ହାତୀକୁ ମାରି ପୋଡ଼ିଦେଲେ : ଜଣେ ଅଟକ, ବନପାଳ ଓ ବନରକ୍ଷୀ ନିଲମ୍ବିତ

ସୁନ୍ଦରଗଡ଼/ରାଜଗାଙ୍ଗପୁର : ଢେଙ୍କାନାଳରେ ବିଦ୍ୟୁତ୍‌ ଆଘାତ ଯୋଗୁ ୭ ହାତୀଙ୍କ ମୃତ୍ୟୁ ପରେ ରାଉରକେଲା ବନଖଣ୍ତ ରାଜଗାଙ୍ଗପୁର ବନାଞ୍ଚଳରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ୟକ୍ତ ଲୋକମାନେ ଏକ ହାତୀକୁ ମାରି ପୋଡ଼ି ଦେଇଛନ୍ତି। ଏହି ଘଟଣାରେ କର୍ତ୍ତବ୍ୟରେ ଅବ‌େହଳା ପାଇଁ ବନପାଳ ଓ ବନରକ୍ଷୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବାବେଳେ ପୁଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସୁନାଖାନ୍‌ ନିକଟ ସୁନାଖଣ୍ତି ଗାଁ ଲୋକେ ଗତ ଅକ୍ଟୋବର ୧୨ ତାରିଖରେ ଏକ ମାଈ ହାତୀକୁ ମାରି ୪ ଖଣ୍ତ କରି ପାଖ ପଡ଼ିଆରେ ପୋତି ଦେଇଥିଲେ। ଗତକାଲି ସନ୍ଧ୍ୟାରେ ବନପାଳ ହରୀଶ ଜେନା କୌଣସି ସୂତ୍ରରୁ ଖବର ପାଇବା ପରେ ରେଞ୍ଜ ଅଧିକାରୀ ଚନ୍ଦ୍ରଶେଖର ଗଡ଼ନାୟକଙ୍କୁ ଜଣାଇଥିଲେ। ରେଞ୍ଜ ଅଧିକାରୀ ଶ୍ରୀ ଗଡ଼ନାୟକ ରାତିରେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିବା ପରେ ଫେରି ଆସିଥିଲେ। ଫଳରେ ବନ ବିଭାଗ ପାଖରେ ହାତୀକୁ ମାରି ଦିଆ ଯାଇଥିବା ଖବର ପହଞ୍ଚି ଯାଇଥିବା ଜାଣି ହାତୀର ମୃତଦେହକୁ ନଷ୍ଟ କରିବା ପାଇଁ ସଂପୃକ୍ତ ଲୋକମାନେ ବିଚାର କରିଥିଲେ। ସେମାନଙ୍କୁ ସମୟ ମଧ୍ୟ ମିଳିଥିଲା। କାର୍ଯ୍ୟାନୁଷ୍ଠାନ ଭୟରେ ଆଜି ଭୋର‌୍‌ରୁ ଗାଁ ଲୋକେ ଦଳବଦ୍ଧ ହୋଇ ମୃତ ଦେହକୁ ଗାତରୁ ବାହାର କରି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଅନ୍ୟପଟେ ହାତୀକୁ ଜାଳି ଦେଇଥିବା ସୂଚନା ମିଳିବା ପରେ ବି ବହୁ ବିଳମ୍ବରେ ଦିନ ୧୨ଟାରେ ରାଉରକେଲା ଅତିରିକ୍ତ ବନ ସ˚ରକ୍ଷକ ଅଜୟ ସାହୁ, ରେଞ୍ଜ ଅଧିକାରୀ ଶ୍ରୀ ଗଡ଼ନାୟକ, ବନପାଳ ଶ୍ରୀ ଜେନା ଓ ବନବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲେ। ହେଲେ ସେତେବେଳକୁ ହାତୀର ଦେହାବଶେଷ ପୋଡ଼ି ପାଉଁଶ ହୋଇଯାଇଥିଲା। ପରେ ବନ କର୍ମଚାରୀମାନେ ପାଣି ଢାଳି ନିଆଁକୁ ଲିଭାଇ ହାଡ଼ ପାଉଁଶକୁ ଜବତ କରିବା ସହ ପରୀକ୍ଷା ପାଇଁ ଫରେନ୍‌ସିକ୍‌ ଲାବ୍‌ରୋଟାରିକୁ ପଠାଇଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ବନପାଳ ଶ୍ରୀ ଜେନା ଓ ବନରକ୍ଷୀ ସବିତା କିଷାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ପୁଲିସ ଭୟରେ ଗାଁର ଅନେକ ଲୋକ ଫେରାର ହୋଇ ଯାଇଥିବା ସୂଚନା ମିଳିଛି।

ଏ ସମ୍ପର୍କରେ ଅତିରିକ୍ତ ବନ ସ˚ରକ୍ଷକ ଅଜୟ ସାହୁଙ୍କୁ ପଚାରିବାରୁ ସେ ବନପାଳ ରେଞ୍ଜ ଅଧିକାରୀଙ୍କୁ ଗତକାଲି ସୂଚନା ଦେଇଥିବା ଓ ଅଧିକାରୀ ରାତିରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର