ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ସୁନ୍ଦରଗଡ଼ ଜିଲ୍ଲାର ‘ଫୁଟାକନା ଗାଁ’

ସୁନ୍ଦରଗଡ଼ : ତେସ୍ତରି ବର୍ଷ ବିତିଗଲା। ଦେଶ ସେ ଦିନର ସ୍ମୃତିକୁ ତାଜା କରିବା ପାଇଁ ପାଳୁଛି ସ୍ୱାଧୀନତା ଦିବସ। ମୁକ୍ତିର ଗୀତ ଗାଇ ଗାଇ ଫରଫର ଉଡ଼ିଛି ତ୍ରିରଙ୍ଗା। କିନ୍ତୁ ଏକ ହର୍ଷ ଉଲ୍ଲାସ ମଧ୍ୟରେ ଏକ ବିଷାଦଯୁକ୍ତ ବିଡ଼ମ୍ବନା ହେଲା, ଏବେ ବି ସ୍ୱାଧୀନ ଭାରତର ଅନେକ ଗାଁ ପରାଧୀନ ଜୀବନ ଜିଉଁଛନ୍ତି। ଆକୁଳ ହୋଇ ଖୋଜୁଛନ୍ତି ସ୍ୱାଧୀନତାକୁ। ହାତ ପାତି ମାଗୁଛନ୍ତି ‘ମୁକ୍ତିର ଆନନ୍ଦ ଆମକୁ ବି ଦିଅ’। କିନ୍ତୁ ସିଏ ତେସ୍ତରି ବର୍ଷ ହେଲା ଧରାଛୁଆଁ ଦେଉ ନାହିଁ । ପରାଧୀନତାରୁ ମୁକୁଳି ନଥିବା ଏମିତି ଅନେକ ଗାଁ ମଧ୍ୟରେ ଏକ ଗ‌ାଁ ହେଲା ଫୁଟାକନା।

ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ମଶାବିରା ପଞ୍ଚାୟତରେ ଏକ ପାହାଡ଼ ଉପ‌ରେ ଥିବା ଗାଁରେ କେବଳ ନାହିଁ ନାହିଁର ଚିତ୍ର। ଆଜି ଯାଏ ଗାଁ ଲୋକେ ଯିବାଆସିବା ପାଇଁ ରାସ୍ତାଟେ ନାହିଁ। ପାଦ ଚଲା ବାଟରେ ଗ୍ରାମବାସୀ ନିତିଦିନ ଯନ୍ତ୍ରଣାଦାୟକ ଯାତାୟତକୁ ଆଦରି ନେଇଛନ୍ତି। ପାହାଡ଼ ତଳେ ଉତୁରିଲା ପରେ ପଡ଼ୁଥିବା ନାଳ ବର୍ଷା ଦିନେ ଅକଥନୀୟ ଦୁର୍ଦ୍ଦଶା ଦିଏ। ବର୍ଷା ଆସିଲେ ଜଳବନ୍ଦୀ ଅବସ୍ଥା ଭୋଗନ୍ତି ଗ୍ରାମବାସୀ। ଗାଁରେ ସ୍କୁଲ କି ଅଙ୍ଗନବାଡ଼ି କେନ୍ଦ୍ର ନଥିବାରୁ ଗାଁର କୁନି ପିଲାମାନେ ୪ କିଲୋମିଟର ପାହାଡ଼ିଆ ରାସ୍ତା ଓ ନାଳ ପାରି ହୋଇ ପଢ଼ିବାକୁ ଯାଇଥାନ୍ତି ବୁଡ଼ାପାହାଡ଼ ସ୍କୁଲକୁ। ବର୍ଷା ଦିନେ ନାଳ ବାଧକ ସାଜେ। ନାଳରେ ଛାତିଏ ଉଚ୍ଚର ପାଣି ବୋହୁଥିବାରୁ ବର୍ଷା ମାସ ଯାକ ପିଲାଙ୍କ ପାଠରେ ଡୋରି ବନ୍ଧା ହୁଏ। କେବଳ ପାଠ ପଢ଼ା ନୁହେଁ, ଗୁରୁତର ରୋଗୀ କିମ୍ବା ଆସନ୍ନ ପ୍ରସବା ପାଇଁ ନାଳ ଯନ୍ତ୍ରଣାଦାୟକ ହୋଇଆସିଛି।

ସେହିପରି ପାନୀୟ ଜଳ ପାଇଁ ଗାଁରେ ମାତ୍ର ଗୋଟିଏ ନଳକୂପ ରହିଛି, ଯାହା ବର୍ଷର ଅର୍ଦ୍ଧାଧିକ ସମୟ ଖରାପ ଥାଏ। ପାଣି ପାଇଁ ହାହାକାର ପଡ଼ିଯାଏ। ଲୋକେ ବାଧ୍ୟ ହୋଇ ୧ କିଲୋମିଟର ଦୂର ପାହାଡ଼ ତଳକୁ ଯାଇ ନାଳାରୁ ପାଣି ଅ।ଣି ପିଇଥାନ୍ତି। ନାଳ ପାଣି ବ୍ୟବହାର କରି ଗ୍ରାମବାସୀ ବହୁ ସମୟରେ ନାନାଦି ରୋଗରେ ପଡ଼ି ମରଣ ସହ ଯୁଝୁଥିବା ପ୍ରକାଶ ପାଇଛି। ରାସ୍ତା ନଥିବାରୁ ଗୁରୁତର ରୋଗୀଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଆସି ପାରେ ନାହିଁ। ଫଳରେ ଡାକ୍ତରଖାନା ନେବା ବାଟରେ ବି ଜଣେ ଦି’ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ରହିଛି। ରାସ୍ତା, ପାନୀୟ ଜଳ ଓ ସ୍କୁଲ ପାଇଁ ବହୁବାର ପ୍ରଶାସନ ପାଖରେ ଦାବି କଲେଣି ଗ୍ରାମବାସୀ। ହେଲେ କେହି ସେମାନଙ୍କ ଦୁଃଖ ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫୁଟାକନା ଗାଁର ପିଲା ପାଠ ନପଢ଼ିଲେ, ନାଳ ପାଣି ପିଇଲେ କି ରାସ୍ତା ଘାଟ‌ରେ ମଲେ ପ୍ରଶାସନ କି ସରକାରର କ’ଣ ଯାଏ ! ବୋଧହୁଏ ଏମିତି ଭାବି ପ୍ରଶାସନ ଚୁପ୍‌ବସି ଯାଇଛି ବୋଲି କ୍ଷୋ‌ଭୋକ୍ତି ବାଢ଼ନ୍ତି ଗ୍ରାମବାସୀ। ସ୍ବାଧୀନତାର ୭୩ ବର୍ଷ ପରେ ୨୫ ପରିବାରର ଏହି ଗାଁର ଏସବୁ ଦୁର୍ଦ୍ଦଶା ହିଁ ସ୍ବତଃ ପ୍ରଶ୍ନ କରୁଥିଲା ସେମାନେ କେତେ ସ୍ବାଧୀନ !

ସମ୍ବନ୍ଧିତ ଖବର