ଦୁଷ୍କର୍ମ ଉଦ୍ୟମ ମହଙ୍ଗା ପଡ଼ିଲା : ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲାଇଲେ

ଚାନ୍ଦବାଲି/ଘଣ୍ଟେଶ୍ୱର : ଜଣେ ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ସେହି ଗାଁର ଜଣେ ଯୁବକ ପାଇଁ ଖୁବ ମହଙ୍ଗା ପଡ଼ିଛି। ଉତ୍ତ୍ୟକ୍ତ ଗ୍ରାମବାସୀ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକକୁ ମହିଳାଙ୍କ ପାଦ ଧରି ଭୁଲ ମାଗିବାକୁ ବାଧ୍ୟ କରିବା ସହିତ ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲାଇବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ ବାଂଶଡ଼ା ଥାନା ଇଲାକାରେ। ତେବେ ଖବର ଲେଖାହେଲା ଯାଏ ଏ ନେଇ ବାଂଶଡ଼ା ଥାନାରେ କିଛି ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ବୀର କିଶୋର ରାଉତ ଜଣାଇଛନ୍ତି।

ସୂଚନା ଅନୁସାରେ, ଚାନ୍ଦବାଲି ବ୍ଲକ୍‌ ବଜରାପୁର ପଞ୍ଚାୟତ ଷଣ୍ଢଗଢ଼ା ଗାଁରେ ଗତକାଲି ବିଳମ୍ବିତ ରାତ୍ରିରେ ଜଣେ ମାନସିକ ଅନଗ୍ରସର ମହିଳା ଘରେ ଏକାକୀ ଥିବା ବେଳେ ସେହି ଗାଁର ଚଗୁଲୁ ମାଝୀ(୪୨) ନାମକ ଜଣେ ଯୁବକ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିଲା। ମହିଳାଙ୍କ ସ୍ୱାମୀ ଘରଠାରୁ ଅଳ୍ପଦୂରରେ ଚିଙ୍ଗୁଡ଼ି ଘେରିକୁ ଯାଇଥିବା ବେଳେ ଯୁବକ ଜଣକ ଏହାର ସୁଯୋଗରେ ମହିଳାଙ୍କୁ ଅସଦାଚରଣ କରିଥିଲା। ତେବେ ମହିଳାଙ୍କ ପାଟିଶୁଣି ତାଙ୍କ ସ୍ୱାମୀ ଦୌଡ଼ି ଆସି ଚଗୁଲୁକୁ କାବୁ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ତାଙ୍କୁ ଧକ୍କାଦେଇ ପଳାଇ ଯାଇଥିଲା। ମହିଳାଙ୍କ ସ୍ୱାମୀ ଏ ନେଇ ଗ୍ରାମବାସୀଙ୍କୁ ଜଣାଇବା ପରେ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଶେଷରେ ଗାଁ ଲୋକଙ୍କ ଉପସ୍ଥିତିରେ ଚଗୁଲୁକୁ ଡକାଯାଇ ପଚାରାଯିବାରୁ ସେ ଘଟଣାକୁ ସ୍ୱୀକାର କରିଥିଲା। ଏହା ପରେ ଗାଁ ଲୋକେ ଚଗୁଲୁକୁ ପୀଡ଼ିତା ମହିଳାଙ୍କ ଗୋଡ଼ ଧରି ଭୁଲ ମଗାଇଥିବା ବେଳେ ଦଣ୍ଡ ସ୍ୱରୂପ ଗାଁଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲାଇ ନେଇଥିଲେ।

ସମ୍ବନ୍ଧିତ ଖବର