ଭିମ୍‌ସାର କନିଷ୍ଠ ଡାକ୍ତରଙ୍କ ଆନ୍ଦୋଳନ ୧୩ ଦିନରେ : ରୋଗୀଙ୍କ ଦୁର୍ଦ୍ଦଶା ବଢ଼ୁଛି

ପୁଣି ଆସି‌େବ ତଦନ୍ତକାରୀ ଦଳ!, ସାମ୍ବାଦିକ ସମ୍ମିଳନୀରେ ହଙ୍ଗାମା

ସମ୍ବଲପୁର : ଭିମ୍‌ସାରରେ କନିଷ୍ଠ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଶନିବାର ୧୩ ଦିନରେ ପହଞ୍ଚିଛି। କନିଷ୍ଠ ଡାକ୍ତରଙ୍କ ଏହି ଆନ୍ଦୋଳନ ଯୋଗୁଁ ସ୍ବାସ୍ଥ୍ୟସେବା ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ୁଥିବା ବେଳେ ଏଯାବତ୍ ସରକାରଙ୍କ ପକ୍ଷରୁ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଅତିରିକ୍ତ ଡାକ୍ତର ପଠାଇବା ପାଇଁ ଭିମ୍‌ସାର ନିର୍ଦେଶକ ୩ ଦିନ ତଳୁ ସରକାରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇନାହିଁ। ଶନିବାର ମଧ୍ୟ ଭିମସାରରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ଆନ୍ତଃବିଭାଗ(ଆଇପିଡି)ରେ ମୋଟ ୧୯୧ ଜଣ ରୋଗୀ ଭର୍ତ୍ତି ହୋଇଥିବା ବେଳେ ବହିର୍ବିଭାଗ(ଓପିଡି)ରେ ୧୭୧୮ ଜଣ ରୋଗୀ ଚିକିତ୍ସିତ ହୋଇଥିବା ସୂଚନା ମିଳିଛି। ମାତ୍ର କନିଷ୍ଠ ଡାକ୍ତରମାନେ ନ ଥିବାରୁ ଦୈନନ୍ଦିନ ରୋଗୀସେବା ସହ ଅସ୍ତ୍ରୋପଚାର ଓ ଅନ୍ୟ ଜରୁରୀକାଳୀନ ସେବା ବ୍ୟାହତ ହେଉଛି।

ସେପଟେ, କନିଷ୍ଠ ଡାକ୍ତର ସଂଘ ନିର୍ଦେଶକ ଡା. ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ ଆଣିଥିବା ୧୦ ଦଫା ଅଭିଯୋଗର ତଦନ୍ତ ଶେଷ ହୋଇଥିବା ବେଳେ ଏହି ପ୍ରକ୍ରିୟା ନିରପେକ୍ଷତା ନେଇ ଅନେକ ସାମାଜିକ ସଙ୍ଗଠନ ଓ ବ୍ୟକ୍ତିବିଶେଷ ପ୍ରଶ୍ନ ଉଠାଇଛନ୍ତି। ତେଣୁ ଅଭିଯୋଗଗୁଡ଼ିକର ପୁନଃତଦନ୍ତ ପାଇଁ ସ୍ବାସ୍ଥ୍ୟ ବିଭାଗରୁ ପୁଣି ଏକ ତଦନ୍ତକାରୀ ଦଳ ଭିମ୍‌ସାର ଆସିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ଦଳ ପୁଣି ଥରେ ଭିମ୍‌ସାର ଆସିଲେ, ନିଜର ପକ୍ଷ ରଖିବାକୁ ସୁଯୋଗ ପାଇନଥିବା ସଂଗଠନ ତଥା ବ୍ୟକ୍ତିବିଶେଷ ସେମାନଙ୍କର ମତ ରଖିପାରିବେ ବୋଲି କୁହାଯାଉଛି। ତେବେ ଏହି ତଦନ୍ତକାରୀ ଦଳ କେବେ ଆସିବେ ଓ ଏହି ଟିମ୍‌ରେ କିଏ କିଏ ରହୁଛନ୍ତି, ସେନେଇ ଏଯାବତ୍ କୌଣସି ସୂଚନା ମିଳିନାହିଁ। ଏନେଇ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ବିଭୂତି ଭୂଷଣ ଦାଶଙ୍କୁ ପଚାରିବାରୁ ସେନେଇ ତାଙ୍କ ପାଖରେ କୌଣସି ସୂଚନା ନଥିବା କହିଛନ୍ତି।

ଅନ୍ୟପକ୍ଷରେ, ନିର୍ଦେଶକ ଡା.ଅଶ୍ବିନୀ ପୂଜାହାରୀଙ୍କ ବିରୋଧରେ ଆଣିଥିବା ଅଭିଯୋଗ ନେଇ ଅଧିକ ତଥ୍ୟ ପ୍ରମାଣ ଦେବାକୁ ଆଜି ଜେଡିଏ ପକ୍ଷରୁ ଡକାଯାଇଥିବା ସାମ୍ବାଦିକ ସମ୍ମିଳନୀ‌େର ହଙ୍ଗାମା ଦେଖିବାକୁ ମିଳିଛି। କିଛି ସାମ୍ବାଦିକ ଏଠାକୁ ଯାଉଥିବା ବେଳେ ଜଣେ କନିଷ୍ଠ ଡାକ୍ତରଙ୍କ ମନ୍ତବ୍ୟକୁ ନେଇ ସେମାନଙ୍କ କଥା କଟାକଟି ଓ ଉଚ୍ଚବାଚ ହୋଇଥିଲା। ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିଲା। ତେବେ ସଂପୃକ୍ତ କନିଷ୍ଠ ଡାକ୍ତର ଜେଡିଏ ସହ ସଂପୃକ୍ତ ନୁହନ୍ତି ବୋଲି ଜେଡିଏ ଉପସଭାପତି ହିମାଂଶୁ ମିଶ୍ର କହିଛନ୍ତି। ଏ ନେଇ ଆଜି କୌଣସି ଅଭିଯୋଗ ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର