ସାଇନ ଡାଏ ଘୋଷଣାକୁ ବିରୋଧ

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପୁଣି ଅଶାନ୍ତି

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆଜିଠାରୁ ପାଠପଢା ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ପୁଣି ଥରେ ଛାତ୍ର ଅଶାନ୍ତି ସୃଷ୍ଟି ହୋଇଛି। ସାଇନ ଡାଏ ଘୋଷଣାକୁ ବିରୋଧ କରି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ପିକେଟିଂ କରି ପାଠପଢ଼ା ସଂପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। ଏପଟେ କୁଳପତି କହିଛନ୍ତି ଯେ, ଛାତ୍ରଛାତ୍ରୀ ଯେଉଁ ସବୁ ଦାବି ରଖିଥିଲେ ତାହାର ୯୦ପ୍ରତିଶତ ପୂରଣ କରାଯାଇଛି। ଏହା ସହିତ ଖୁବଶୀଘ୍ର ବିଶ୍ୱବିଦ୍ୟାଳୟରେ ଜଣେ କୁଳସଚିବଙ୍କୁ ନିଯୁକ୍ତି ଦିଆଯିବ ବୋଲି ସେ କହିଛନ୍ତି।
କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖା ଦେବା ପରେ ଗତ ୧୫ତାରିଖରେ ସାଇନ ଡାଏ ଘୋଷଣା କରାଯାଇଥିଲା। ୨୮ତାରିଖରେ ବିଭିନ୍ନ ବିଭାଗୀୟ ମୁଖ୍ୟ ଓ କୁଳପତି ଏକ ବୈଠକ କରି ବିଶ୍ୱବିଦ୍ୟାଳୟର ସ୍ଥିତି ନେଇ ଆଲୋଚନା କରିବା ପରେ ସାଇନ ଡାଏ ଉଠାଇବା ନେଇ ନିଷ୍ପତ୍ତି ନେଇଥିଲେ। ତେଣୁ ଗତକାଲି ହଷ୍ଟେଲ ଗୁଡିକ ଖୋଲା ହେବା ପରେ ଆଜିଠାରୁ ପାଠପଢ଼ା ଆରମ୍ଭ ହୋଇଛି। ହେଲେ ପାଠପଢ଼ା ସ୍ୱାଭାବିକ ହେବା ଆଗରୁ କିଛି ଅସନ୍ତୁଷ୍ଟ ଛାତ୍ରଛାତ୍ରୀ କ୍ୟାମ୍ପସ ଭିତରେ ପିକେଟିଂ କରି ପାଠପଢ଼ା ବନ୍ଦ କରି ଦେଇଛନ୍ତି।
ଅନ୍ୟପକ୍ଷରେ, ସାଇନ ଡାଏ ହଟିବା ପରେ ବିଶ୍ୱବିଦ୍ୟାଳୟରେ ସ୍ୱାଭାବିକ ଭାବେ ପାଠପଢ଼ା ଚାଲିଛି ବୋଲି କୁଳପତି ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି ଆଜି ସାମ୍ବାଦିକ ସମ୍ମିଳୀନରେ ସୂଚନା ଦେଇଛନ୍ତି। ବିଶ୍ୱବିଦ୍ୟାଳୟ କେମିତି ସ୍ୱାଭାବିକ ଭାବେ କାର୍ଯ୍ୟ କରିବ ସେ ଦିଗରେ ସମସ୍ତ ପଦକ୍ଷେପ ନିଆଯାଇଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର