ବିଷ୍ଣୁଙ୍କୁ ନୂଆ ଜୀବନ ୧୬ଘଣ୍ଟା ପରେ ଛାତିରୁ ବାହାରିଲା କାଠଖୁଣ୍ଟା

ଏସ୍‌ସିବିରେ ସଫଳ ଅସ୍ତ୍ରୋପଚାର

କଟକ,: ଦୀର୍ଘ ୧୬ଘଣ୍ଟାର ଯନ୍ତ୍ରଣାରୁ ମିଳିଲା ମୁକ୍ତି। ୧୪ବର୍ଷର ବିଷ୍ଣୁ ମହକୁଡ଼ ପାଇଲେ ନୂଆ ଜୀବନ। ଗୁରୁବାର ତାଙ୍କ ଛାତିରେ ପଶି ଯାଇଥିବା କାଠ ଖୁଣ୍ଟାକୁ ଆଜି କଟକ ବଡ଼ ମେଡିକାଲ୍‌ରେ ବାହାର କରାଯାଇଛି। ଦୀର୍ଘ ୩ଘଣ୍ଟାର ଅପରେସନ୍‌ ପରେ ଡାକ୍ତର ବିଷ୍ଣୁଙ୍କ ଛାତିରୁ ସଫଳତାର ସହିତ ତିନି ଫୁଟ ଲମ୍ବ ଓ ୪ ଇଞ୍ଚ ଗୋଲେଇ କାଠଖୁଣ୍ଟା ବାହାର କରିଛନ୍ତି। ଅପରେସନ୍‌ ପରେ ବିଷ୍ଣୁଙ୍କ ଅବସ୍ଥା ସୁସ୍ଥ ଥିବା ବେଳେ ତାଙ୍କୁ ଏବେ ହୃଦବକ୍ଷ ଶଲ୍ୟ ଚିକିତ୍ସା ବିଭାଗ ଆଇସିୟୁରେ ରଖାଯାଇଛି।

ସୂଚନାନୁଯାୟୀ, କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଧାଙ୍ଗଡଡ଼ିହା ଗ୍ରାମର ସ୍ୱର୍ଗତ ସୁଦାମ ମହାକୁଡ଼ଙ୍କ ପୁଅ ବିଷ୍ଣୁ ଗୁରୁବାର ଅପରାହ୍ନ ପ୍ରାୟ ୪ଟା ବେଳେ ଘର ପାଖ ଜାମୁ ଗଛରେ ଚଢି କୋଳି ତୋଳୁିଥିଲେ। ଅଚାନକ ଡାଳ ଭାଂଗଯିବାରୁ ସେ ୨୦ଫୁଟ୍‌ ତଳକୁ ଖସି ପଡ଼ିଥିଲେ। ତଳେ ଥିବା ଏକ କୋରେଇ ଗଛ କାଠ ଖୁଣ୍ଟା ତାଙ୍କ କାଖ ପଟେ ପଶି ବାମପଟ ଛାତି ଦେଇ ବେକ ଉପରକୁ ବାହାରି ଯାଇଥିଲା। ଗ୍ରାମବାସୀ କରତରେ ଗଛ ମୂଳ କାଟିଲେ ସତ କିନ୍ତୁ ବିଷ୍ଣୁଙ୍କ ଛାତିରେ ପଶିଥିବା କାଠ ଖୁଣ୍ଟା ବାହାରିବା ସମ୍ଭବ ହେଇନଥିଲା। ଏଣୁ ଗ୍ରାମବାସୀ କାଠ ଖୁଣ୍ଟା ଲାଗିଥିବା ଅବସ୍ଥାରେ ବିଷ୍ଣୁଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ କାଠଖୁଣ୍ଟା ବାହାର କରିବା ସମ୍ଭବ ନହେବାରୁ ଡାକ୍ତର ବିଷ୍ଣୁଙ୍କୁ ନିଶା ଇଂଜେକସନ୍‌ ଦେଇ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ପରିବାର ଲୋକେ ବିଷ୍ଣୁଙ୍କୁ ଧରି ବଡ଼ ମେଡିକାଲରେ ଗତକାଲି ରାତି ପ୍ରାୟ ସାଢେ ୨ଟାରେ ପହଞ୍ଚିଥିଲେ। ସଂଗେ ସଂଗେ ମେଡିକାଲ୍‌ରେ ବିଷ୍ଣୁଙ୍କ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅପରେସନ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ପ୍ରସ୍ତୁତି ମୁତାବକ, ଆଜି ସକାଳ ସାଢେ ୮ଟାରେ ହୃଦ୍‌ବକ୍ଷ ଶଲ୍ୟ ଚିକିତ୍ସା ବିଭାଗ ଓଟିରେ ବିଷ୍ଣୁଙ୍କୁ ଭର୍ତ୍ତି କରାଯିବା ପରେ ବିଭାଗୀୟ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକ ଚିକିତ୍ସା କରିଥିଲେ। ଦିନ ସାଢେ ୯ଟାରୁ ବିଷ୍ଣୁଙ୍କ ଛାତିରୁ କାଠ ଖୁଣ୍ଟା ବାହାର କରାଯିବା ପାଇଁ ଅପରେସନ୍‌ ଆରମ୍ଭ ହେଲା। ଦୀର୍ଘ ତିନି ଘଣ୍ଟା କାଳ ଅପରେସନ୍‌ ପରେ ଦିନ ପ୍ରାୟ ୧୨ଟାରେ ବିଷ୍ଣୁଙ୍କ ଛାତିରୁ ସଫଳତାର ସହିତ କାଠ ଖୁଣ୍ଟା ବାହାର କରାଯାଇଥିଲା। ତେବେ ଏହାପୂର୍ବରୁ ଏସ୍‌ସିବିରେ ଛାତିରୁ ଧନୁତୀର, ବାଉଁଶ ଆଦି ବାହାର କରାଯାଇଥିଲେ ମଧ୍ୟ ଆଜିର ଅପରେସନ୍‌ ବିରଳ ଥିଲା ବୋଲି ଡା. ପଟ୍ଟନାୟକ କହିଛନ୍ତି। ତାଙ୍କ କହିବାନୁଯାୟୀ, ବିଷ୍ଣୁଙ୍କୁ ବେକରେ ପଶିଥିବା କାଠଖୁଣ୍ଟା ଲମ୍ବ ତିନି ଫୁଟ୍‌ ଓ ଗୋଲେଇ ପ୍ରାୟ ୪ଇଞ୍ଚ ହେବ। ଏତେ ଲମ୍ବା ଓ ମୋଟା କାଠ ଖୁଣ୍ଟାକୁ ଅପରେସନ୍‌ ଜରିଆରେ ବାହାର କରିିବା ଏକ ଜଟିଳ କାମ। କିନ୍ତୁ ଭଗବାନଙ୍କ ଦୟାରୁ ସବୁକିଛି ସଫଳତାର ସହିତ ହେଇଗଲା। ଡା. ପଟ୍ଟନାୟକଙ୍କ ସହିତ ଅପରେସନ୍‌ରେ ଆସିଷ୍ଟାଣ୍ଟ୍‌ ପ୍ରଫେସର(ସର୍ଜରୀ) ଡା.ସାରଦା ପ୍ରସନ୍ନ ସାହୁ, ପିଜି ଛାତ୍ର ଡା. ଚିତ୍ତ ରଞ୍ଜନ ଥାଟୋଇ, ନିଶ୍ଚେତକ ବିଭାଗ ଡା. କଲ୍ୟାଣୀବାଳା ନାଏକ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର