ଶୋଚନୀୟ ଅବସ୍ଥାରେ ରାସ୍ତା : ମରାମତି ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକ

ଚିତ୍ରକୋଣ୍ଡା : ମାଲକାନଗିରିର ଠାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ଏକ ମାତ୍ର ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଥିବା ବେଳେ ଚିତ୍ରକୋଣ୍ଡା ଏବଂ ସିଲେରୁ ଅଂଚଳବାସୀ ଏହି ରାସ୍ତାକୁ ଅବରୋଧ କରି ମରାମତି ପାଇଁ ଦାବି କରିଛନ୍ତି। ଦୁଇ ରାଜ୍ୟକୁ ଯୋଡ଼ୁଥିବା ଏହି ରାସ୍ତାର ଉତ୍ତର ଦାୟିତ୍ବ ମାଲକାନଗିରି ଜିଲ୍ଲା ପ୍ରଶାସନ କିମ୍ବା ଆନ୍ଧ୍ର ସରକାର ନେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୁଇ ରାଜ୍ୟ ପକ୍ଷରୁ ରାସ୍ତା ମରାମତି କରାଯାଉ ନଥିବା ବେଳେ ଏହି ରାସ୍ତା ଦେଇ ଶହ ଶହ ଗାଡି ଏବଂ ଲୋକ ଯିବା ଆସିବା କରୁଛନ୍ତି। ଏଥିପାଇଁ ଅନେକ ସମୟରେ ସମସ୍ୟା ସୃଷ୍ଟି ହେଉଛଇ। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ବାଧ୍ୟ ହୋଇ ଲୋକେ ଆଜି ସକାଳ ୬ଟାରୁ ଏଠାରେ ଧାରଣାରେ ବସିଥିଲେ। ଲୋକେ ଘରକୁ ନଯାଇ ସେଠାରେ ହିଁ ରାନ୍ଧି ଖାଇଥିଲେ। ତେବେ ଏହି ରାସ୍ତାଟି ସଂପୂର୍ଣ୍ଣ ନକ୍ସଲ ପ୍ରବଣ ହୋଇଥିବାରୁ ଦୁଇ ସରକାର ଏହି ରାସ୍ତାର ମରାମତି କରିବାକୁ ଭୟ କରୁଥିବା ଅନୁମାନ କରାଯାଏ।

ପ୍ରକାଶଥାଉକି ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଂଚଳରୁ ଲୋକେ ରୋଗୀଙ୍କୁ ନେଇ ଏହି ରାସ୍ତା ଦେଇ ବିଶାଖାପାଟଣା ଯାଇଥାନ୍ତି। ଜରୁରୀ ସେବା କିମ୍ବା କୌଣସି କାମରେ ମଧ୍ୟ ଲୋକେ ଏହି ରାସ୍ତାକୁ ହିଁ ବ୍ୟବହାର କରିଥାନ୍ତି। ତେବେ ଚଳିତ ବର୍ଷାରେ ଏହି ରାସ୍ତା ସଂପୂର୍ଣ୍ଣ ଧୋଇ ଯାଇଛି। ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି ଶୁଣୁନଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ରାସ୍ତା ପାଇଁ କୌଣସି ସରକାରୀ ବାବୁଙ୍କ ନିଘା ନଥିବା ଦେଖିବାକୁ ମିଳିଥିଲା। ତେବେ ଆଗାମୀ ଦିନରେ ଏହାର ମରାମତି କରାନଯାଏ ତେବେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର