ପ୍ରତିଷ୍ଠା ହେବ ଭର୍ଚୁଆଲ ଦକ୍ଷତା କେନ୍ଦ୍ର : ତାଲିମ୍‌ ନେବେ ଚକ୍ଷୁ ଡାକ୍ତର, ପାରାମେଡିକ ଓ ବାଇଓମେଟ୍ରିକ୍‌ ଇଞ୍ଜିନିୟର

୧୦ ଜିଲ୍ଲାରେ ବୁଲିବ ମୋବାଇଲ ଭିଜନ୍‌ ଭ୍ୟାନ୍‌, ଚଳିତବର୍ଷ ୭୦ ସିଏଚ୍‌ସିରେ ଲାଗିବ ଆଖି ପରୀକ୍ଷା ଯନ୍ତ୍ରପାତି

ଭୁବନେଶ୍ୱର : ରାଜ୍ୟରେ ଚକ୍ଷୁ ଚିକିତ୍ସାକୁ ନଜରରେ ରଖି ଡାକ୍ତର ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏକ ଭର୍ଚୁଆଲ ଦକ୍ଷତା କେନ୍ଦ୍ର ଖୋଲିବ। ମଞ୍ଚେଶ୍ୱରସ୍ଥିତ ଜାତୀୟ ଦକ୍ଷତା କେନ୍ଦ୍ରରେ ଏହାକୁ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ଡାକ୍ତରଙ୍କୁ ଚକ୍ଷୁ ଚିକିତ୍ସା ସଂପର୍କିତ ତାଲିମ୍‌ ଦିଆଯିବ, ଯାହାକି ଦେଶରେ ପ୍ରଥମ। ଖୁବ୍‌ଶୀଘ୍ର ଏହି କେନ୍ଦ୍ର ଆରମ୍ଭ ହେବାକୁ ଯାଉଛି ବୋଲି ସୂଚନା ମିଳିଛି।

ରାଜ୍ୟରେ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତର ଓ ପାରାମେଡିକମାନଙ୍କୁ ଅନେକ ସମୟରେ ତାଲିମ୍‌ର ଆବଶ୍ୟକତା ପଡ଼ୁଛି। ବିଶେଷକରି ନୂତନ ଜ୍ଞାନ କୌଶଳକୁ ସିଧାସଳଖ ରୋଗୀଙ୍କ ଉପରେ ପରୀକ୍ଷା କରିବାରେ ନବନିଯୁକ୍ତ ଡାକ୍ତରଙ୍କୁ ସମସ୍ୟା ହେଉଛି। ତେଣୁ ଏହି ଭର୍ଚୁଆଲ ଦକ୍ଷତା କେନ୍ଦ୍ରରେ ଅଭ୍ୟାସ କରିବା ପରେ ସେମାନେ ରୋଗୀଙ୍କ କ୍ଷେତ୍ରରେ ଚିକିତ୍ସା କରିପାରିବେ। ଏହାସହ ଯେଉଁ ଅଭିଜ୍ଞ ଡାକ୍ତର ଏଥିରେ ତାଲିମ ନେବାକୁ ଚାହିବେ, ସେମାନେ ମଧ୍ୟ ତାଲିମ୍‌ ନେଇପାରିବେ। ଏଥିରେ ସିମୁଲେଟର ସହାୟତାରେ ତାଲିମ ଦିଆଯିବ। ଅନେକ କମ୍ପାନି ସିମୁଲେଟର ସହିତ ଅନ୍ୟ ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦେବାକୁ ଇଚ୍ଛୁକ ଅଛନ୍ତି। ସାର୍ବଜନୀନ ଚକ୍ଷୁ ସୁରକ୍ଷା କାର୍ଯ୍ୟକ୍ରମ ରାଜ୍ୟରେ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ସଫଳ କରିବାରେ ଏହା ସହାୟକ ହୋଇପାରିବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସେହିପରି ରାଜ୍ୟର ୧୦ଟି ଜିଲ୍ଲାରେ ମୋବାଇଲ ଭିଜନ୍‌ କ୍ଲିନିକ୍‌ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ମାଲକାନାଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ଦେବଗଡ଼, ମୟୂରଭଞ୍ଜ ଓ ଗଜପତି ଜିଲ୍ଲାରେ ମୋବାଇଲ ଭିଜନ୍‌ ଭ୍ୟାନ୍‌ ବୁଲିବ। ଏଥିରେ ଜଣେ ସହକାରୀ ଆପ୍‌ଥାଲମିକ ସମେତ ଚକ୍ଷୁ ପରୀକ୍ଷା ନେଇ ସମସ୍ତ ଯନ୍ତ୍ରପାତି ଉପଲବ୍ଧ ହେବ। ସପ୍ତାହ କିମ୍ବା ୧୫ ଦିନରେ ଥରେ ଏହି ଭ୍ୟାନ୍‌ ପ୍ରତି ବ୍ଲକ୍‌କୁ ଯାଇ ଲୋକମାନଙ୍କ ଚକ୍ଷୁ ପରୀକ୍ଷା କରିବ। ଯେଉଁ ବ୍ୟକ୍ତିମାନଙ୍କର ଅସ୍ତ୍ରୋପଚାରର ଆବଶ୍ୟକତା ରହିଛି, ସେମାନଙ୍କୁ ସ୍ଥାନୀୟ ଜିଲ୍ଲା ଚିକିତ୍ସାଳୟକୁ ରେଫର୍‌ କରାଯିବ ବୋଲି ସୂଚନା ମିଳିଛି।

ଅପରପକ୍ଷରେ ରାଜ୍ୟର ୭୦ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସିଏଚ୍‌ସିରେ ଚକ୍ଷୁ ଚିକିତ୍ସା ନେଇ ଆବଶ୍ୟକ ଯନ୍ତ୍ରପାତି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୩ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ସିଏଚ୍‌ସିରେ ଏହି ଯନ୍ତ୍ରପାତି ଉପଲବ୍ଧ ହେବ। ଯେଉଁ ବ୍ୟକ୍ତିମାନଙ୍କୁ ମଧୁମେହ ସହିତ ଚକ୍ଷୁ ସମସ୍ୟା ରହିଛି, ସେହି ବ୍ୟକ୍ତିମାନଙ୍କର ରେଟିନାର ଫଟୋ ଉଠାଯିବ। ଯାହାର ଲେଜର୍‌ ଚିକିତ୍ସା ଆବଶ୍ୟକ, ସେସବୁ ବ୍ୟକ୍ତିମାନଙ୍କୁ ରାଜ୍ୟରେ ଥିବା ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯିବ ବୋଲି ଅଧିକାରୀଜଣଙ୍କ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର