ପ୍ରଧାନଶିକ୍ଷକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ

ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ଗିରଫ କଲା ପୁଲିସ

କଳାବାଡ଼ିଆ : ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରି ପ୍ରଧାନଶିକ୍ଷକ ତାପସ କୁମାର ଗିରି ଆଜି ହରଡ଼ଘଣାରେ ପଡ଼ିଛନ୍ତି। ଗାଁ ଲୋକେ ତାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ପରେ ପୁଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଗିରଫ କରିଛି। ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଧୀନ ନାଫ୍ରି ପଞ୍ଚାୟତର ଆନ୍ଦୋଳା ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା।

ଅଭିଯୋଗ ଅନୁଯାୟୀ ପ୍ରଧାନଶିକ୍ଷକ ଶ୍ରୀ ଗିରି ୬ ଦିନ ତଳେ ଜଣେ ଛାତ୍ରୀ ନିର୍ମଳା (ଛଦ୍ମନାମ)ଙ୍କୁ ପାଖକୁ ଡାକି ଅସଦାଚରଣ କରିଥିଲେ। ନିର୍ମଳା ମାମୁଘରେ ରହି ଏହି ସ୍କୁଲରେ ପଢ଼ନ୍ତି। ଅସଦାଚରଣ ଘଟଣା ପରେ ସେ ସ୍କୁଲକୁ ଆସିବାକୁ ଅମଙ୍ଗ ହୋଇଥିଲେ। ବହୁ ପଚରାଉଚରା ପରେ ତାଙ୍କ ଆଈଙ୍କୁ ସେ ଏ ବିଷୟରେ କହିଥିଲେ। ଏହା ଜଣାପଡ଼ିବା ପରେ ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଆଜି ସ୍କୁଲ ଖୋଲିବାକୁ ସମସ୍ତେ ଅପେକ୍ଷା କରି ରହିଥିଲେ। ପ୍ରଧାନଶିକ୍ଷକ ସ୍କୁଲରେ ପହଞ୍ଚିବାମାତ୍ରେ ଗାଁ ଲୋକେ ତାଙ୍କୁ ଘେରି ଯାଇଥିଲେ।

ଏ ସଂପର୍କରେ ଯେତେ ଯିଏ ପଚାରିଲେ ମଧ୍ୟ ସେ ସବୁ ମିଛ କହି ଫାଙ୍କି ଦେଇଥିଲେ। ଉତ୍ତ୍ୟକ୍ତ ଗାଁ ଲୋକେ ଶେଷରେ ତାଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପିଟିବାଯାଏ କଥା ଯାଇଥିଲା। ଖବର ପାଇ ବାଙ୍ଗିରିପୋଷି ଥାନା ଅଧିକାରୀ ଗୋବିନ୍ଦଚନ୍ଦ୍ର ବେହେରା ପହଞ୍ଚି ତାଙ୍କୁ ଉଦ୍ଧାର କରି ଥାନାକୁ ନେଇଆସିଥିଲେ। ଏଣେ ସଂପୃକ୍ତ ଛାତ୍ରୀଙ୍କ ଏତଲାକ୍ରମେ ବାଙ୍ଗିରିପୋଷି ପୁଲିସ ୧୧୦/୧୭ରେ ଏକ ମାମଲା ରୁଜୁ କରିଛି। ଅଭିଯୋଗ ଭିତ୍ତିରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ କହିଛି। ବିଦ୍ୟାଳୟର ଅନ୍ୟ କେତେକ ଛାତ୍ରୀ ମଧ୍ୟ ଶିକ୍ଷକଙ୍କ ବିରୋଧରେ ଅନୁରୂପ ଅଭିଯୋଗ ଆଣିଛନ୍ତି। ଏପଟେ ପ୍ରଧାନଶିକ୍ଷକ ଶ୍ରୀ ଗିରି ଏହି ଘଟଣାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

ଆସନ୍ତକାଲି ଡାକ୍ତରୀ ମାଇନା ପରେ ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର