ମରିଗଲା ମାନବିକତା : ଗରିବ ବୋଲି ସାହା ହେଲେନି

୩ ଦିନ ଘରେ ପଡ଼ିରହିବା ପରେ ପୋତା ହେଲା ବୃଦ୍ଧଙ୍କ ଶବ, ଧରମପୁଅ ତୀର୍ଥ ପଳାଇଗଲା, ଗାଁ ଲୋକେ ମୁହଁ ମୋଡ଼ିଲେ

ନୀଳଗିରି : ଜଣେ ଗରିବ ଅସହାୟ ବୃଦ୍ଧଙ୍କ ମୃତ୍ୟୁ ପରେ ଶବ ଦାହ କରିବାକୁ ଗାଁ ଲୋକ ଆଗେଇ ଆସିଲେନି। ବୃଦ୍ଧ ଜଣକ ଯାହାକୁ ଧରମପୁଅ କରିଥିଲେ, ସେ ମଧ୍ୟ ଶେଷ ସମୟରେ କାନ୍ଧ ଦେବା ଦୂରେ ଥାଉ, ଧରମ ମା’କୁ ୫୦୦ ଟଙ୍କା ଧରେଇ ଦେଇ ତୀର୍ଥ ପଳାଇଗଲା। ଆଉ ଶବ ସତ୍କାର ପାଇଁ ସରକାର ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଦେବାର ବ୍ୟବସ୍ଥା ଥିଲେ ବି ମୃତ ବୃଦ୍ଧଙ୍କ ବେଳକୁ ସେତକ ବି ସରକାରୀ ସହାୟତା ମିଳିପାରିଲାନି। ଏମିତି ଗାଁ ଲୋକଙ୍କଠୁ ନେଇ ଜନ ପ୍ରତିନିଧି ପର୍ଯ୍ୟନ୍ତ କେହି ସାହା ନ ହେବାରୁ ସତ୍କାର ହୋଇନପାରି ହତଭାଗ୍ୟ ବୃଦ୍ଧଙ୍କ ଶବ ୩ ଦିନ ଧରି ଘରେ ପଡ଼ିରହିବା ଏବଂ ପୋଡ଼ା ନ ଯାଇ ତାଙ୍କୁ ଜଙ୍ଗଲରେ ପୋତିଦେବା ଭଳି ଅଭାବନୀୟ ଓ ହୃଦୟ ବିଦାରକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ।

ନୀଳଗିରି ବ୍ଲକ ଅଧୀନସ୍ଥ ସଜନାଗଡ଼ ପଞ୍ଚାୟତର ସଜନାଗଡ଼ ଗ୍ରାମରେ ରହି ଆସୁଥିଲେ ମକରା ବନ୍ଧାଣି(୭୦) ଓ ସ୍ତ୍ରୀ ସୁହାଗୀ(୬୫)। ଏକମାତ୍ର ପୁଅର ଦୁର୍ଘଟଣାରେ ମୃତ୍ୟୁ ହେବା ପରେ ଅସହାୟ ହୋଇ ପଡ଼ିଥିଲେ ବୁଢ଼ାବୁଢ଼ୀ। ସରକାରଙ୍କ ୧୦ କି.ଗ୍ରା. ଚାଉଳ ହିଁ ତାଙ୍କର ଏକମାତ୍ର ସାହା ଭରସା ଥିଲା। ବାର୍ଦ୍ଧକ୍ୟ ଭତ୍ତା ୨ ଜଣଙ୍କ ପାଇଁ ସାତସପନ ପାଲଟିଥିଲା। ପୁଅର ମୃତ୍ୟୁ ପରେ ନିଜର ବାସସ୍ଥାନ ସଜନାଗଡ଼ ନୂଆସାହି ଛାଡ଼ି ସଜନାଗଡ଼ ବଜାର ତଥା ୧୯ନଂ. ରାଜ୍ୟ ରାଜପଥ କଡ଼ରେ ଥିବା ଏକ ଜଙ୍ଗଲ ଜମି‌େର ରହି ଆସୁଥିଲେ। ତିନି ଦିନ ତଳେ ଅର୍ଥାତ୍ ଶୁକ୍ରବାର ଅପରାହ୍ନ ୩ଟା ସମୟରେ ମକରାଙ୍କର ମୃତ୍ୟୁ ହୋଇ ଯାଇଥିଲା। ନିଃସହାୟ ସ୍ତ୍ରୀ ସୁହାଗୀ ନିଜେ ଚଲାବୁଲା କରିପାରୁ ନଥିଲା ବେଳେ କାହାକୁ କହି‌େବ, କଣ କରି‌େବ ଭାବୁ ଭାବୁ ୨ ଦିନ ବିତିଯାଇଥିଲା। ଖବରପାଇ ସଂପର୍କୀୟ ନାତିନାତୁଣୀ, ଝିଆରି, ଝିଆରି ଜ୍ୱାଇଁ ଭଣଜା ଆସି ଗତକାଲି ସନ୍ଧ୍ୟାରେ ପହଞ୍ଚିଥିଲେ। ମୃତ ମକରାକୁ ଦାହ କରିବା ପାଇଁ ସୁହାଗୀ ପାଖରେ ପଇସା ନ ଥିବାରୁ କାଠ କିଣିବା ତାଙ୍କ ପକ୍ଷେ କଷ୍ଟସାଧ୍ୟ ହୋଇପଡ଼ିଥିଲା। ଘଟଣା ସଂପର୍କରେ ସ୍ଥାନୀୟ ସରପଞ୍ଚ, ୱାର୍ଡ ସଭ୍ୟ, ରାଜନେତା ସହିତ ତାଙ୍କୁ ଧରମ ବାପାମା’ କରି ତାଙ୍କ ଜାଗାରେ ହୋଟେଲ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଗୁହାରି କରିଥିଲେ ସୁଦ୍ଧା ଧରମପୁଅ ୫୦୦ ଟଙ୍କା ଦେଇ ହୋଟେଲରେ ଚାବି ଦେଇ ତୀର୍ଥ ପଳାଇ ଯାଇଥିଲା। ମକରାଙ୍କ ବଡ଼ଭାଇ ମଙ୍ଗୁଳିଆ ବିନ୍ଧାଣୀ ଖବର ପାଇ ତାଙ୍କ ଘରେ ପହଞ୍ଚିଥିଲେ। ଶବଦାହ ପାଇଁ ନୂଆ ସାହି ଗାଁ ଲୋକଙ୍କୁ ଖବର ଦେଲାପରେ ବି ଗାଁ ଲୋକେ କେହି ଆସିନଥିଲେ। ଆଜି ସକାଳେ ମଙ୍ଗୁଳିଆ, ସମ୍ପର୍କୀୟ ଜ୍ୱାଇଁ, ନାତୁଣୀଜ୍ୱାଇଁକୁ ଖବର ଦେଲା ପରେ କିଛି ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ପହଞ୍ଚିଥିଲେ। ଗାଁ ଲୋକଙ୍କ ଅସହଯୋଗ ଏବଂ ହରିଶ୍ଚନ୍ଦ୍ର ଯୋଜନାରେ ଶବଦାହ ଅର୍ଥ ନ ପାଇବାରୁ ବାଧ୍ୟହୋଇ ନିକଟସ୍ଥ ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ପୋତି ଦେଇଥିଲେ।

ଆଜି ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରିର ଗଣମାଧ୍ୟମ ପ୍ରତିନିଧି ପହଞ୍ଚିଥିଲେ। ସେତେବେଳକୁ ଶବ ସତ୍କାର ସରିଯାଇଥିଲା। ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଥମେ ୧ ହଜାର ଟଙ୍କା ସହାୟତା ପ୍ରଦାନ କରିଥିଲେ। ତେବେ ହରିଶ୍ଚନ୍ଦ୍ର ଅର୍ଥ ନ ମିଳିବା ବାବଦରେ ନୀଳଗିରି ବିଡିଓ ରାମଦାସ ଟୁଡ଼ୁଙ୍କୁ ପଚାରିବାରୁ ସେ କହିଲେ‌ ଯେ ଘଟଣା ବିଷୟରେ ସେ ଅବଗତ ନ ଥିଲେ। ତେବେ ଗଣମାଧ୍ୟମରୁ ଖବର ପାଇବା ପରେ ତୁରନ୍ତ ନିର୍ବାହୀ ଅଧିକାରୀଙ୍କୁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ କ’ଣ ପାଇଁ ୩ ଦିନ ଧରି ଏପରି ଘଟିଲା ତାହା ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି। ଘଟଣା ସଂପର୍କରେ ସଜନାଗଡ଼ ସରପଞ୍ଚ ସବିତା ଖାଲପାଳିଆଙ୍କୁ ପଚାରିବାରୁ ଏ ନେଇ ତାଙ୍କୁ କେହି ଜଣାଇ ନ ଥିବାରୁ ହରିଶ୍ଚନ୍ଦ୍ର ଟଙ୍କା ଦିଆଯାଇ ନ ଥିବା କହିଛନ୍ତି। ଅପରପକ୍ଷରେ ତାଙ୍କ ଜାଗାକୁ ଜବରଦଖଲ କରିଥିବା ହୋଟେଲ ମାଲିକ କବଳରୁ ଉଦ୍ଧାର ପାଇଁ ସ୍ଥାନୀୟ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର