗିନ ହୋଇଛି ଏକାମ୍ର ନଗରୀ । ଛୋଟରୁ ବଡ ସମସ୍ତେ ଫଗୁରେ ରଂଗିନ ହୋଇଛନ୍ତି । ତେବେ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ ଓରାମ ମଧ୍ୟ ହୋଲିକୁ କର୍ମୀଙ୍କ ମଧ୍ୟରେ ପାଳନ କରିଛନ୍ତି । ବିଜେପି କର୍ମୀମାନେ ଜୁଏଲ ଓରାମଙ୍କୁ ଅବିର ଲଗାଇ ହୋଲି ଶୁଭେଚ୍ଛା ଜଣାଇଛନ୍ତି।ସେହିପରି, ରାଜଧାନୀରେ ବିଭିନ୍ନ ଦଳର ନେତା ବି ପାଳିଛନ୍ତି ରଙ୍ଗର ପର୍ବ ହୋଲି । ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ, ଅରୁଣ ସାହୁ ଓ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ବି ପାଳିଛନ୍ତି ରଙ୍ଗର ପର୍ବ ହୋଲି । ଓଲିଉଡ ଅଭିନେତା ଅରିନ୍ଦମ ଆନନ୍ଦର ସହ ହୋଲି ପାଳନ କରିଛନ୍ତି । ସମ୍ବଲପୁରରେ ବି ହୋଲି ପାଳନ ଧୁମଧାମରେ ଚାଲିଛି । ସମସ୍ତେ ରଙ୍ଗ ଖେଳରେ ମସଗୁଲ ଅଛନ୍ତି । ରଙ୍ଗର ପର୍ବ ହୋଲି ପାଳନରେ ସମସ୍ତେ ମସଗୁଲ । ତେବେ ଆଜିର ଦିନରେ ବି ନିଜର କର୍ତବ୍ୟରେ ବ୍ୟସ୍ତ ପୁଲିସ କର୍ମଚାରୀ । ଶାନ୍ତିଶୃଙ୍ଖଳାର ସହ ହୋଲି ପାଳନ କରିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ହୋଲି ପାଳିବାକୁ ବି ପଛଘୁଞ୍ଚା ଦେଇ ନାହାନ୍ତି ବିଦେଶୀ ପର୍ଯ୍ୟଟକ । ଋଷିଆ, ସ୍ପେନ ଓ ଜାପାନରୁ ଆସିଥିବା ପର୍ଯ୍ୟଟକମାନେ କୋଣାର୍କରେ ଅବିର ରଙ୍ଗ ସହ ପାଳନ କରିଛନ୍ତି ରଙ୍ଗର ପର୍ବ ହୋଲି । ଅବିର ସହ ହଳଦି, ଚନ୍ଦନ, ମୁଲତାନି ମାଟି, କୁମ୍କୁମ୍, ବେଲପତ୍ର ଓ କଲରା ପତ୍ର ରସରେ ବିଦେଶୀ ପର୍ଯ୍ୟଟକ ହୋଲି ମନାଇଛନ୍ତି । ଏହାସହ ଭାରତୀୟ ବେଶରେ ସଜେଇ ହୋଇ ଏମାନେ ମନାଇଛନ୍ତି ରଙ୍ଗର ପର୍ବର ହୋଲି ।

ଜମ୍ମୁ ଅନ୍ତର୍ଜାତୀୟ ସୀମାରେ ହୋଲି ପାଳନ କରିଛନ୍ତି ଯବାନ । ଦେଶର ସୁରକ୍ଷା ସୀମାରେ ନିୟୋଜିତ ବିଏସଏଫ ଯବାନ ହୋଲି ପର୍ବ ପାଳନ କରିଛନ୍ତି । ପରିବାର ଠାରୁ ଦୂରରେ ରହି ପ୍ରତିମୁହୂର୍ତରେ ବିପଦକୁ ସାମ୍ନା କରୁଥିବା ଯବାନ ପରସ୍ପରକୁ ଅବରି ବୋଳି ହୋଲି ଖେଳିଛନ୍ତି । ରଙ୍ଗ ଲଗାଇ ଗୀତ ଗାଇ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଯବାନ ।

ସମ୍ବନ୍ଧିତ ଖବର