ଭିମ୍‌ସାର୍‌ରେ ଯନ୍ତ୍ରପାତି ସଂକଟ: ଘରୋଇ କ୍ଲିନିକରେ ୯୦% ପରୀକ୍ଷା

ସମ୍ବଲପୁର: ଭିମ୍‌ସାର୍‌ରେ ରୋଗୀଙ୍କ ପରୀକ୍ଷା ପାଇଁ ବିଭିନ୍ନ ଉପକରଣର ଅଭାବରୁ ରୋଗୀମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଥି ପାଇଁ ଅନୁଷ୍ଠାନକୁ ଓ ଏହାର ପ୍ରବନ୍ଧନକୁ ମଧ୍ୟ ଲଜ୍ଜାକର ଓ ବେଳେବେଳେ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ୁଛି। ତେଣୁ ବିଭିନ୍ନ ବିଭାଗରେ ଅତ୍ୟାବଶ୍ୟକ ଉପକରଣ ଯୋଗାଇବାର ବ୍ୟବସ୍ଥା କରିବାକୁ ଭିମ୍‌ସାର୍‌ର ନିର୍ଦ୍ଦେଶକ ଡ. ଅଶ୍ୱିନୀ ପୂଜାହାରୀ ସ୍ୱାସ୍ଥ୍ୟ ସଚିବଙ୍କୁ ପତ୍ର ଲେଖିଛନ୍ତି। ଆମର ହସ୍ତଗତ ହୋଇଥିବା ପତ୍ର ସଂଖ୍ୟା ୩୧୭, ତା. ୨୬.୧୦.୧୭ରେ ନିର୍ଦ୍ଦେଶକ ଉଲ୍ଲେଖ କରିଛନ୍ତି ଯେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ୧୦% ପରୀକ୍ଷା ଅନୁଷ୍ଠାନର ବାୟୋକେମିଷ୍ଟ୍ରି ଓ ପାଥୋଲଜି ବିଭାଗର ପରୀକ୍ଷାଗାରରେ ହେଉଥିଲାବେଳେ ୯୦% ବାହାରେ ଘରୋଇ କ୍ଲିନିକରେ ହେଉଛି। ଡାକ୍ତରଖାନାରେ ଆବଶ୍ୟକ ଉପକରଣ ନଥିବାରୁ ଏହା ସମ୍ଭବ ହେଉ ନାହିଁ। ଏଥି ପାଇଁ ୪ଟି ପୂର୍ଣ୍ଣ ଅଟୋ ଅନାଲାଇଜର୍‌ ଯନ୍ତ୍ର, ପୂର୍ଣ୍ଣ ସ୍ୱୟଂଚାଳିତ ଟିସ୍ୟୁ ପ୍ରୋସେସର, ପୂର୍ଣ୍ଣ ସ୍ୱୟଂଚାଳିତ ରୋଟାରି ମାଇକ୍ରୋଟମ, ଇଲେକ୍ଟ୍ରୋଲାଇଟ୍‌ ଆନାଲାଇଜର, ପୂର୍ଣ୍ଣ ସ୍ୱୟଂଚାଳିତ ହରମୋନ ଆନାଲାଇଜରର ଆବଶ୍ୟକତା ରହିଛି। ଏଣ୍ଡୋସ୍କୋପି ବିଭାଗ ପାଇଁ ପେଡିଆଟ୍ରିକ ଆଣ୍ଡ ଆଡଲ୍‌ଟ ଏଣ୍ଡ-ଭିଉଇଂ ଏଣ୍ଡୋସ୍କୋପି ୟୁନିଟ୍‌, ସାଇଡ୍‌ ଭିଉଇଂ ଥେରାପିକ ଏଣ୍ଡୋସ୍କୋପ, କଲୋନୋସ୍କୋପ, ବାୟୋପ୍‌ସି ସଂପର୍କିତ ଯନ୍ତ୍ରପାତି, ଥେରାପିକ ଏଣ୍ଡୋସ୍କୋପି ପାଇଁ ଇଲେକ୍ଟ୍ରୋ କଟେରି ଓ ଅନ୍ୟ ଏନର୍ଜି ଡିଭାଇସ୍‌ର ଆବଶ୍ୟକତା ଥିବା ନିର୍ଦ୍ଦେଶକ ଉଲ୍ଲେଖ କରିଛନ୍ତି।
ସେହିପରି ରେଡିଓ ଡାଇଗ୍ନୋସିସ୍‌ ବିଭାଗରେ ମାତ୍ର ଗୋଟିଏ ଅଲ୍‌ଟ୍ରା ସାଉଣ୍ଡ ମେସିନ୍‌ ରହିଛି। ସିଟି ସ୍କାନ ମେସିନ ୧୦ ବର୍ଷରୁ ଅଧିକ ପୁରୁଣା। ଏହା ଆଦୌ କାମ ଦେଉ ନାହିଁ। ଏକମାତ୍ର ଡିଜିଟାଲ ଏକ୍ସ-ରେ ମେସିନ ବାରମ୍ବାର ଖରାପ ହେଉଛି। ୨୦୦୪-୦୫ରେ ୩ଟି ଏକ୍ସ-ରେ ମେସିନ କିଣା ଯାଇଥିଲା। ହେଲେ ମାତ୍ର ୬ ମାସ ଚାଲିବା ପରେ ତାହା ଅଚଳ ହୋଇ ଯାଇଥିଲା। ଏହା ବର୍ତମାନ କେବଳ ସ୍ଥାନ ମାଡ଼ି ବସିଛି। ତେଣୁ ଏହି ବିଭାଗରେ ୩ଟି ଅଲ୍‌ଟ୍ରା ସୋନୋଗ୍ରାଫି ମେସିନ୍‌, ୩ଟି ଏକ୍ସ-ରେ ମେସିନ୍‌ ଏବଂ ଗୋଟି, ୧୨୮/୨୫୬ ଏମ୍‌ଡିସିଟି ସ୍ଲାଇସ୍‌ ସିଟି ସ୍କାନ ମେସିନ୍‌ର ଜରୁରୀ ଆବଶ୍ୟକତା ରହିଛି। ଶଲ୍ୟ, ଅସ୍ଥିଶଲ୍ୟ, ନ୍ୟୁରୋସର୍ଜରି ବିଭାଗର ଅପରେସନ୍‌ ଥିଏଟର୍‌ରେ ୪ଟି ଅସ୍ତ୍ରୋପଚାର ଟେବୁଲ ବଦଳା ଯିବାର ଆବଶ୍ୟକତା ରହିଛି। ମୃତ ଶରୀର ରଖିବାକୁ ଡାକ୍ତରଖାନାରେ କୌଣସି ମର୍ଗ ନାହିଁ। ଯେଉଁ ସ୍ଥାନରେ ମୃତ ଦେହ ରଖାଯାଉଛି ତାହା ଉପଯୁକ୍ତ ନୁହେଁ। ତେଣୁ ୧୬ ଚାମ୍ବର ବିଶିଷ୍ଟ ଏକ ଫ୍ରିଜର୍‌ର ଆବଶ୍ୟକତା ରହିଛି। ସମସ୍ତ ବିଭାଗୀୟ ମୁଖ୍ୟଙ୍କ ସହ ବିସ୍ତତ ଆଲୋଚନା ପରେ ଏହି ସବୁ ଜରୁରୀ ଆବଶ୍ୟକ ଉପକରଣ ଓ ଯନ୍ତ୍ରପାତିର ତାଲିକା କରାଯାଇଛି। ତେଣୁ ଏହା ତୁରନ୍ତ ଯୋଗାଇବାର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶକ ସଚିବଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର