ପ୍ରସ୍ତାବିତ ଅଂଗ ନଦୀ ବନ୍ଧ: ୩୦ହଜାର ଲୋକଙ୍କ ପ୍ରତିବାଦ, ଇଚ୍ଛାମୃତ୍ୟୁ ଅନୁମତି ପାଇଁ ରାଷ୍ଟ୍ରପତିଙ୍କୁ ଚିଠି

ବରଗଡ଼ : ବରଗଡ଼ ଜିଲ୍ଲା ପଦ୍ମପୁରରେ ପ୍ରସ୍ତାବିତ ଅଂଗ ନଦୀ ବନ୍ଧକୁ ନେଇ ଆଶାଆଶଂକା ଲାଗି ରହିଛି। ଏଭଳି ସ୍ଥିତିରେ ଏହି ବୃହତ୍‌ ନଦୀବନ୍ଧ ଯୋଜନାକୁ ବିରୋଧ ବଢ଼ି ଚାଲିଛି। ୩୦ ହଜାର ଲୋକ ଏହି ପ୍ରକଳ୍ପକୁ ପ୍ରତିବାଦ କରି ରାଷ୍ଟ୍ରପତିଙ୍କୁ ପୋଷ୍ଟକାର୍ଡ ପଠାଇ ଇଚ୍ଛାମୃତ୍ୟୁ ପାଇଁଁ ନିବେଦନ କରିଛନ୍ତି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୩୨ଖଣ୍ଡ ମୌଜାର ୬୨୨୮ ପରିବାରର ୩୦ହଜାର ଲୋକ ବାସଚ୍ୟୁତ ହେବେ। ୧୧ଟି ମୌଜା ସଂପୂର୍ଣ୍ଣ ଜଳମଗ୍ନ ଏବଂ ୨୧ଟି ଗାଁ ଆଂଶିକ ପ୍ରଭାବିତ ହେବ। ଆଂଶିକ ପ୍ରଭାବିତ ହେଉଥିବା ଅଂଚଳରେ ଚାଷଜମିରେ ପାଣି ମାଡ଼ି ଯିବ। ୩୯୧୨.୬୭ ହେକ୍ଟର ସାଧାରଣ ଜମି, ୨୧୨.୩୫ ହେକ୍ଟର ଜଂଗଲ ଜମି, ୯୭୪.୯୮ ସରକାରୀ ଜମି ଜଗମଗ୍ନ ହେବ। ଏହାବାଦ ଏହି ଅଂଚଳରେ ୟୁରାନିୟମ, ଲୁହାପଥର, ଚୂନ ପଥର ଗଚ୍ଛିତ ଥିବା ପୂର୍ବ ଭୂ-ଗର୍ଭ ସର୍ବେକ୍ଷଣ ରିପୋର୍ଟ କହୁଛି। ତେଣୁ ମୂଲ୍ୟବାନ ଜମି, ଜଂଗଲ ଓ ଖଣି ଜଳସମାଧି ନେବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି। ଏତିକି ହରାଇବା ପରେ ୩୨ ଖଣ୍ଡ ମୌଜାବାସୀ ବିସ୍ଥାପନ ହେବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଭିଟାମାଟି ଛାଡ଼ିବା ଅପେକ୍ଷା ମରିିଯିବା ଭଲ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ଏହି କ୍ରମରେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ବାଳକୃଷ୍ଣ ନାଏକ, ରମେଶ ବାରିକ, ସମାରୁ ଧରୁଆ, ପଦ୍ମଲୋଚନ ବେରିଆ, କ୍ଷୀରସିନ୍ଧୁ ସାହୁ, ରକ୍ଷପାଳ ସାହୁଙ୍କ ନେତୃତ୍ୱରେ ବରଗଡ଼ ମୁଖ୍ୟ ଡାକଘରୁ ରାଷ୍ଟ୍ରପତିଙ୍କୁ ପୋଷ୍ଟକାର୍ଡ ପଠାଯାଇଛି।

ସମ୍ବନ୍ଧିତ ଖବର