ସମ୍ମାନ : ଗାଁ ଝିଅ ପାଇଁ ବାହାରିଲେ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ପୁଣି ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହୋଇଛି। ଗାଁକୁ ଧର୍ମ ପ୍ରଚାର ପାଇଁ ଆସିଥିବା ଜଣେ ଯୁବକ ପ୍ରେମ ଜାଲରେ ଫସାଇ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତର ଅଶ୍ଳୀଳ ଭିଡିଓ କରିଥିବା ଅଭିଯୋଗ ହୋଇଛି। ତେବେ କିପରି ଏହା ଭାଇରାଲ୍‌ ହେଲା ସ୍ପଷ୍ଟ ହୋଇପାରି ନାହିଁ। ଅନ୍ୟପକ୍ଷରେ, ଗାଁର ଜଣେ ଯୁବତୀଙ୍କ ଭିଡିଓ ଭାଇରାଲ ଘଟଣାକୁ ନାପସନ୍ଦ କରିଛନ୍ତି ଗ୍ରାମବାସୀ। ପାପଡ଼ାହାଣ୍ଡି ଥାନାକୁ ‌ଯାଇ ଅଭିଯୋଗ କରିଛନ୍ତି। ତେବେ ଗ୍ରାମବାସୀ ସାମୂହିକ ଭାବେ ଏତଲା ଦେବାକୁ ଯାଇଥିବାରୁ ପୁଲିସ ଏତଲାକୁ ଗ୍ରହଣ କରିନାହିଁ। ଗ୍ରାମବାସୀଙ୍କ କହିବା ହେଲା କନ୍ଧମାଳ ଜିଲ୍ଲାର ସିମନ ଦିଗାଲ ନାମକ ଜଣେ ଯୁବକ ଧର୍ମ ପ୍ରଚାର ପାଇଁ ପାପଡାହାଣ୍ଡି ଅନ୍ତର୍ଗତ ଲୋହରାଖଣ୍ଡି ଗାଁକୁ ଆସିଥିଲେ।

ଏଠାରେ କିଛି ଦିନ ରହିବା ମଧ୍ୟରେ ସେ ସ୍ଥାନୀୟ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲା। ନିୟମିତ ମିଳାମିଶା ମଧ୍ୟରେ ଯୁବତୀଙ୍କ ସହ ସିମନ ଶାରୀରିକ ସଂପର୍କ ରଖିବା ସହ ତାହାର ଭିଡିଓ କରିଥିଲା। ଗାଁରୁ ସିମନ ଚାଲିଯିବା ପରେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତର ଭିଡିଓ ଭାଇରାଲ ହୋଇଛି। ଏନେଇ ଗ୍ରାମବାସୀ ଜାଣିବା ପରେ ଗାଁରେ ଏକ ବୈଠକ ହୋଇଥିଲା। ଆଲୋଚନା ସମୟରେ, ଜଣେ ଧର୍ମ ପ୍ରଚାରକ ଭାବେ ଗାଁକୁ ଅତିଥି ଭାବେ ଆସି ସିମନ ଏମିତି କାମ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା। ଏଥିପାଇଁ ଗାଁର ବଦନାମ ହେବା ସହ ଛୋଟଛୋଟ ପିଲାଙ୍କ ଉପରେ ତାହାର କୁପ୍ରଭାବ ପଡ଼ୁଛି। ଯୁବତୀଙ୍କ ସମ୍ମାନ ଉପରେ ମଧ୍ୟ ଆଞ୍ଚ ଆସିଛି।

ତେଣୁ ଏନେଇ ଥାନାରେ ଏତଲା ଦେବାକୁ ନିଷ୍ପତ୍ତି ନେଇ ଆଜି ଗ୍ରାମବାସୀ ଥାନାରେ ପହଞ୍ଚିଥିଲେ। ମୌଖିକ ଭାବେ ଘଟଣା ସଂପର୍କରେ ଜଣାଇ ଲିଖିତ ଏତଲା ବି ଦେଇଥିଲେ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। କିନ୍ତୁ ସାମୂହିକ ବଦଳରେ କୌଣସି ଜଣେ ବ୍ୟକ୍ତି ଏତଲା ଦେବାକୁ ପୁଲିସ କହିଥିଲା। ତେଣୁ ଏତଲା ଦେଇ ନପାରି ଗ୍ରାମବାସୀ ଥାନାରୁ ଚାଲି ଆସିଥିଲେ। ପୁଣି ଗାଁରେ ଏନେଇ ବୈଠକ ବସିଥିଲା। ଗାଁର କେହି ଜଣେ ଏହି ଏତଲା ଦେବେ ବୋଲି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଏତଲା ଦିଆଯିବ ବୋଲି ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧିତ ଖବର