ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ କାର୍ଯ୍ୟକୁ ଆରମ୍ଭରୁ ବିରୋଧ : ବାଲିବନ୍ଧକୁ ଭାଙ୍ଗିଦେଲେ ଗ୍ରାମବାସୀ

ସପକ୍ଷ ଓ ବିପକ୍ଷବାଦୀ ମୁହାଁମୁହିଁ, କଙ୍କଡ଼ାପାଳରେ ଚାପା ଉତ୍ତେଜନା

ବାଲିଆପାଳ : ସରକାରଙ୍କ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ନିର୍ମାଣ ଆରମ୍ଭରୁ ବିବାଦ ମଧ୍ୟକୁ ଠେଲି ହୋଇଯାଇଛି। ପ୍ରଶାସନ ପକ୍ଷରୁ ବନ୍ଦର ପାଇଁ ସବୁଜ ସଂକେତ ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିପାଇଁ ସୁବର୍ଣ୍ଣରେଖା କ୍ରିଏଟିଭ ପୋର୍ଟ ଏବଂ ଟାଟା କମ୍ପାନି ପକ୍ଷରୁ ଚୁକ୍ତିନାମା ହୋଇଛି। କଙ୍କଡାପାଳ ମୁହାଁଣ ନିକଟରେ ମଧ୍ୟ ବାଲେଶ୍ୱରର ଠିକା ସଂସ୍ଥା ସରସ୍ୱତୀ ଏଣ୍ଟରପ୍ରାଇଜେସ ପକ୍ଷରୁ କାର୍ଯ୍ୟାଳୟ ଟାଓ୍ଵାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଶହେରୁ ଊର୍ଦ୍ଧ୍ୱ ଶ୍ରମିକ ଓ ଜେସିବି ଲଗାଇ ଠିକାଦାର ପାଖାପାଖି ଏକ ମାସ ହେଲା ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଚିହ୍ନିତ ସ୍ଥାନରେ ବାଲି ବସ୍ତା ପକାଇ ବନ୍ଧ କରିବା ସହ ଏହି ଟାଓ୍ଵାରକୁ ସଂଯୋଗ ପାଇଁ ଏକ ରାସ୍ତାର ନିର୍ମାଣ କାର୍ଯ୍ୟ କରୁଥିଲେ। ବାଲିଆପାଳର କେତେକ ଯୁବକ ଏହି ନିର୍ମାଣ କାର୍ଯ୍ୟକୁ ତଦାରଖ କରୁଥିଲେ। ତେବେ ପ୍ରଶାସନ ସ୍ଥାନୀୟ ଜନସାଧାରଣ କିମ୍ବା ବିସ୍ଥାପିତ ହେବାକୁ ଥିବା ଲୋକଙ୍କ ସହ କୌଣସି ଆଲୋଚନା ନକରି ଏହି କାର୍ଯ୍ୟ ଆରମ୍ଭ କରିଥିବାରୁ ଏହାକୁ ନେଇ ବନ୍ଦର ବିପକ୍ଷବାଦୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପାନ, ଧାନ, ମୀନ, କାଜୁ, ଚିନବାଦାମ, ନଡ଼ିଆ, ଗୁଆ ସାଙ୍ଗକୁ ବିଭିନ୍ନ ଶସ୍ୟଜାତୀୟ ଫସଲରୁ ଏହି ଅଞ୍ଚଳବାସୀ ନିଜର ଜୀବିକା ନିର୍ବାହ କରୁଛନ୍ତି। ବନ୍ଦର ପାଇଁ ସେମାନେ ସେମାନଙ୍କର ଏହି ଜାଗାକୁ ଛାଡ଼ିବେ ନାହିଁ ବୋଲି ଭିଟାମାଟି ସୁରକ୍ଷା କମିଟି ଡାକରାରେ ବହୁ ଜନସାଧାରଣ ସଙ୍କଳ୍ପ ନେଇଥିଲେ। ଆଜି ସକାଳେ ଭିଟାମାଟି ସୁରକ୍ଷା କମିଟି ଡାକରାରେ ଶହ ଶହ ମହିଳା ହାତରେ ଶଙ୍ଖ ଧରି ବଜାଇବା ସହ ସେମାନଙ୍କର ସମର୍ଥକମାନଙ୍କୁ ଏକତ୍ର କରାଇଥିଲେ। ବନ୍ଦର କାର୍ଯ୍ୟ ଆରମ୍ଭ ହୋଇଥିବା ସ୍ଥାନକୁ ଯାଇ ସେଠାରେ ନିୟୋଜିତ ଜେସିବିକୁ ଜୋର ଜବରଦସ୍ତ ହଟାଇ ଦେବା ସହ ବାଲିବସ୍ତା ସବୁକୁ ଢାଳି ବସ୍ତାଗୁଡିକରେ ନିଆଁ ଲଗାଇ ଦେଇଥିଲେ। ଖବରପାଇ ବନ୍ଦର କାର୍ଯ୍ୟ ବୁଝୁଥିବା ଯୁବକମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ଏହି ଯୁବକ ଓ ଭିଟାମାଟି ସୁରକ୍ଷା କମିଟି ମୁହାଁମୁହିଁ ହୋଇଥିଲେ। ତେବେ ଆନ୍ଦୋଳନକାରୀମାନେ ନିର୍ମାଣାଧୀନ ବାଲିବନ୍ଧ ଭାଙ୍ଗି ପୋଡ଼ାଜଳା କରି ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ଏହି ଘଟଣାକୁ କେନ୍ଦ୍ରକରି କଙ୍କଡ଼ାପାଳ ଓ ଚୌମୁଖରେ ଚାପା ଉତ୍ତେଜନା ଲାଗିରହିଛି। ଖବରପାଇ ବାଲିଆପାଳ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଛ ପରିସ୍ଥିତି ଉପରେ ନଜର ରଖିଛି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ସହ ଯୋଗାଯୋଗ କରିବାରୁ ସେ ବନ୍ଦର ନିର୍ମାଣକୁ ବିରୋଧ ନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏଥିସହ ଏହି ବନ୍ଦର ନିର୍ମାଣ ହେଲେ ବ୍ଲକ ତଥା ଜିଲ୍ଲାର ବିକାଶ ହେବ ବୋଲି କହିଛନ୍ତି। ତେବେ ବନ୍ଦର ପାଇଁ ଆବଶ୍ୟକ ସମସ୍ତ ୬୬୮ ଏକର ସରକାରୀ ଜାଗାକୁ ଅଧିଗ୍ରହଣ କରାଯିବାକୁ ଥିବା ବେଳେ କୌଣସି ବ୍ୟକ୍ତିଗତ ଜାଗାକୁ ନିଆଯିବ ନାହିଁ ବୋଲି ଜିଲ୍ଲାପଳ ଶ୍ରୀ ରାଉତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର