ଡଙ୍ଗା ରଖି ଗ୍ରାମବାସୀଙ୍କ ଜଳପଥ ଅବରୋଧ : ମଝି ଚିଲିକାରେ ଫସିଲା ଭସା ପୋଲ

କଲବଲ ହେଲେ ଦେଢ ଶହ ଯାତ୍ରୀ, କୃଷ୍ଣପ୍ରସାଦକୁ ଜଳପଥରେ ଯାତାୟାତ ଠପ୍‌

ବ୍ରହ୍ମଗିରି : ଡଙ୍ଗାରେ ଯାତ୍ରୀ ପରିବହନକୁ ନେଇ ଦୁଇ ଗାଁ ମଧ୍ୟରେ ଦେଖା ଦେଇଥିବା ବିବାଦ ଆଜି ଉଗ୍ରରୂପ ନେଇଥିବାବେଳେ ଚିଲିକା ମଝିରେ ଗୋଟିଏ ଗାଁର ଲୋକେ ଡଙ୍ଗା ବାନ୍ଧି ଜଳପଥ ଅବରୋଧ କରିଛନ୍ତି। ଫଳରେ ଭସାପୋଲରେ ସବାର ଥିବା ଦେଢ ଶହ ଯାତ୍ରୀ, ଦୁଇଟି ଯାତ୍ରୀବାହୀ ବସ ସହିତ ୫୦ରୁ ଅଧିକ ବାଇକ୍‌ ଆରୋହୀ ଆଜି ମଝି ଚିଲିକାରେ ପାଖାପାଖି ଦୁଇ ଘଣ୍ଟା କାଳ ଫସି ରହିଥିଲେ।

ସୂଚନା ଅନୁସାରେ, କୃଷ୍ଣପ୍ରସାଦ ବ୍ଲକ୍‌ ପକ୍ଷରୁ ପ୍ରତ୍ୟେକ ବର୍ଷ ସରକାରୀ ଭାବେ ଦୁଇଟି ଡଙ୍ଗାଘାଟ ନିଲାମ ହୋଇଥାଏ। ଚଳିତ ବର୍ଷ ମାର୍ଚ୍ଚ ମାସରେ ବ୍ଲକ୍‌ ପ୍ରଶାସନ ଉପସ୍ଥିତିରେ ବ୍ରହ୍ମପୁରା ଓ ସାତପଡା ଘାଟ ନିଲାମ ହୋଇଛି। ଏଠାରୁ ଡଙ୍ଗା ଯୋଗେ ସାତପଡାରୁ ଜହ୍ନିକୁଦା ଓ ଜହ୍ନିକୁଦାରୁ ସାତପଡା ଘାଟକୁ ଯାତ୍ରୀ ପରିବହନ ହେଉଥିବା ବେଳେ ଯାତ୍ରୀ ପିଛା ୪ ଟଙ୍କା ନିଆଯାଉଥିଲା। ଚିଲିକାର କାଳିଜାଈଠାରେ ଡଙ୍ଗାବୁଡି ପରେ ପ୍ରଶାସନିକ କର୍ତ୍ତୃପକ୍ଷ କଟକଣା ଜାରି କରିଥିଲେ। ସେପଟେ ନିଲାମଧାରୀ ଯାତ୍ରୀ ଭଡ଼ା ବଢାଇବା ପରେ ବିବାଦ ଦେଖାଦେଇଥିଲା। ଘରୋଇ ଡଙ୍ଗାଗୁଡ଼ିକ ମଧ୍ୟ ଯାତ୍ରୀ ଓ ବାଇକ୍‌ ଭଡାକୁ ଚାରିଗୁଣା କରି ଦେଇଥିଲେ। ତେବେ ଘାଟ ଡଙ୍ଗା ଚଳାଚଳ ସମୟରେ ଜହ୍ନିକୁଦା ଗାଁର କିଛି ଘରୋଇ ଡଙ୍ଗା ଯାତ୍ରୀ ପରିବହନ କରୁଥିବା ମହିଁଷା ଗାଁ ଲୋକେ ଅଭିଯୋଗ କରିଥିଲେ। ଡଙ୍ଗା ଚଳାଚଳ ଓ ଯାତ୍ରୀ ଭଡ଼ାକୁ ନେଇ ଲାଗିଥିବା ବିବାଦ ଦିନକୁ ଦିନ ତୀବ୍ର ହେଉଥିବା ବେଳେ ପ୍ରଶାସନ ଏହାର କୌଣସି ସମାଧାନର ସୂତ୍ର ବାହାର ନ କରିବାରୁ ଆଜି ସକାଳୁ ମହିଁଷା ଗାଁର ଶତାଧିକ ଲୋକ ମଝି ଚିଲିକାରେ ଡଙ୍ଗାବାନ୍ଧି ଜଳପଥ ଅବରୋଧ କରିଥିଲେ। ଯେଉଁ ବାଟ ଦେଇ ଭସାପୋଲ ଓ ଯାତ୍ରୀବାହୀ ଡଙ୍ଗା ଚଳାଚଳ କରନ୍ତି ସେହି ବାଟକୁ ମହିଁଷା ଗାଁ ଲୋକେ ଡଙ୍ଗା ବାନ୍ଧି ଅବରୋଧ କରିବା ପରେ ପରିସ୍ଥିତି ବିଗିଡି ଯାଇଥିଲା।

ସକାଳ ସାଢେ ସାତଟାରେ ସାତପଡା ଘାଟରୁ ଦେଢଶହ ଯାତ୍ରୀ, ଦୁଇଟି ଯାତ୍ରୀବାହୀ ଘରୋଇ ବସ, ଦୁଇଟି ଚାରିଚକିଆ ଗାଡି, ୫୦ରୁ ଅଧିକ ବାଇକ୍‌କୁ ଧରି ଭସା ପୋଲ ଜହ୍ନିକୁଦା ଘାଟ ଅଭିମୁଖେ ଯାତ୍ରା କରିଥିଲା। କିନ୍ତୁ ମଝି ଚିଲିକାରେ ଜଳପଥ ଅବରୋଧ ଯୋଗୁ ଏହା ଆଗକୁ ଯାଇ ପାରି ନଥିଲା। ଦୀର୍ଘ ଦୁଇ ଘଣ୍ଟା ଧରି ଯାତ୍ରୀମାନେ ମଝି ଚିଲିକାରେ ଛଟପଟ ହୋଇଥିଲେ। ପରେ ବହୁକଷ୍ଟରେ ଭସାପୋଲ ସାତପଡା ଘାଟକୁ ଫେରିଥିଲା। ବସ ଦୁଇଟି ପୁରୀ ଫେରି ଯାଇଥିଲା। ଉଭୟ ଘାଟରେ ଯାତ୍ରୀ ପାର ହେବାକୁ ଲମ୍ବା ଧାଡିରେ ଛିଡା ହୋଇ ରହିଥିଲେ। କିନ୍ତୁ ଡଙ୍ଗା ସହିତ ଭସାପୋଲ ବନ୍ଦ ରହିବାରୁ ଯାତ୍ରୀମାନେ ହିନସ୍ତା ହୋଇଥିଲେ। ଜରୁରୀ କାମରେ ଆସୁଥିବା ଲୋକେ ଗୁରୁବାଇଠାରୁ ହୁଲିଆ ଡଙ୍ଗାରେ ବରୁଣକୁଦା ଦେଇ ସାତପଡା ଘାଟକୁ ପାରି ହୋଇଥିଲେ। ତାହା ପୁଣି ଦୀର୍ଘ ୨୦ କିଲୋମିଟର ଜଳପଥରେ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ। ଜଳପଥ ଅବରୋଧ କରିଥିବା ମହିଁଷା ଗାଁ ଲୋକଙ୍କୁ ବୁଝାସୁଝା ପାଇଁ ବିଡିଓ ଓ କୃଷ୍ଣପ୍ରସାଦ ଥାନା ଆଇଆଇସି ଯାଇଥିଲେ ହେଁ କୌଣସି ସୁଫଳ ମିଳିନାହିଁ। ଜଳପଥ ଅବରୋଧ ଯୋଗୁ କୃଷ୍ଣପ୍ରସାଦକୁ ଯାତାୟାତ ପୂରା ଠପ୍‌ ହୋଇଯାଇଛି।

ସମ୍ବନ୍ଧିତ ଖବର