ଚୁପ୍‌ କାହିଁକି?

ପାଟି ଫିଟାଉ ନାହାନ୍ତି ବିଜେଡି, ବିଜେପି, କଂଗ୍ରେସ

ମହିଳା ସଂଗଠନର ସ୍ୱର ବି ଶୁଣାଯାଉନି
ଏମାନଙ୍କ ପାଇଁ ମହିଳାଙ୍କ ଇଜ୍ଜତ ମୂଲ୍ୟହୀନ!

ଭୁବନେଶ୍ୱର : ଗୋଟିଏ ପରେ ଗୋଟିଏ ନଗ୍ନ ଭିଡିଓ, ଫଟୋ ଭାଇରାଲ୍‌ ହେଉଛି। ସ୍କୁଲ୍‌, କଲେଜ ପଢ଼ୁଆ ଛାତ୍ରୀ, ମହିଳାଙ୍କ ଇଜ୍ଜତ ବାଜିରେ ଲାଗିଛି। ସାରା ରାଜ୍ୟରେ ଏନେଇ କୋକୁଆ ଭୟ। ଅଭିଭାବକମାନେ ଚିନ୍ତାରେ। ଅସାମାଜିକ ଯୁବକଙ୍କ କାରନାମା ଲୋମ ଟାଙ୍କୁରାଇ ଦେଉଛି। କିନ୍ତୁ ଏସବୁର କାଣିଚାଏ ବି ପ୍ରଭାବ ପଡ଼ୁନି ରାଜନୈତିକ ଦଳଗୁଡ଼ିକ ଉପରେ। ରାଜ୍ୟର କୌଣସି ଗୋଟିଏ ବି ପ୍ରମୁଖ ଦଳ ଏହା ବିରୋଧରେ ପ୍ରତିବାଦର ସ୍ୱର ଉଠାଉ ନାହାନ୍ତି। ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ନେତାମାନଙ୍କ ମୁହଁରେ ଯେମିତି ତୁଣ୍ଡି ଲାଗିଛି। ମହିଳାଙ୍କୁ ସମ୍ମାନ ପାଇଁ ଚିତ୍କାର କରୁଥିବା ଶାସକ ବିଜେଡି ଦଳର ନେତାମାନେ ନିଜ ସରକାରଙ୍କ ଉପରେ ବିପଦ ପଡ଼ିବା ଆଶଙ୍କାରେ ନିରବ ରହିବାକୁ ଉଚିତ ମଣିଛନ୍ତି।

ଦିଲ୍ଲୀରେ ନିର୍ଭୟା ମାମଲାରେ ସାରା ଦେଶ ଥରି ଉଠିଥିଲା। ସବୁ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ପଦାକୁ ଆସି ଏହାର ତୀବ୍ର ପ୍ରତିବାଦ ଜଣାଇଥିଲେ। ବାରିପଦାରେ ନାବାଳିକାଙ୍କ ନଗ୍ନ ଭିଡିଓ ହେଉ କି କେନ୍ଦୁଝର ଭିଡିଓ ହେଉ, ଏସବୁ ସୋସିଆଲ୍‌ ମିଡିଆରେ ଛାଇ ଯାଇଛି। ଜୋର୍‌ ଜବରଦସ୍ତ ଦୁର୍ବୃର୍ତ୍ତମାନେ ନିରୀହ ଝିଅମାନଙ୍କର ଇଜ୍ଜତକୁ ଖୋଲାଖୋଲି ରାସ୍ତାରେ ଲୁଟୁଛନ୍ତି। ରାଜ୍ୟର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ନୁହେଁ, ଏକାଧିକ ସ୍ଥାନରେ ଏପରି ଘଟଣା ଘଟିଚାଲିଛି। ସାଧାରଣ ପରିବାରର ଝିଅମାନେ ଭୟଙ୍କର ଅତ୍ୟାଚାରର ଶିକାର ହୋଇଛନ୍ତି। କିନ୍ତୁ ରାଜ୍ୟର ରାଜନୈତିକ ଦଳଗୁଡ଼ିକ ନିକଟରେ ସାଧାରଣ ଲୋକଙ୍କ ଏହି ଯନ୍ତ୍ରଣାର ସ୍ୱର ପହଞ୍ଚିପାରୁ ନାହିଁ।

ଏପରି ସମ୍ବେଦନଶୀଳ ଘଟଣାରେ ରାଜନୈତିକ ଦଳଗୁଡ଼ିକର ଏହି ଆଭିମୁଖ୍ୟ ସଚେତନ ନାଗରିକମାନଙ୍କୁ ବ୍ୟଥିତ କରିଛି। ଛୋଟ ଛୋଟ କଥାରେ ସରକାରଙ୍କୁ ସମାଲୋଚନା କରି ରାସ୍ତାକୁ ଓହ୍ଲାଉଥିବା ବିଜେପି ଏହି ଘଟଣା ପ୍ରତି ଆଖି ବୁଜିଦେଇଛି। ଦଳର ମହିଳା ଶାଖା ନିରବ। କଂଗ୍ରେସ ବି ପାଟି ଫିଟାଉ ନାହିଁ। ଉଭୟ ଦଳ ରାସ୍ତାକୁ ଓହ୍ଲାଇବା ତ ଦୂରର କଥା, ଘଟଣାକୁ ନିନ୍ଦା କରି ବିବୃତିଟିଏ ବି ଦେବାକୁ ଉଚିତ ମଣି ନାହାନ୍ତି। ସାଧାରଣ ପରିବାରର ମହିଳାଙ୍କ ଇଜ୍ଜତ ଲୁଟ୍‌ ଯେପରି ସେମାନଙ୍କ ପାଇଁ ମୂଲ୍ୟ ରଖୁ ନାହିଁ। ଯଦି କୌଣସି ରାଜନୈତିକ ଦଳର ନେତା ଏପରି କିଛି କାରବାରରେ ସଂପୃକ୍ତ ଥା’ନ୍ତେ, ତେବେ ନିଶ୍ଚିତ ଭାବେ ପ୍ରତିପକ୍ଷ ରାଜନୈତିକ ଦଳ ଏହାକୁ ପ୍ରସଙ୍ଗ କରିଥା’ନ୍ତେ। କାରଣ ଏଥିରୁ ରାଜନୈତିକ ଫାଇଦା ମିଳିବାର ସମ୍ଭାବନା ଥାଏ। କିନ୍ତୁ ଏହି ଘଟଣାରେ ସାଧାରଣ ପରିବାରର ଝିଅମାନେ ପ୍ରଭାବିତ ହେଉଥିବାରୁ ଏଥିରୁ ରାଜନୈତିକ ଫାଇଦା ସେତେଟା ମିଳିବାର ନାହିଁ। ସମ୍ଭବତଃ ଏପରି ବିକୃତ ଚିନ୍ତାଧାରା ହିଁ ବିରୋଧୀ ଦଳଗୁଡ଼ିକୁ ନିଷ୍କ୍ରିୟ କରିଦେଇଛି।

ଆଉ ଜିଲ୍ଲା ଜିଲ୍ଲା ବୁଲି ଯୁବ-ଛାତ୍ର ସମ୍ପର୍କ ପ୍ରତିଷ୍ଠା କରିବାକୁ ଅଣ୍ଟା ଭିଡ଼ିଥିବା ବିଜେଡି ଏଠି ଛାତ୍ରୀମାନଙ୍କ ଚିତ୍କାର ଶୁଣିପାରୁନି। ଗୋଟିଏ ପଟେ ବିଜେଡି ଯୁବପିଢ଼ିଙ୍କୁ ନିଜ ସହ ଯୋଡ଼ିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ପଟେ ରାଜ୍ୟରେ ଏପରି ଏକ ସାଂଘାତିକ ଘଟଣାରେ ଦଳର ଯୁବ ଓ ଛାତ୍ର ଶାଖା ପାଟି ଫିଟାଉ ନାହିଁ। ମହିଳା ଶାଖା ବି ନିଷ୍କ୍ରିୟ। କାଳେ ପାଟି ଫିଟାଇଲେ ସରକାର ଅକଳରେ ପଡ଼ିଯିବେ, ସେଥି ପାଇଁ ବିଜେଡି ନେତାମାନେ ଏହି ପ୍ରସଙ୍ଗରେ ଗଣମାଧ୍ୟମ ଠାରୁ ନିରାପଦ ଦୂରତ୍ୱରେ ରହିବାକୁ ଉଚିତ ମଣୁଛନ୍ତି।

ରାଜନୈତିକ ଦଳ ତ ପାଟି ଫିଟାଉ ନାହାନ୍ତି। ମହିଳାଙ୍କ ଅଧିକାର ଓ ସ୍ୱାର୍ଥ ପାଇଁ କାମ କରୁଥିବା ମହିଳା ସଂଗଠନଗୁଡ଼ିକର ସ୍ୱର ବି ଶୁଣାଯାଉ ନାହିଁ। ସାଧାରଣ ମହିଳା ସଇତାନ୍‌ମାନଙ୍କ ଦ୍ୱାରା କେତେ ଅତ୍ୟାଚାରିତ ହେଲେ, ଏମାନେ ଆଗକୁ ଆସିବେ ତାହା ବୁଝାପଡ଼ୁ ନାହିଁ।

ବାରିପଦା ମାମଲାରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିଛି ସତ। କିନ୍ତୁ ଭାଇରାଲ୍‌ ହୋଇଥିବା ଭିଡିଓକୁ ରୋକିପାରି ନାହିଁ। ପୁଲିସ୍‌ର ନିଷ୍କ୍ରିୟତାର ସୁଯୋଗ ନେଇ ପୀଡ଼ିତାଙ୍କ ସେହି ଭିଡିଓର ଆଉ ଏକ ଦୃଶ୍ୟ ଭାଇରାଲ୍‌ ହୋଇଛି। କେନ୍ଦୁଝର ଘଟଣାରେ ପୁଲିସ୍‌ ହାତ ଖାଲି। ରାଜ୍ୟରେ ସାଇବର୍‌ କ୍ରାଇମ୍‌ ବଢ଼ିଚାଲିଥିଲା ବେଳେ ରାଜ୍ୟ ପୁଲିସ୍‌ ସେ ଦିଗରେ ଯେ ନିଜକୁ ପ୍ରସ୍ତୁତ କରିନି, ତାହା ଧରାପଡ଼ିଯାଇଛି। ରାଜ୍ୟରେ ରାଜନୈତିକ ଦଳ ଓ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ପ୍ରତିବାଦର ସ୍ୱର ନ ଥିବାରୁ ପୁଲିସ୍‌ ବି ଚିରାଚରିତ ଢଙ୍ଗରେ ତାହାର କାର୍ଯ୍ୟ ଜାରି ରଖିଛି। ରାଜନୈତିକ ଫାଇଦା ନ ଥିଲେ ରାଜନୈତିକ ଦଳଗୁଡ଼ିକ ଯେ କାହାର ନୁହଁନ୍ତି, ତାହା ପୁଣି ଥରେ ପ୍ରମାଣିତ ହୋଇଛି।

କେନ୍ଦୁଝରରେ ପୁଲିସ ହାତ ଖାଲି

ଭୁବନେଶ୍ୱର : କେନ୍ଦୁଝରରେ ଜଣେ ମହିଳା ହାଟରୁ ଫେରୁଥିବା ବେଳେ ତାଙ୍କୁ କେତେକ ଦୁର୍ବୃତ୍ତ ଜୋର ଜବରଦସ୍ତ ଉଲଗ୍ନ କରିବା ଓ ତାକୁ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିବା ଘଟଣାରେ କେନ୍ଦୁଝର ଟାଉନ ଥାନା ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି। ମାମଲା ରୁଜୁ ହେବା

ପରେ ପୁଲିସ ଏହି ଭିଡିଓର ଛାନଭିନ୍‌ ଆରମ୍ଭ କରିଛି। କେଉଁଠି, କେଉଁ ପରିସ୍ଥିତିରେ ଓ କେତେବେଳେ ଏହି ଭିଡିଓ ସୁଟିଂ ହୋଇଛି ଏବଂ ମହିଳାଙ୍କୁ ଉଲଗ୍ନ କରିଥିବା ଦୁର୍ବୃତ୍ତମାନେ କିଏ ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ଟାଉନ ଥାନା ପୁଲିସ। ଖୁବ୍‌ ଶୀଘ୍ର ଏହି ଭିଡିଓ ଭାଇରାଲ କରିଥିବା ଦୁର୍ବୃତ୍ତମାନେ ବନ୍ଧା ହେବେ ବୋଲି ପୁଲିସ କହିଛି। କେନ୍ଦୁଝର ଏସ୍‌ପି ରାଜେଶ ପଣ୍ଡିତ କହିଛନ୍ତି, ଗଣମାଧ୍ୟମରେ ଭାଇରାଲ ଭିଡିଓ ନେଇ ଖବର ପ୍ରକାଶ ପାଇବା ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। କିନ୍ତୁ ଏ ଯାଏ ପୀଡ଼ିତା ମହିଳା କିମ୍ବା ତାଙ୍କର କେହି ସମ୍ପର୍କୀୟ ମୁହଁ ଖୋଲି ନାହାନ୍ତି। ପୀଡ଼ିତାଙ୍କ ପକ୍ଷରୁ କୌଣସି ଥାନାରେ ଅଭିଯୋଗ କରାଗଲେ ପୁଲିସ ତଦନ୍ତ ଆଗେଇ ପାରିବ।

ତେବେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ଛାନଭିନ୍‌ ଆରମ୍ଭ କରିଛି। ପୁଲିସ ପକ୍ଷରୁ ସଂପୃକ୍ତ ମହିଳାଙ୍କୁ ପ୍ରଥମେ ଚିହ୍ନଟ କରିବାକୁ ଉଦ୍ୟମ ଆରମ୍ଭ ହୋଇଛି। ମହିଳା ଜଣକ ମିଳିଗଲା ପରେ ତାଙ୍କୁ ପଚରା ଉଚରା କରାଯାଇ ଦୁର୍ବୃତ୍ତମାନଙ୍କ ପାଖରେ ପୁଲିସ ପହଞ୍ଚି ପାରିବ ବୋଲି ଏସ୍‌ପି ପଣ୍ଡିତ କହିଛନ୍ତି। ପ୍ରକାଶଥାଉକି, ଦୁଇ ଦିନ ତଳେ କେନ୍ଦୁଝରର ଏକ ଜଙ୍ଗଲିଆ ସ୍ଥାନରେ ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ ଉଲଗ୍ନ କରିବା ସହିତ ମୋବାଇଲ୍‌ ଫୋନ୍‌ରେ ତାଙ୍କ ଭିଡିଓ ଉତ୍ତୋଳନ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା।

ସମ୍ବନ୍ଧିତ ଖବର