ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲେ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରାୟଗଡ଼ା ଜିଲ୍ଲାର ପୋଡ଼ାପାଇ ଗ୍ରାମବାସୀ

ମୁକୁନ୍ଦପୁର : ବିଦ୍ୟୁତ ସଂଯୋଗ ପାଇଁ ସବୁ କାମ ସରିଛି। କିନ୍ତୁ ଘରକୁ ଦିଆଯାଇନି ସଂଯୋଗ। ତେଣୁ ଅନ୍ଧାରରେ ଅଛନ୍ତି ଗ୍ରାମବାସୀ। ସମସ୍ୟା ଅସହ୍ୟ ହେଲାଣି। ତେଣୁ ପ୍ରତିବାଦର ସ୍ବର ତୀବ୍ରତର କରିଛନ୍ତି। ଆଉ କାହାକୁ ଗୁହାରୀ କରିବେ ନାହିଁ। ଭୋଟ ବର୍ଜନ କରି ପ୍ରତିବାଦ ଜଣାଇବେ। ଏମିତି ନିଷ୍ପତ୍ତି ନେଇଛନ୍ତି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଝରଡ଼ି ଗାଁର ପୋଡ଼ାପାଇ ଗ୍ରାମବାସୀ।

ଲୋକଙ୍କ କହିବା ହେଲା ଏଠାରେ ପ୍ରାୟ ୩୫ପରିବାର ବସବାସ କରୁଛନ୍ତି। ସମସ୍ତେ ଆଦିବାସୀ। ଦୀର୍ଘ ବର୍ଷ ହେଲା ଅନ୍ଧାରରେ ରହି ଆସୁଥିଲେ। ସରକାର ଗ୍ରାମବାସୀଙ୍କୁ ବିଦ୍ୟୁତ ସଂଯୋଗ ଦେବେ ବୋଲି ସ୍ବପ୍ନ ଦେଖାଇଲେ। କାମ ବି ଆରମ୍ଭ ହୋଇ ଶେଷ ହୋଇଯାଇଛି। କିନ୍ତୁ କାମ ସରି ୬ମାସ ବିତି ଯାଇଥିଲେ ‌ସୁଦ୍ଧା ଘରେ ପହଞ୍ଚି ପାରୁନି ବିଜୁଳି। ଏବେ ବି ଲୋକେ ଡିବିରି ଆଲୁଅ ଉପରେ ନିର୍ଭର କରୁଛନ୍ତି। ସଂଧ୍ୟା ହୋଇଗଲେ ଗାଁ ଦାଣ୍ଡ ଶୂନଶାନ ହୋଇଯାଉଛି। ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଉଛି। କେବଳ ବିଦ୍ୟୁତ ନୁହଁ ଅନ୍ୟ ସମସ୍ୟା ବି ଗାଁରେ ଲାଗି ରହିଛି। ମୁଖ୍ୟ ସଡ଼କ ଠାରୁ ଗାଁର ଦୂରତା ୭କିଲୋମିଟର। ସେହିପରି ପଞ୍ଚାୟତ ମହକୁମା ଠାରୁ ମାତ୍ର ୫କିଲୋମିଟର ଦୂରରେ ଅଛି ଏହି ଗାଁ। ବିଡ଼ମ୍ବନାର ବିଷୟ ଏପର୍ଯ୍ୟନ୍ତ ଗାଁକୁ ପକ୍କା ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ। ଏଥିଯୋଗୁଁ ସର୍ବନିମ୍ନ ମୌଳିକ ସୁବିଧା ଗାଁକୁ ପହଞ୍ଚି ପାରୁନାହିଁ।

ନିକଟ ଅତୀତରେ ଗାଁର ଜଣେ ମହିଳା ପ୍ରସବ ବେଦନା ଅନୁଭବ କରିବାରୁ ୧୦୮ ଆମ୍ବୁଲାନ୍ସ ସେବାକୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଦୁଇ କିଲୋମିଟର ଦୂରରେ ଅଟକି ଯାଇଥିଲା। ଗର୍ଭବତୀଙ୍କୁ ଭାରରେ ବୋହି ଆମ୍ବୁଲାନ୍ସ ନିକଟକୁ ନିଆଯାଇଥିଲା। ତଥାପି ମେଡିକାଲ ପହଞ୍ଚିବାରେ ବିଳମ୍ବ ହେବାରୁ ସନ୍ତାନ ହରାଇଲେ ମହିଳା ଜଣକ। ଅଧିକାଂଶ ଟେଲିଫୋନ ସେବା ବି ବନ୍ଦ ରୁହେ। ଏମିତି ମାଳ ମାଳ ସମସ୍ୟାରେ ଛନ୍ଦି ହୋଇ ଦୀର୍ଘ ବର୍ଷ ହେଲା ଗ୍ରାମବାସୀ କଷ୍ଟ ଭୋଗୁଛନ୍ତି। ପ୍ରତ୍ୟେକ ଥର ନିର୍ବାଚନ ସମୟରେ ନେତା ଆସି ପ୍ରତିଶ୍ରୁତିରେ ପୋତି ପକାଉଛନ୍ତି। ପରବର୍ତୀ ସମୟରେ ଗାଁକୁ ଅଣଦେଖା କରୁଛନ୍ତି। ଏଥର ଆଉ ପ୍ରତିଶ୍ରୁତିରେ ପ୍ରଭାବିତ ହେବୁନାହିଁ। ଭୋଟ ବର୍ଜନ କରି ପ୍ରତିବାଦ ଜଣାଇବୁ ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର