ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବାକୁ ୯ଟି ଗାଁଲୋକଙ୍କ ଦାବି

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ବଡାମ୍ବିଳା ଗ୍ରାମ ପଞ୍ଚାୟତରେ ଏକ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ପାଇଁ ପଞ୍ଚାୟତବାସୀମାନେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ନିକଟରେ ଦାବି କରିଛନ୍ତି। ବଡାମ୍ବିଳା ପଞ୍ଚାୟତର ୯ଟା ଗ୍ରାମର ଗ୍ରାମବାସୀମାନେ ଶହଶହ ଲୋକଙ୍କ ଦସ୍ତଖତ ସମ୍ବଳିତ ଏହି ଦାବିପତ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଛନ୍ତି। ଗ୍ରାମାବାସୀମାନେ ଅଭିଯୋଗ କରିଛନ୍ତି ଯେ ବଡ଼ାମ୍ବିଳା ପଞ୍ଚାୟତରୁ ଆଳି ବ୍ଳକ୍‌ ମୁଖ୍ୟାଳୟଠାରେ ଥିବା ଡାକ୍ତରଖାନାକୁ ଯିବା ପାଇଁ କୌଣସି ସୁବିଧାଜନକ ପରିବହନ ବ୍ୟବସ୍ଥା ନାହିଁ। ତେଣୁ ଲୋକେ ବାଧ୍ୟ ହୋଇ କ୍ୱାକ୍‌ ଓ ଅନଭିଜ୍ଞ ମେଡିସିନ ଷ୍ଟୋରର ଦୋକାନୀମାନଙ୍କ ଠାରୁ ଔଷଧ କିଣି ଖାଇଥାନ୍ତି। ଫଳରେ ସେମାନେ ସୁସ୍ଥ ହେବା ବଦଳରେ ଅଧିକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେଣୁ ବଡାମ୍ବିଳା ପଞ୍ଚୟତରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବା ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀଙ୍କୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି। ଏହି ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଗଲେ ଏହା ବଡାମ୍ବିଳା ପଞ୍ଚାୟତର ବଡ଼ାମ୍ବିଳା, ନୂଆଗାଁ, ବେତ୍ତା, କଳଦିଆ, ଦଶିପୁର, ଗମ୍ଭାରିଆ, ସାହୁପଡ଼ା, ବାଲିଅଡା, କୃଷ୍ଣପୁରପାଟଣା ଓ ମୃଗନୟନୀ ଗ୍ରାମର ପ୍ରାୟ ୧୫ ହଜାର ଲୋକ ଉପକୃତ ହେବେ। ଏହାସହିତ ଅଟାଳ, ଧନେଶ୍ୱରପୁର, ନଳଦିଆ, କଟକଣା, ଅରେହୀକଣା, ଗଭାଡ଼ିଆ ଆଦି ଗ୍ରାମର ପ୍ରାୟ ଅଧିକ ୮ ହଜାର ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସହାୟକ ହେବ ବୋଲି ଗ୍ରାମବାସୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର