ଇସ୍ତଫା ପରେ କ୍ବାର୍ଟର୍ସ ଛାଡ଼ିଲେ ଡା. ପୂଜାହାରୀ, ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା

ସମ୍ବଲପୁର : ଭିମସାର ନିର୍ଦେଶକ ପଦରୁ ଡା. ଅଶ୍ବିନୀ ପୂଜାହାରୀ ଇସ୍ତଫା ଦେଇଥିବା ନେଇ ଶନିବାର ତାଙ୍କ ବାସଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ଇସ୍ତଫା ଦେବାର ୨୪ ଘଣ୍ଟା ମଧ୍ୟରେ ସାମ୍ବାଦିକଙ୍କ ଉପସ୍ଥିତିରେ ଡା.ପୂଜାହାରୀ ସରକାରୀ ବାସଭବନ ଛାଡ଼ିଛନ୍ତି। ଏହାପରେ ଡା.ପୂଜାହାରୀ ସମ୍ବଲପୁର ବୁଢ଼ାରଜା ସ୍ଥିତ ଘରକୁ ଫେରିଥିବା ଜଣାପଡ଼ିଛି।

ପିଜି ଛାତ୍ରମାନଙ୍କ ଅଭିଯୋଗ ମୁତାବକ, ଡା,ପୂଜାହାରୀଙ୍କ ଗତ ଡିସେମ୍ବର ୭ ତାରିଖରୁ ସରକାର ଛୁଟିରେ ପଠାଇଥିଲେ। ତଦନ୍ତ ରିପୋର୍ଟ ଆଧାରରେ ଡା.ପୂଜାହାରୀଙ୍କ ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ମଧ୍ୟ କୁହାଯାଇଥିଲା। କିନ୍ତୁ ଅଦ୍ୟାବଧି ସରକାରଙ୍କ ପକ୍ଷରୁ କୌଣସି ନିଷ୍ପତ୍ତି ନିଆନଯିବାରୁ ଡା. ପୂଜାହାରୀ ନିର୍ଦେଶକ ପଦରୁ ଶୁକ୍ରବାର ଇସ୍ତଫା ଦେଇଥିଲେ। ଡା.ପୂଜାହାରୀ କହିଛନ୍ତି ଯେ, ଏତେଦିନ କେବେ ସେ ଛୁଟି‌ରେ ରହିନଥିଲେ। ତାଙ୍କ ନିକଟରେ ୩ଟି ବିକଳ୍ପ ରହିଥିଲା। ପ୍ରଥମେ ଏଭଳି ଛୁଟିରେ ରହି ସରକାରଙ୍କ କାର୍ଯ୍ୟପନ୍ଥାକୁ ଅପେକ୍ଷା କରିବା, ଦ୍ବିତୀୟରେ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହେବା ଓ ତୃତୀୟରେ ନିଜ ଭବିଷ୍ୟତ ପନ୍ଥା‌ ନିଜେ ନିର୍ଧାରଣ କରିବା। ତେବେ ସେ ତୃତୀୟ ବିକଳ୍ପକୁ ନିଜ ପାଇଁ ଠିକ୍‌ ବୋଲି ଭାବିଥିବା ଡା.ପୂଜାହାରୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ତେବେ ବର୍ତ୍ତମାନ ତାଙ୍କ ନିକଟକୁ ଅନେକ ମେଡିକାଲରୁ ଚାକିରି ପାଇଁ ଆମନ୍ତ୍ରଣ ଆସିଛି। ସେପଟେ, ଏକ ନିର୍ଦ୍ଧିଷ୍ଟ ଜାତୀୟ ରାଜନୈତିକ ଦଳ ତାଙ୍କ ସହ ଯୋଗାଯୋଗ କରିଥିବା କଥାକୁ ଡା.ପୂଜାହାରୀ ସ୍ବୀକାର କରିଛନ୍ତି। ତେବେ ଚାକିରି ନା ରାଜନୀତିକୁ ସେ ଚୟନ କରିବେ ସେନେଇ ପରିବାର ଲୋକଙ୍କ ସହ ବିଚାର ବିମର୍ଶ ପରେ ଦୁଇ ଚାରି ଦିନ ମଧ୍ୟରେ ଗଣମାଧ୍ୟମକୁ ଜଣାଇବେ ବୋଲି ଡା.ପୂଜାହାରୀ କହିଛନ୍ତି।

ସମ୍ବନ୍ଧିତ ଖବର