ଗ୍ରାମବାସୀଙ୍କ ପାଇଁ ପ୍ରତିବନ୍ଧକ ସାଜିଛି ପାହାଡ଼ିଆ ନଈ ତମସା: ନିର୍ମାଣ ହୋଇପାରୁନି ପୋଲ, ଦେଶୀ ଡଙ୍ଗା ଭରସା

ମାଲକାନଗିରି : ଯୋଗାଯୋଗ ବୋଲି କହିଲେ ପାଦ ଚଲା ମାଟି ରାସ୍ତା। ବର୍ଷା ହେଲେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ। ଖରା ଦିନେ ବି ପାରି ହେବାକୁ ପଡ଼େ ପାହାଡ଼ିଆ ନଈ। କେହି ରୋଗରେ ପଡ଼ିଲେ କଥା ସରିଲା। କାରଣ ଭାରରେ ‌ବୋହିବାକୁ ପଡ଼ିବ। ସ୍ବାସ୍ଥ୍ୟସେବା, ପାନୀୟ ଜଳ ଭଳି ମୌଳିକ ସୁବିଧା ପହଞ୍ଚି ପାରୁନି। ସରକାରୀ ବାବୁ ବି ଦୁର୍ଗମ ଅଞ୍ଚଳ ବୋଲି ପାଦ ପକାଇବାକୁ ଭୁଲି ଯାଇଛନ୍ତି। ଯାହାଫଳରେ ଅଭିଶପ୍ତ ଜୀବନ ବିତାଉଛନ୍ତି ଶହେ ପ୍ରାୟ ପରିବାର। ଗ୍ରାମବାସୀଙ୍କ ପାଇଁ ପ୍ରତିବନ୍ଧକ ସାଜିଛି ପାହାଡ଼ିଆ ନଈ ତମସା।

ମାଲକାନଗିରି ଜିଲ୍ଲାରେ ଏମିତି ଶହ ଶହ ଗାଁ ରହିଛି ଯେଉଁଠି ସରକାରୀ ଯୋଜନାର ନିମ୍ନତମ ସୁବିଧା ପହଞ୍ଚି ପାରିନି। କୋରକୋଣ୍ଡା ବ୍ଲକ ତାରଲାକୋଟା ପଞ୍ଚାୟତ ଅନ୍ତର୍ଗତ କମୁଲିଗୁଡା ସେଥିମଧ୍ୟରୁ ଗୋଟିଏ। ଶହେରୁ ଊର୍ଧ୍ବ ବସବାସ କରୁଥିବା ଏହି ଗାଁର ଅଧିକାଂଶ ପରିବାର ଆଦିବାସୀ। ଗାଁକୁ ଲାଗି ବୋହି ଯାଇଛି ପାହାଡିଆ ନଦୀ ତମସା। ନଈ ପାରି ହେବାପରେ ଲୋକେ ପଞ୍ଚାୟତ କାର୍ଯ୍ୟାଳୟକୁ ପହଞ୍ଚିଥାନ୍ତି। ତେବେ ଗାଁରୁ କୌଣସି ସିଧାସଳଖ ରାସ୍ତା ଏପର୍ଯ୍ୟନ୍ତ ହୋଇନାହିଁ। ସର୍ଗିଗୁଡା ଠାରୁ ସାଇବଗୁଡାକୁ ପ୍ରଥମେ ଯିବାକୁ ହୋଇଥାଏ। ତେଣୁ ଗ୍ରାମବାସୀ ଏମଭି-୧୦୩ ଏବଂ ଏମଭି-୫୩ ପଞ୍ଚାୟତ ଉପରେ ଜୀବନ ଜୀବିକା ପାଇଁ ନିର୍ଭର କରିଥାନ୍ତି। ଯଦି ପଞ୍ଚାୟତ କାର୍ଯ୍ୟାଳୟକୁ କୌଣସି ଜରୁରୀ କାମରେ ଯିବାକୁ ପଡ଼େ ତାହାହେଲେ ବାଧ୍ୟ ହୋଇ ନଦୀ ପାରି ହେଉଛନ୍ତି।

ପ୍ରତ୍ୟେକ ମାସର ଚାଉଳ ତଥା ଭତ୍ତା ପାଇଁ ସକାଳୁ ଘରୁ ବାହାରି ପଡ଼ନ୍ତି ହିତାଧିକାରୀ। ଗାଁର କିଛି ଯୁବକ ବି ସେମାନଙ୍କ ସହ ଯାଇଥାନ୍ତି। କାରଣ ନଦୀ ପାରିହେବା ସମୟରେ ଏହି ଯୁବକମାନେ ହିଁ ହାତଧରି ଆଗକୁ ଯିବା ପାଇଁ ସହାୟତା କରନ୍ତି। ବର୍ଷା ଦିନେ ନଈ ଫୁଲିଲେ ଦେଶୀ ଡଙ୍ଗା କିମ୍ବା ବଡ଼ବଡ଼ ହାଣ୍ଡି ଧରି ଅତିକ୍ରମ କରୁଥିବା କହିଛନ୍ତି। ଏମିତି ନଦୀ ପାରିହେବା ବିପଦ ସଂକୁଳ ହୋଇଥିଲେ ମଧ୍ୟ ଅନ୍ୟ କିଛି ବିକଳ୍ପ ଗ୍ରାମବାସୀଙ୍କ ପାଇଁ ସରକାର ଏପର୍ଯ୍ୟନ୍ତ କରିନାହାନ୍ତି। ଗାଁରେ ଗୋଟିଏ ସ୍କୁଲ ଅଛି। ତେଣୁ ଏଠାକାର ପିଲାଙ୍କୁ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ହୋଇ ନାହାନ୍ତି। କିନ୍ତୁ ସ୍ବାସ୍ଥ୍ୟସେବାର ବିପର୍ଯ୍ୟସ୍ତ ସ୍ଥିତି ସମୟକ୍ରମେ ଅଧିକ କଦର୍ଯ୍ୟ ହେବାରେ ଲାଗିଛି। କେହି ଯଦି ରୋଗରେ ପଡ଼ନ୍ତି ତ‌େବେ ଏମଭି-୧୦୩, ଏମଭି-୫୩ ଗ୍ରାମ ଦେଇ ମାଲକାନଗିରିରେ ପହଞ୍ଚୁଥିବା ଜଣାପଡ଼ିଛି। ଗର୍ଭବତୀଙ୍କୁ ପ୍ରସବ ପାଇଁ ମେଡିକାଲ ନେବା ଏମାନଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା। ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ନିକଟରେ ଅନେକ ଥର ଏହି ସମସ୍ୟା ଉଠାଇଛନ୍ତି। ବାରମ୍ବାର ପୋଲ ନିର୍ମାଣ କରିବାକୁ ମଧ୍ୟ ଦାବି କରିଛନ୍ତି। ତଥାପି କୌଣସି ସୁଫଳ ମିଳୁ ନଥିବା କ୍ଷୋଭର ସହ ଗ୍ରାମବାସୀ କହିଛନ୍ତି।

ସେହିପରି ଏହି ବ୍ଲକରେ ହିଁ ଆଉ ଗୋଟିଏ ନଦୀ ରହିଛି। ପୋଟ୍ରେଲ ପଞ୍ଚାୟତର ପୁରୁଣା ଅର୍କେଲ ଠାରୁ ପୁରୁଣା ଚିତାପାରି ମଧ୍ୟରେ ଏହି ନଦୀ ପ୍ରବାହିତ ହୋଇଛି। ତେଣୁ ନଦୀ ଅବବାହିକାରେ ରହିଥିବା ଗାଁ ଗୁଡ଼ିକରେ ବି ନାନା ସମସ୍ୟା ଲାଗି ରହିଛି। ବର୍ତମାନ ଲଘୁଚାପ ଜନିତ ବର୍ଷା ଲାଗିଥିବାରୁ ଲୋକେ ବହୁ କଷ୍ଟରେ ନଦୀ ପାର ହେଉଥିବା ଦେଖିବାକୁ ମିଳିଛି। ଏହି ନଦୀର ଅପରପର୍ଶ୍ବରେ ବାଲିମେଳା ବିଜ୍ଞାପିତ ଅଂଚଳ ରହିଛି। ନଦୀ ପାର ହୋଇ ଲୋକେ ପୋଟ୍ରେଲ ପଞ୍ଚାୟତର ପୁରୁଣା ଅର୍କେଲ, ଉସ୍କାପାଲି, ପୁରୁଣା ଚିତାପାରି, ଏମଭି-୩୩, ଏମଭି-୩୪, ତାଲରାକୋଟା, ପୁସପାଲୀ, ଏମଭି-୩୫, ବଲରୁ ସର୍ଗିଗୁଡା, କାଳିଆଗୁଡା ପ୍ରମୁଖ ଗ୍ରାମ ଯାଇଥାନ୍ତି। ଏହି ଗ୍ରାମ ଗୁଡିକରେ ବହୁ ନେତାଙ୍କର ପାଦ ପଡିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏଠାରେ ପୋଲ ନିର୍ମାଣ ହୋପାରିଲା ନାହିଁ। ଦୁଇଟି ନଦୀ ଯୋଗୁଁ ଶହ ଶହ ଲୋକେ ଏବେ ଦୁର୍ବିସହ ଜୀବନ ବିତାଉଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର