ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଭିମସାର ଡାକ୍ତର : ଆଗୁଆ ଦରମା ନୁହେଁ, ସୁରକ୍ଷା ଉପକରଣ ଦିଅ

ସମ୍ବଲପୁର : ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ମନୋବଳ ବୃଦ୍ଧି ପାଇଁ ରାଜ୍ୟ ସରକାର ଆଗୁଆ ୪ ମାସର ଦରମା ଦେବାକୁ ଘୋଷଣା କରିଛନ୍ତି। କିନ୍ତୁ ଡାକ୍ତରମାନଙ୍କୁ ଏହି ଆଗୁଆ ଦରମା ଦେବା ବଦଳରେ ବର୍ତ୍ତମାନର ଘଡ଼ିସନ୍ଧି ମୁହୂର୍ତ୍ତରେ ତାକୁ ଗରିବ ‌ଓ ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ଖର୍ଚ୍ଚ କରିବାକୁ ଭିମସାର୍‌ର କିଛି ଡାକ୍ତର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ଭିମସାର୍‌ ଅଧୀକ୍ଷକଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଅନୁଷ୍ଠାନର ୨୪ ଜଣ ଡାକ୍ତର ଉଲ୍ଲେଖ କରିଛନ୍ତି ଯେ ଆମେ ଆପଣଙ୍କ ଘୋଷଣାକୁ ସ୍ବାଗତ କରୁଛୁ। ଏହି ସଂକଟର ସମୟରେ ଆପଣଙ୍କ ସହ ରହି ରାଜ୍ୟ ପାଇଁ କାମ କରିବାକୁ ପ୍ରତିଶ୍ରୁତି ଦେଉଛୁ। ତେବେ ବର୍ତ୍ତମାନ ଡାକ୍ତରଙ୍କୁ ଆଗୁଆ ଦରମା ଦେବା ଅପେକ୍ଷା ଗରିବ ଲୋକଙ୍କ ପାଇଁ ଓ ଆବଶ୍ୟକ ଥିବା ସ୍ଥାନରେ ତାହା ଖର୍ଚ୍ଚ କରିବା ଅଧିକ ଜରୁରୀ। ତେଣୁ ଡାକ୍ତରମାନଙ୍କୁ ୪ ମାସର ଆଗୁଆ ଦରମା ଦେବା ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନିଅନ୍ତୁ, କାରଣ ପରିସ୍ଥିତିର ମୁକାବିଲା ପାଇଁ ଅର୍ଥର ଆବଶ୍ୟକତା ରହିଛି ବୋଲି ଏହି ଡାକ୍ତରମାନେ ପତ୍ରରେ ଉଲ୍ଲେଖ କରିଛନ୍ତି। ତେବେ କରୋନା ମୁକାବିଲା ପାଇଁ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ଉନ୍ନତ ମାନର ବ୍ୟକ୍ତିଗତ ସୁରକ୍ଷା ଉପକରଣ ଆବଶ୍ୟକ। ତେଣୁ ନିର୍ଧାରିତ ମାନର ମାସ୍କ, ଗ୍ଲୋବ୍‌ସ, ଡାକ୍ତରୀ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଆବଶ୍ୟକତା ଅନୁଯାୟୀ ଯୋଗାଇ ଦେବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଡା. ଶଂକର ରାମଚନ୍ଦାନୀଙ୍କ ନେତୃତ୍ବରେ କରା ଯାଇଥିବା ଏହି ଆବେଦନରେ ଭିମସାର୍‌ର କନିଷ୍ଠ ଡାକ୍ତର, ବରିଷ୍ଠ ଆବାସିକ ଡାକ୍ତର ଓ ଆସିଷ୍ଟାଣ୍ଟ ପ୍ରଫେସରମାନେ ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର