ଡେପୁଟେସନ ପ୍ରତିବାଦ:ବିଦ୍ୟାଳୟରେ ତାଲା ଠୁଙ୍କିଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ ଅନ୍ତର୍ଗତ କୋଇଲିପାରି ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ଡେପୁଟେସନକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।  ଲୋକେ ଅସନ୍ତୋଷ ବ୍ୟକ୍ତ କରି ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ତୁରନ୍ତ ପ୍ରଧାନ ଶିକ୍ଷକଙ୍କ ଡେପୁଟେସନକୁ ବାତିଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ସୂଚନା ଅନୁଯାୟୀ, ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପଟ୍ଟନାୟକ ଏହି ବିଦ୍ୟାଳୟରେ ଦୀର୍ଘ ବର୍ଷ ହେଲା ଶିକ୍ଷାଦାନ କରି ଆସୁଛନ୍ତି। ତେବେ ଗତ ଦିନରେ ତାଙ୍କୁ  ଡିଇଓଙ୍କ ନିର୍ଦେଶକ୍ରମେ ଚମ୍ପାନଗର ସ୍ଥିତ ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଥିଲା। ଏହାକୁ ଗ୍ରାମବାସୀ ବିରୋଧ କରି ଆଜି ପ୍ରତିବାଦ ସ୍ୱରୂପ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ। ଲୋକଙ୍କ କହିବା ହେଲା ଆଖପାଖ ୭ଖଣ୍ଡ ଗାଁର ପିଲା ଏଠାରେ ପାଠ ପଢୁଛନ୍ତି। ପ୍ରଧାନ ଶିକ୍ଷକଙ୍କ ଉଦ୍ୟମଯୋଗୁଁ ପିଲାମାନେ ଭଲ ପାଠ ପଢୁଥିବା ବେଳେ ପରୀକ୍ଷା ଫଳ ମଧ୍ୟ ଭଲ ହେଉଛି। ଏପରିକି ଏହି ବିଦ୍ୟାଳୟ ଏକ ଆଦର୍ଶ ବିଦ୍ୟାଳୟ ଭାବେ ସ୍ଥାନୀୟ ଅଞ୍ଚଳରେ ପରିଚିତ। ତେଣୁ ପ୍ରଧାନ ଶିକ୍ଷକଙ୍କୁ ଏମିତି ଡେପୁଟେସନରେ ପଠାଯିବା ଦ୍ୱାରା ପିଲାଙ୍କ ପାଠପଢା ଉପରେ ପ୍ରଭାବ ପକାଇବ ବୋଲି କୁହାଯାଇଛି। ଯାହାଫଳରେ ଆଜି ଗ୍ରାମବାସୀ ଓ ଛାତ୍ରଛାତ୍ରୀ ରାଲି କରିବା ପରେ ସ୍କୁଲ ସମ୍ମୁଖରେ ଧାରାଣାରେ ବସି ରହିଥିଲେ। ପ୍ରକାଶ ଥାଉକି ଏହି ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୧୨୬ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ୪ଜଣ ଶିକ୍ଷକ ରହିଛନ୍ତି। ବର୍ତମାନ ପ୍ରଧାନ ଶିକ୍ଷକଙ୍କ ଡେପୁଟେସନ ଯୋଗୁଁ ଭଲ ଶିକ୍ଷକଙ୍କ ଅଭାବ ପିଲାଙ୍କୁ ପ୍ରଭାବିତ କରିବ। ସେଥିପାଇଁ ଶିକ୍ଷକଙ୍କ ଡେପୁଟେସନକୁ ବିରୋଧ କରାଯିବ ବୋଲିି ସ୍କୁଲର ସଭାପତି ବୁଦ୍ରା ମାଡକାମୀ କହିଛନ୍ତି। ଏନେଇ ଡିଇଓ ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ପଚାରିବାରୁ ଏହି ଖବର ପାଇବା ପରେ ତୁରନ୍ତ କୋରକୋଣ୍ଡା ବିଇଓଙ୍କୁ ଘଟଣାସ୍ଥଳରେ ପହଞ୍ଚି ଏହାର ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିବା କହିଥିଲେ। ଗତ ସପ୍ତାହରେ ମଧ୍ୟ ଏହି ବ୍ଲକର ଚିନ୍ତାପାଲୀ ପଞ୍ଚାୟତ ଅନ୍ତର୍ଗତ ତୋଟାପାଲୀ କଲୋନି ପ୍ରାଥମିକ ବିଦ୍ୟାଳୟରେ ଏହାର ଓଲଟା ଦାବି ଦେଖିବାକୁ ମିଳିଥିଲା। ସେହି ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ତୁରନ୍ତ ବଦଳି କରିବା ପାଇଁ ଗ୍ରାମବାସୀ ସ୍କୁଲରେ ତାଲା ଠୁଙ୍କିଥିବା ବେଳେ ଜିଦରେ ଅଟଳ ରହିଥିଲେ। ବ୍ଲକରେ ଲଗାତାର ଦୁଇ ଦୁଇଟି ସ୍କୁଲରେ ଗ୍ରାମବାସୀ ତାଲା ପକାଉଥିବା ବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। ତେଣୁ ଜିଲ୍ଲାପାଳ ଏହି ଘଟଣାରେ ସାମିଲ ହୋଇ ତଦନ୍ତ କରନ୍ତୁ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର