ନକ୍ସଲଙ୍କ ବିରୋଧରେ ଗ୍ରାମବାସୀଙ୍କ ମେଳି

ମାଲକାନଗିରି : ଗ୍ରାମର ଉନ୍ନତି ଚାହୁଁଛୁ। ନକ୍ସଲଙ୍କ ଧମକକୁ ଆଉ ଡରିବୁ ନାହିଁ। ନକ୍ସଲଙ୍କ ବିରୋଧରେ ଏକାଠି ହୋଇ ଲଢ଼ିବୁ। ଏଭଳି ନିଷ୍ପତ୍ତି ନେଇ ଆଜି ମାଲକାନଗିରି ଜିଲ୍ଲାର ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଦୋରନାପାଲରେ ଏକାଠି ହୋଇଥିଲେ ଗ୍ରାମବାସୀ। ଏଥିରେ ପଡିଆ ବ୍ଲକର ସୀମାନ୍ତ ଗ୍ରାମ ଗୁଡ଼ିକର ଲୋକେ ମଧ୍ୟ ସାମିଲ ହୋଇଥିଲେ।

ଦୁର୍ଗମ ଅଂଚଳରେ ବାସ କରିବା ଏବଂ ସୁରକ୍ଷାର କୌଣସି ବ୍ୟବସ୍ଥା ନଥିବା ହେତୁ ଆମେ ନକ୍ସଲଙ୍କୁ ସମର୍ଥନ କରିବାକୁ ବାଧ୍ୟ ହେଉଥିଲୁ। ତେବେ ଏଣିକି ଆଉ ନକ୍ସଲକୁ ସମର୍ଥନ କରିବୁ ନାହିଁ ବୋଲି କହିଛନ୍ତି ଏହି ଲୋକମାନେ। ଏହି ଘଟଣା ପରେ ସୀମାନ୍ତରେ ନକ୍ସଲ ବିରୋଧରେ ଲୋକେ ଏକାଠି ହେଉଥିବା ସ୍ପଷ୍ଟ ହୋଇଛି। ସୀମାନ୍ତରେ ନକ୍ସଲକୁ ବିରୋଧ କରି ବୈଠକ କରିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏଥିରେ ଗ୍ରାମବାସୀ ପୁଲିସକୁ ମଧ୍ୟ ସାମିଲ କରିଥିଲେ। ସୀମାନ୍ତ ଗ୍ରାମବାସୀଙ୍କ ଏଭଳି ଆଭିମୁଖ୍ୟ ନକ୍ସଲ ସଂଗଠନ ପାଇଁ ଏକ ବଡ଼ ଧକ୍କା ବୋଲି ଆଲୋଚନା ହେଉଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତକାଲି ମାଲକାନଗିରି ଜିଲ୍ଲାର ବଡଟେକଗୁଡା ଠାରେ ନକ୍ସଲ ପୋଷ୍ଟର ଏବଂ ଚିଠି ଛାଡ଼ି ପ୍ରତି ଗ୍ରାମରୁ ୧୦ଜଣ ଲେଖାଏଁ ସଂଗଠନରେ ସାମିଲ ହେବାକୁ ନିର୍ଦେଶ ଦେଇଥିଲେ। ଏଥିସହ ଆତ୍ମସମର୍ପଣ କରିଥିବା ନକ୍ସଲ ଏବଂ ମିଲିସିଆଙ୍କୁ ସଂଗଠନକୁ ଫେରି ଆସିବା ପାଇଁ କହିଥିଲେ। ଏହା ନହେଲେ ମୃତ୍ୟୁଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ କରିଥିଲେ। ଏହାର ଦିନକ ପରେ ଦୋରନାପାଲ ଗ୍ରାମରେ ସୀମାନ୍ତ ଅଞ୍ଚଳର ଗ୍ରାମବାସୀ ଏକାଠି ହୋଇ ନକ୍ସଲ ବିରୋଧରେ ସ୍ୱର ଉଠାଇଛନ୍ତି। ମାଲକାନଗିରି ଏସପି ଜଗମୋହନ ମୀନା ଏହି ଅଂଚଳରେ ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର କରାଯିବା ସହ କମ୍ବିଂ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର