ଖସିଗଲେ ନକ୍ସଲ : ଢାଲ ସାଜିଲେ ଗ୍ରାମବାସୀ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ତୁଳସୀ ପାହାଡ଼ରେ ପୁଲିସର ବଡ଼ଧରଣର ଅପରେସନ ସତ୍ତ୍ୱେ ଖସି ଯାଇଛନ୍ତି ମାଓବାଦୀ। ଗତକାଲିଠାରୁ ୧୨ଘଣ୍ଟାରୁ ଊର୍ଧ୍ୱ ସମୟ ଧରି ଏହି ଅପରେସନ ଚାଲିଥିଲା। ନିଜେ ମାଲକାନଗିରି ଏସ୍‌ପି ଜଗମୋହନ ମୀନା ଅପରେସନର ନେତୃତ୍ୱ ନେଇଥିଲେ। ରଣନୀତି ଅନୁଯାୟୀ, ଯବାନ ଘେରାବନ୍ଦୀ କରିଥିଲେ ମଧ୍ୟ ଆଖିବୁଜା ଗୁଳି ବର୍ଷଣ ସହ ଗ୍ରାମବାସୀଙ୍କୁ ଢାଲ କରି କ୍ୟାମ୍ପ କରିଥିବା ୨୫ରୁ ଊର୍ଧ୍ୱ ମାଓବାଦୀ ପୁଣି ଛତିଶଗଡ଼ ମୁହାଁ ହୋଇଛନ୍ତି। ଘଞ୍ଚ ଜଙ୍ଗଲ ସହ ରାତି ଅନ୍ଧାର ମାଓବାଦୀଙ୍କୁ ଖସି ଯିବାରେ ସୁହାଇଥିଲା। ତେବେ ମାଓ କ୍ୟାମ୍ପକୁ ସଂପୂର୍ଣ୍ଣ ଧ୍ୱସଂ କରି ବିପୁଳ ପରିମାଣର ସାମଗ୍ରୀ ଜବତ କରିବାରେ ପୁଲିସ ସଫଳ ହୋଇଛି। ସମ୍ଭାବ୍ୟ ସ୍ଥାନରେ ମାଓବାଦୀଙ୍କ ସନ୍ଧାନ ଜାରି ରହିଥିବା ବେଳେ ଅପରେସନକୁ ଆହୁରି ଜୋରଦାର କରାଯାଇଛି।

ଗୁଇନ୍ଦା ସୂତ୍ରରୁ ଏସପି ଶ୍ରୀ ମୀନାଙ୍କୁ ସୂଚନା ମିଳିଥିଲା ଯେ ବହୁ ସଂଖ୍ୟାରେ ମାଓବାଦୀ ତୁଳସୀ ପାହାଡ଼ରେ କ୍ୟାମ୍ପ କରିଛନ୍ତି। ମାଓ କମାଣ୍ଡର ସଂଜୁର ନେତୃତ୍ୱରେ ବହୁ ଟପ୍‌ କ୍ୟାଡର ତଥା ଦୁର୍ଦାନ୍ତ ମାଓବାଦୀ ଏହି କ୍ୟାମ୍ପରେ ଠୁଳ ହୋଇ ମନ୍ତ୍ରଣା ଚଳାଇଥିଲେ। ଏହାପରେ ଏସପିଙ୍କ ନେତୃତ୍ୱରେ ଡିଭିଏଫ ଏବଂ ଏସଓଜି ଯବାନ ଅପରେସନ ଆରମ୍ଭ କରିଥିଲେ। କିନ୍ତୁ ଯବାନ ତୁଳସୀ ପାହାଡ଼ ନିକଟରେ ପହଞ୍ଚିବା ବେଳକୁ ସଂଧ୍ୟା ହୋଇଯାଇଥିଲା। ଦଲଦଲି ଏବଂ ଗୁଗାପଦର ମଧ୍ୟରେ ରହିଥିବା ନକ୍ସଲ କ୍ୟାମ୍ପକୁ ଚାରିପଟୁ ଘେରି ଯାଇ ମାଓବାଦୀଙ୍କୁ ଜୀବନ୍ତ ଧରିବା ପାଇଁ ଚେଷ୍ଟା କରାଯାଇଥିଲା। ହେଲେ ଯବାନଙ୍କ ଗତିବିଧି ନେଇ ଟେର୍‌ ପାଇ ମାଓବାଦୀ ଅତର୍କିତ ଗୁଳି ଚଳାଇଥିଲେ। ଯବାନମାନେ ବି ଏହାର ପାଲଟା ଜବାବ ଦେଇଥିଲେ।

ମୁକୁଳିବାର କୌଣସି ବାଟ ନପାଇ କ୍ୟାମ୍ପକୁ ଆଲୋଚନା ପାଇଁ ଡକାଇଥିବା ନିକଟସ୍ଥ ଗ୍ରାମବାସୀଙ୍କୁ ମରଣ ମୁହଁକୁ ଠେଲି ଦେଇ ମାଓବାଦୀ ଗଳା ବାଟ ଖୋଜିଥିଲେ। ହଠାତ୍‌ ଗ୍ରାମବାସୀ ସାମ୍ନାକୁ ଚାଲି ଆସିବାରୁ ଯବାନଙ୍କ ଆକ୍ରମଣର ତୀବ୍ରତା କମି ଯାଇଥିଲା। ଯାହାର ସୁଯୋଗ ନେଇ ମାଓବାଦୀ ଖସିଯାଇଥିଲେ। ପରେ ମାଓବାଦୀ ଛତ୍ରଭଙ୍ଗ ଦେବାରୁ ପୁଲିସ ସର୍ଚ ଅପରେସନ ଆରମ୍ଭ କରିଥିଲା।

ଉଲ୍ଲେଖଯୋଗ୍ୟ, ବର୍ଷା କମି ଯାଇଥିବାରୁ ପୂର୍ବ ଅପେକ୍ଷା ଅଧିକ ସକ୍ରିୟ ହୋଇଛନ୍ତି ମାଓବାଦୀ। ତେଣୁ କୌଣସି ବଡ଼ଧରଣ ଅଘଟଣ ପାଇଁ ମାଓବାଦୀ ଏଠାରେ କ୍ୟାମ୍ପ କରିଥିବା ଅନୁମାନ କରାଯାଉଛି। ଏଥିପାଇଁ ସେମାନେ ଗ୍ରାମବାସୀଙ୍କ ସହଯୋଗ ଲୋଡ଼ିଥିଲେ। ତେଣୁ ୨୫ଜଣ ଗ୍ରାମବାସୀ ଡାକରା ପାଇ କ୍ୟାମ୍ପରେ ପହଞ୍ଚିଥିଲେ। କିନ୍ତୁ ପୁଲିସର ସଠିକ୍‌ ଗୁଇନ୍ଦା ସୂଚନା ଏହି ଯୋଜନାକୁ ପଣ୍ଡ କରି ଦେଇଛି। ତେବେ ଏହି ଅପରେସନ ପରେ ଆଗକୁ ମାଓବାଦୀ ପାଲଟା ଆକ୍ରମଣ କରିବା ସମ୍ଭାବନା ବଢ଼ି ଯାଇଛି।

ଛତିଶଗଡ଼ ସୀମାକୁ ଲାଗି ରହିଥିବା ତୁଳସୀ ପାହାଡ଼ ମାଓବାଦୀଙ୍କ ଗଡ଼ ରୂପେ ପରିଚିତ। ଛତିଶଗଡ଼ରେ କୌଣସି ଅଘଟଣ ଘଟାଇବା ପରେ ଆତ୍ମଗୋପନ ପାଇଁ ମାଓବାଦୀ ତୁଳସୀ ପାହାଡ଼କୁ ହିଁ ଚାଲି ଆସନ୍ତି। ସେହିପରି ନୂତନ ସଦସ୍ୟଙ୍କୁ ତାଲିମ ଦେବାକୁ ବି ଏଠାରେ କ୍ୟାମ୍ପ କରିବାର ନଜିର ରହିଛି। ତେବେ ଗତ କିଛି ମାସ ମଧ୍ୟରେ ଏକାଧିକ ଥର ପୁଲିସ-ମାଓବାଦୀ ଏଠାରେ ମୁହାଁମୁହିଁ ହୋଇ ସାରିଲେଣି। ଗତକାଲିର ଘଟଣାକୁ ମିଶାଇ ୪ଥର ଏହି ପାହାଡ଼ରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇ ସାରିଲାଣି ପୁଲିସ।

ସମ୍ବନ୍ଧିତ ଖବର