ଭୋଗ ଖାଇ ଶତାଧିକ ଅସୁସ୍ଥ : ପିଏମ୍‌ଆର୍‌ଏମ୍‌କୁ ଗଲେ ୪୦ ଗୁରୁତର

ବାରିପଦା/ବେତନଟୀ : ସରସ୍ବତୀ ପୂଜାରେ ଭୋଗ ଖାଇ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଶତାଧିକ ଗ୍ରାମବାସୀ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ମୟୂୂରଭଂଜ ଜିଲ୍ଲା ବଡ଼ଯୋଡ଼ ପଞ୍ଚାୟତ ରଙ୍ଗାମାଟିଆ (ଖ) ସରକାରୀ ପ୍ରାଥମିକ ସ୍କୁଲ୍‌ରେ ଏମିତି ଏ ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ; ଗତକାଲି ସ୍କୁଲ୍‌ରେ ପୂଜା ପରେ ଚୁଡ଼ା ଭୋଗ ଦିଆଯାଇଥିଲା। ଛାତ୍ରଛାତ୍ରୀ, ଅଭିଭାବକ ଓ ଗ୍ରାମବାସୀ ଏ‌ହି ଭୋଗ ଖାଇଥିଲେ। ରାତିରେ ଭୋଗ ଖାଇଥିବା ରଙ୍ଗାମାଟିଆ ଓ ଡାହିସାହିର ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଶତାଧିକ ଗ୍ରାମବାସୀ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସେମାନଙ୍କ ଝାଡ଼ା ଓ ବାନ୍ତି ଆରମ୍ଭ ହୋଇଥିଲା। ଏପରି କି ବଡ଼ଯୋଡ଼ ପ୍ରାଥମିକ ସ୍କୁଲ୍‌ରେ ପାଠ ପଢ଼ୁଥିବା କିଛି ଛାତ୍ରଛାତ୍ରୀ, ଯେଉଁମାନେ ରଙ୍ଗାମାଟିଆ ସ୍କୁଲ୍‌କୁ ଭୋଗ ଖାଇବାକୁ ଆସିଥିଲେ; ସେମାନେ ମଧ୍ୟ ଅସୁସ୍ଥ ହୋଇଥିଲେ।

ଅସୁସ୍ଥମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଘରକୁ ଫେରିଥିବା ବେଳେ ଅନ୍ୟ ୪୦ ଜଣ ଗୁରୁତରଙ୍କୁ ପିଆର୍‌ଏମ୍‌ ମେଡିକାଲ୍‌ କଲେଜକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର