ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ବିରୋଧ : ଜନଶୁଣାଣି ପାଲଟିଲା ରଣକ୍ଷେତ୍ର

୭ପୁଲିସ କର୍ମଚାରୀଙ୍କ ସମେତ ୧୦ରୁ ଅଧିକ ଆହତ

ପୁଲିସ ଲାଠିମାଡ଼ରେ ସରପଞ୍ଚଙ୍କ ସମେତ ୨ଗୁରୁତର

କଟକ/ଖୁଣ୍ଟୁଣୀ : ଆଠଗଡ ତହସିଲ, ଖୁଣ୍ଟୁଣୀ ଥାନା ଅଞ୍ଚଳରେ ପ୍ରସ୍ତାବିତ ସିମେଣ୍ଟ୍‌ କାରଖାନାର ଜନଶୁଣାଣିରେ ଆଜି ତୁମୁଳକାଣ୍ଡ ସୃଷ୍ଟି ହୋଇଛି। କାରଖାନାର ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହେବା ସହ ପରସ୍ପରକୁ ଆକ୍ରମଣ କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠି ମାଡ଼ କରିଥିବା ବେଳେ ଏଥିରେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଗଣ୍ଡଗୋଳରେ ୭ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ସ୍ଥାନୀୟ ସରପଞ୍ଚଙ୍କ ସମେତ ୨ ଜଣ ଗୁରୁତର ହୋଇଛନ୍ତି। ଏଭଳି ସ୍ଥିତିରେ ଆଜିର ଜନଶୁଣାଣିକୁ ବାତିଲ କରି ଦିଆଯାଇଛି। ଅନ୍ୟପଟେ ସପକ୍ଷବାଦୀଙ୍କ ମଧ୍ୟରେ ବିଜେଡି ଓ ବିରୋଧୀଙ୍କ ମଧ୍ୟରେ ବିଜେପି କର୍ମୀ ରହି ଏଭଳି ମୁହାଁମୁହିଁ ହୋଇଥିବା କୁହାଯାଉଛି।

ସୂଚନା ଅନୁଯାୟୀ ଆଠଗଡ଼ ତହସିଲ, ଖୁଣ୍ଟୁଣୀ ଥାନା ରାଧାକିଶୋରପୁର ପଞ୍ଚାୟତର ଖମାରନୂଆଗାଁ ଓ ଗୁରୁଡିଝାଟିଆ ପଞ୍ଚାୟତର କୋଳଥପଙ୍ଗୀ ଗ୍ରାମର ମଧ୍ୟବର୍ତ୍ତୀସ୍ଥାନରେ ୯୦ ଏକର ଗୋଚର ଓ କିଛି ଜଙ୍ଗଲ କିସମ ଜମିକୁ ଆଦିତ୍ୟ ବିର୍ଲ୍ଲା ଗ୍ରୃପ ପକ୍ଷରୁ ପ୍ରସ୍ତାବିତ ଅଲଟ୍ରାଟେକ୍‌ ସିମେଣ୍ଟ କାରଖାନା ପାଇଁ ଦେବାକୁ ଆଜି ଜନଶୁଣାଣି କରାଯାଉଥିଲା। ଜନଶୁଣାଣି ପାଇଁ ଠିକ୍‌ ଦିନ ୧୧ଟାରେ କଟକ ଅତିରିକ୍ତ ଜିଲ୍ଲାପାଳ ରଘୁରାମ ଆୟାର, ଆଠଗଡ ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ନାୟକ, ତହସିଲଦାର ବିନୋଦ ଜେନା, ପ୍ରଦୂଷଣ ବିଭାଗ ଅଧିକାରୀ ଓ କମ୍ପାନୀ କର୍ତ୍ତୃପକ୍ଷ ପହଞ୍ଚି ଥିଲେ। ଅଧିକାରୀମାନେ ମଞ୍ଚ ଉପରକୁ ଉଠିବାମାତ୍ରେ କଂପାନିକୁ ବିରୋଧ କରୁଥିବା ଲୋକ ପ୍ଲାକାର୍ଡ ଧରି ନାରାବାଜି ଦେବା ଆରମ୍ଭ କରିଥିଲେ। ଜନଶୁଣାଣିସ୍ଥଳରେ ଉପସ୍ଥିତ ଶଙ୍ଖେଶ୍ୱର ପରିବେଶ ଓ ଗୋଚର ସୁରକ୍ଷା ପରିଷଦ ଖମାର ନୂଆଗାଁ ଓ କୋଳଥପଙ୍ଗୀ ଗ୍ରାମର ୩ଶହରୁ ଉର୍ଦ୍ଧ୍ୱ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ।

ସେହି ସମୟରେ ବିଜେପି ଖୁଣ୍ଟୁଣୀ ମଣ୍ଡଳ କର୍ମୀ, ଜିଲ୍ଲା ସାଧାରଣ ସଂପାଦକ ରାମ ନାରାୟଣ ମହାନ୍ତି, ଗୁରୁଡିଝାଟିଆ ସରପଞ୍ଚ ପ୍ରଜ୍ଞାଂଶୁ ମହାପାତ୍ରଙ୍କ ନେତୃତ୍ୱରେ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ବିରୋଧ ପ୍ରଦର୍ଶନ କରିଥିଲେ। କିନ୍ତୁ ଠିକ୍‌ ସେହି ସମୟରେ କିଛି କମ୍ପାନୀ ସପକ୍ଷବାଦୀ ପହଞ୍ଚି ଅଲଟ୍ରାଟେକ୍‌ ସ୍ୱାଗତମ୍‌ ଧ୍ୱନିଦେଇ ଜନଶୁଣାଣିସ୍ଥଳରେ ପହଞ୍ଚିବାମାତ୍ରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ସପକ୍ଷ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଥିଲେ। ଉଭୟପକ୍ଷ ମଧ୍ୟରେ ଠେଲାପେଲା, ଢେଲା ମାଡ, ଚୌକି ଫିଙ୍ଗା ଆରମ୍ଭ ହୋଇଯିବା ସହ ଜନଶୁଣାଣିସ୍ଥଳ ରଣକ୍ଷେତ୍ର ପାଲଟିଥିଲା। ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଠି ଚାଳନା କରିବା ଫଳରେ ଉଭୟ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ। କିନ୍ତୁ ସେମାନେ ପୁଲିସ ଉପରକୁ ଢେଲାମାଡ କରିଥିଲେ। ଦୀର୍ଘ ଦେଢ ଘଣ୍ଟା ଧରି ଏଭଳି ପରିସ୍ଥିତି ଲାଗି ରହିଥିଲା।

ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ନାୟକ, ଚୌଦ୍ୱାର ଏସ୍‌ଡିପିଓ ସତ୍ୟ ନାରାୟଣ ଦାଶ, ଖୁଣ୍ଟୁଣୀ ଥାନା ଅଧିକାରୀ ସତ୍ୟବ୍ରତ ଲେଙ୍କା, ଗୁରୁଡିଝାଡିଆ ଥାନା ଅଧିକାରୀ ଅନାଦି ସେଠୀ ଉଭୟ ସପକ୍ଷ-ବିପକ୍ଷବାଦୀଙ୍କୁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଅଣାୟତ୍ତ ହୋଇପଡିଥିଲା। ଏଭଳି ସ୍ଥିତିରେ ପୁଲିସକୁ ଲାଠି ମାଡ଼ କରିବାକୁ ପଡ଼ିଥିଲା। କାରଖାନାକୁ ବିରୋଧ କରୁଥିବା ଗୁରୁଡିଝାଡିଆ ସରପଞ୍ଚ ପ୍ରଜ୍ଞାଂଶୁ ମହାପାତ୍ରଙ୍କୁ ଗୋଡାଇ ଗୋଡାଇ ମାଡ଼ ମାରିଥିଲା ପୁଲିସ୍‌ । ସରପଞ୍ଚଙ୍କ ସମେତ ଖମାର ନୂଆଗାଁ ଗ୍ରାମର ଅଭିରାମ ନାୟକ ମଧ୍ୟ ପୁଲିସ ଲାଠି ମାଡ଼ରେ ଆହତ ହୋଇଥିଲେ। ଅନ୍ୟପଟେ ଏହି ଘଟଣାରେ ୭ରୁ ଉର୍ଦ୍ଧ୍ୱ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ଏଭଳି ସ୍ଥିତିରେ ଜନଶୁଣାଣିକୁ ବାତିଲ କରିଥିଲା ପ୍ରଶାସନ।

ଏହି ପ୍ରସ୍ତାବିତ ସିମେଣ୍ଟ କାରଖାନାକୁ ପୂର୍ବରୁ ସ୍ଥାନୀୟ ଲୋକେ ବିରୋଧ କରି ଆସୁଛନ୍ତି। ସ୍ଥାନୀୟ ଅଞ୍ଚଳର ଚାଷଜମି ଓ ପରିବେଶ ଏଥିରେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବ ବୋଲି ସେମାନେ ଅଭିଯୋଗ କରୁଛନ୍ତି। ୨ବର୍ଷ ତଳେ ଦୁଇ ଥର ଉକ୍ତ କମ୍ପାନୀକୁ ବିରୋଧ କରି କମ୍ପାନୀ କର୍ତ୍ତୃପକ୍ଷ ତିଆରି କରିଥିବା ପାଚେରିକୁ ମଧ୍ୟ ଗ୍ରାମବାସୀ ଭାଙ୍ଗି ଦେଇଥିଲେ। ପ୍ରସ୍ତାବିତ କାରଖାନାକୁ ବିରୋଧ କରି ୨୦୧୨ରେ ୨ଟି ଓ ୨୦୧୩ରେ ଗୋଟିଏ ମାମଲା ହାଇକୋର୍ଟରେ ରୁଜୁ ହୋଇଥିଲା। ମାମଲାର ରାୟ ଅନୁସାରେ ଏଥିପାଇଁ ପ୍ରଥମେ ଜନଶୁଣାଣି କରିବାକୁ ପ୍ରଶାସନ ପକ୍ଷରୁ ଆଜି ପଦକ୍ଷେପ ନିଆଯାଇଥିଲା।

କଟକ ଗ୍ରାମାଞ୍ଚଳ ଏସପି ମାଧବଚନ୍ଦ୍ର ସାହୁ କହିବା ଅନୁଯାୟୀ ବର୍ତ୍ତମାନ ସେଠାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ଜଣେ ଡିଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ୬ ଜଣ ଅଫିସର ଏବଂ ୨ ପ୍ଲାଟୁନ୍‌ ଫୋର୍ସ ଯାଇଥିଲେ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର