ଭିମ୍‌ସାରରେ ସାଂଘାତିକ ଷଡ଼ଯନ୍ତ୍ର : ଫେରାଇଦେଲେ ୪୦ ଭେଣ୍ଟିଲେଟର

ସ୍ଥାନାଭାବ ନା ନର୍ସିଂହୋମ୍‌ ପୋଷା ଯୋଜନା!

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା ବୁର୍ଲା ବଡ଼ ମେଡିକାଲ (ଭିମ୍‌ସାର)କୁ ପ୍ରାଣହୀନ କରିବା ପାଇଁ ଚାଲିଛି ସାଂଘାତିକ ଷଡ୍‌ଯନ୍ତ୍ର। ଏହାର ଏକ ବଡ଼ ପ୍ରମାଣ ଏବେ ପଦାକୁ ଆସିଛି। ଏଠାରେ ଭେଣ୍ଟିଲେଟର ଅଭାବରୁ ବହୁ ଗରିବ ଓ ଗୁରୁତର ରୋଗୀଙ୍କୁ ଘରୋଇ ନର୍ସିଂହୋମ୍‌କୁ ପଠାଯାଉଥିବା ବେଳେ ସରକାରଙ୍କ ପକ୍ଷରୁ ଆସିଥିବା ୪୦ଟି ଭେଣ୍ଟିଲେଟର ମେସିନକୁ ମେଡିକାଲ କ୍ୟାମ୍ପସ ଭିତରୁ ଫେରାଇ ଦିଆଯାଇଥିବା ସୂଚନା ମିଳିଛି। ଘଟଣା ଜଣାପଡ଼ିବା ପରେ ସମ୍ବଲପୁରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭିମ୍‌ସାର କର୍ତ୍ତୃପକ୍ଷଙ୍କ ଏହା ଘରୋଇ ମେଡିକାଲ ପ୍ରୀତି ନା ଆଉ କ’ଣ ବୋଲି ପ୍ରଶ୍ନ କରାଯିବା ସହ ଏହି ଘଟଣାରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ସେପଟେ ଧରାପଡ଼ିଯିବା ପରେ କର୍ତ୍ତୃପକ୍ଷ ଘଟଣାକୁ ଘୋଡ଼ାଇ ପକାଇବାକୁ ଓ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଜୋରଦାର ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲା ତଥା ପଡ଼ୋଶୀ ରାଜ୍ୟର ଲକ୍ଷ ଲକ୍ଷ ରୋଗୀ ନିର୍ଭର କରୁଥିବା ଏହି ମେଡିକାଲରେ ୧୧୩୧ଟି ବେଡ୍‌ ରହିଛି। କିନ୍ତୁ ମେଡିକାଲରେ ଅଛି ମାତ୍ର ୨୦ଟି ଭେଣ୍ଟିଲେଟର(ଜୀବନରକ୍ଷକ ଯନ୍ତ୍ର)। ଗୁରୁତର ରୋଗୀଙ୍କ ସଂଖ୍ୟା ଦୃଷ୍ଟିରୁ ଏହା ଖୁବ୍‌ କମ୍‌। ଏଥିସହ ଏହି ୨୦ ଭେଣ୍ଟିଲେଟରରୁ ଅତିକମ୍‌ରେ ୫ଟି ବର୍ଷର ସବୁ ସମୟରେ ଅଚଳ ହୋଇ ରହୁଛି। ତେଣୁ ଭେଣ୍ଟିଲେଟର ଆବଶ୍ୟକ କରୁଥିବା ରୋଗୀଙ୍କୁ ଡାକ୍ତରମାନେ ତୁରନ୍ତ ନିକଟସ୍ଥ ଘରୋଇ ଡାକ୍ତରଖାନା ଓ ନର୍ସିଂହୋମ୍‌କୁ ପଠାଇ ଦେଉଛନ୍ତି। ରୋଗୀ ସମ୍ପର୍କୀୟମାନେ ଏଥିଲାଗି ଘରୋଇ ନର୍ସିଂ ହୋମ୍‌ଗୁଡ଼ିକରେ ମୋଟା ଅଙ୍କର ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି। ୨୦୧୭ ସେପ୍ଟେମ୍ବର ମାସରେ ତତ୍‌କାଳୀନ ଭିମ୍‌ସାର କର୍ତ୍ତୃପକ୍ଷ ମେଡିକାଲରେ ଭେଣ୍ଟିଲେଟର ଅଭାବ ଥିବା ନେଇ ସରକାରଙ୍କୁ ଚିଠି ଯୋଗେ ଅବଗତ କରାଇଥିଲେ। ଏହାପରେ ୨୦୧୮ରେ ସରକାରଙ୍କ ପକ୍ଷରୁ ଆସିଥିବା ଚିଠିର ଉତ୍ତର ଦେଇ କର୍ତ୍ତୃପକ୍ଷ ୪୦ଟି ଭେଣ୍ଟିଲେଟରର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଥିଲେ। ସରକାର ମଧ୍ୟ ଏହାକୁ ଗ୍ରହଣ କରିଥିଲେ। ସମଗ୍ର ଦେଶରେ ଏକାସାଙ୍ଗରେ ହୋଇଥିବା ଟେଣ୍ଡର ଅନୁସାରେ ଚଳିତ ବର୍ଷ ଫେବ୍ରୁଆରି ୧୩ ତାରିଖରେ ଦୁଇଟି ଟ୍ରକ୍‌ରେ ୪୦ଟି ମିଡ୍‌-ଏଣ୍ଡ ଭେଣ୍ଟିଲେଟର ଓ ହାଇ-ଏଣ୍ଡ ଭେଣ୍ଟିଲେଟର ମେସିନ୍‌ ବୁର୍ଲା ବଡ଼ ମେଡିକାଲରେ ପହଞ୍ଚିଥିଲା। କିନ୍ତୁ ୧୪ ତାରିଖ ସକାଳେ ମେଡିକାଲର କିଛି ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇ ଉକ୍ତ ଭେଣ୍ଟିଲେଟରଗୁଡ଼ିକୁ ସରକାରଙ୍କୁ ଫେରାଇ ଦିଆଯାଇଥିଲା। ମେଡିକାଲରେ ଏହି ମେସିନ୍‌ ରଖିବାକୁ ଯାଗା ନାହିଁ ବୋଲି ଦର୍ଶାଯାଇଥିଲା। କେବଳ ଏତିକି ନୁହେଁ, ଘଟଣା ଜଣାପଡ଼ିଲେ କାଳେ ଜନ ଅସନ୍ତୋଷ ବଢ଼ିବ ସେଥିଲାଗି ଏହାକୁ ଯଥାସମ୍ଭବ ଗୋପନ ରଖାଯାଇଥିଲା ବୋଲି ମଧ୍ୟ ଏବେ ସୂଚନା ମିଳିଛି।

ଗୋଟିଏ ପଟେ ମେଡିକାଲରେ ଭେଣ୍ଟିଲେଟର ଅଭାବ ଥିବା ଦର୍ଶାଇ କର୍ତ୍ତୃପକ୍ଷ ରୋଗୀଙ୍କୁ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରୁଥିବା ବେଳେ ସରକାରଙ୍କ ପକ୍ଷରୁ ହାତ ପାହାନ୍ତାକୁ ଆସିଥିବା ଭେଣ୍ଟିଲେଟରକୁ ମେଡିକାଲ ପରିସରରୁ ଫେରାଇ ଦିଆଯିବା ଘଟଣା କେତେଦୂର ଠିକ୍‌ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଭିମ୍‌ସାରର ଭାରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଡା.ସଚ୍ଚିଦାନନ୍ଦ ପାଣ୍ଡେଙ୍କୁ ଯୋଗାଯୋଗ କରାଯିବାରେ, ମେଡିକାଲ ପରିସରକୁ ଆସିଥିବା ଭେଣ୍ଟିଲେଟରଗୁଡ଼ିକୁ ଫେରାଇ ଦିଆଯିବା ଘଟଣାକୁ ସେ ସ୍ବୀକାର କରିଛନ୍ତି। ତେବେ ସୁପରସ୍ପେସିଆଲିଟି ବିଭାଗଗୁଡ଼ିକ ପାଇଁ କୋଠା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଏତେ ସଂଖ୍ୟକ ଭେଣ୍ଟିଲେଟର ରଖିବାକୁ ଜାଗା ନଥିଲା। ତେଣୁ ସମସ୍ତ ଭେଣ୍ଟିଲେଟର ଫେରାଇବାକୁ ନିଷ୍ପତ୍ତି ନିଆଯାଇଥିଲା ଓ ଏ ସମ୍ପର୍କିତ ଚିଠି ମଧ୍ୟ ସରକାରଙ୍କୁ ଲେଖାଯାଇଛି ବୋଲି ଡା.ପାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର