ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣା : ସନ୍ଦେହରେ ତଦନ୍ତ, ଚାପରେ ପୁଲିସ

ଗାଁ ଭିତରେ ଗେଷ୍ଟ ହାଉସ, ପୂରା ଗେଷ୍ଟ ହାଉସ ଏଯାଏ ସିଲ ହୋଇନି, ସିସି କ୍ୟାମେରା, ମୋବାଇଲରୁ ମିଳିପାରେ ସୁରାକ୍‌, ଚର୍ଚ୍ଚାରେ ନାଣ୍ଡୁ ଓରଫ ରୂପେଶ: ଚା ଦୋକାନରୁ କୋଟିପତି

ଯାଜପୁର/ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ହରିଦାସପୁର ପଞ୍ଚାୟତର ଭିଏଲଡବ୍ଲୁ ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟାବୃତ୍ତ। ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦିଗ୍ଧମାନେ କହୁଥିବା ବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି। ପ୍ରକୃତରେ ସେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରି ପଙ୍ଖାରେ ଝୁଲାଇ ଦିଆଯାଇଛି ସେ ନେଇ ପୁଲିସ ତଦନ୍ତ ଚଳାଇଛି। ସେହିଭଳି ହତ୍ୟା ବା ଆତ୍ମହତ୍ୟା ପୂର୍ବରୁ କ’ଣ ଏମିତି ଘଟିଥିଲା ସଂପୃକ୍ତ ଗେଷ୍ଟ ହାଉସ୍‌ରେ ଯେ ଜଣେ ସରକାରୀ କର୍ମଚାରୀଙ୍କ ଜୀବନ ବଳି ପଡିଲା ତାହାକୁ ନେଇ ବି ନାନା ଚର୍ଚ୍ଚା। ଏ ସବୁ ପ୍ରଶ୍ନର ଉତ୍ତର ପୁଲିସ

ପାଖରେ ଥାଇପାରେ। ତେବେ ଚାପରେ ଥିବା ପୁଲିସ ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ଏଯାଏଁ ସାହସ ଜୁଟାଇପାରିନି। ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ଘଟଣା ଉପରୁ ପରଦା ହଟିବ ବୋଲି ପୁଲିସ ଉଚ୍ଚଅଧିକାରୀ କହୁଛନ୍ତି। ଏଭଳି ସ୍ପର୍ଶକାତର ଘଟଣାର ଶବ ବ୍ୟବଚ୍ଛେଦ ରିପୋର୍ଟ ଡାକ୍ତରଖାନାରୁ ଥାନାକୁ ଆସିବାରେ ଏତେ ବିଳମ୍ବ କାହିଁକି ବୋଲି ପ୍ରଶ୍ନ ଉଠୁଛି।

ହରିଦାସପୁର ସରପଞ୍ଚ ମଧୁସ୍ମିତା ବିଶ୍ବାଳଙ୍କ ସ୍ବାମୀ ତଥା ସ୍ଥାନୀୟ ଅଞ୍ଚଳର ପ୍ରଭାବଶାଳୀ କୋଟିପତି ବ୍ୟବସାୟୀ ରୂପେଶ ଭଦ୍ରଙ୍କ ଗେଷ୍ଟ ହାଉସରେ ସ୍ମିତାରାଣୀଙ୍କ ମୃତ୍ୟୁ ଘଟିଥିଲା। ଏହି ମୃତ୍ୟୁ ସହିତ ଜଡିତ ଅନେକ ପ୍ରଶ୍ନର ଉତ୍ତର ଏହି ଗେ‌ଷ୍ଟହାଉସ୍‌ର ଚାରିକାନ୍ଥ ମଧ୍ୟରେ ଲୁଚି ରହିଛି। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ତଦନ୍ତ କରୁଥିବା ପୁଲିସ ସଂପୂର୍ଣ୍ଣ ଗେଷ୍ଟ ହାଉସ୍‌କୁ ଏଯାଏ ନିଜ କବ୍‌ଜାକୁ ନେଇନାହିଁ। ଯାହାକୁ ନେଇ ପୂର୍ବତନ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ପ୍ରଶ୍ନ ଉଠାଇଛନ୍ତି।

ହରିଦାସପୁର ସରପଞ୍ଚ ହେଉଛନ୍ତି ମଧୁସ୍ମିତା ଭଦ୍ର। ତାଙ୍କ ସ୍ବାମୀ କୋଟିପତି ବ୍ୟବସାୟୀ ରୂପେଶ ଭଦ୍ର ପଞ୍ଚାୟତ ଠାରୁ ଆରମ୍ଭ କରି ସବୁ କାମରେ ଦଖଲ ଦିଅନ୍ତି। ଗତ ୧୬ତାରିଖ ଦିନ ଭଡ଼ଙ୍ଗା ଓ ଚାରିବାଟିଆ ଗ୍ରାମରେ ଭତ୍ତା ବଣ୍ଟନରେ ମଧ୍ୟ ଭିଏଲଡ଼ବ୍ଲୁ ସ୍ମିତାରାଣୀଙ୍କ ସହିତ ସରପଞ୍ତ ମଧୁସ୍ମିତା ନ ଥିଲେ ବରଂ ରୂପେଶ ହିଁ ଥିଲେ।

ପଞ୍ଚାୟତ କାର୍ଯ୍ୟ ପାଇଁ ଭିଏଲଡ଼ବ୍ଲୁ ସ୍ମିତାରାଣୀ ନିଜ ସ୍କୁଟିରେ ଯିବା ଆସିବା କରନ୍ତି । ବ୍ଲକ୍ କ୍ବାର୍ଟର୍ସରେ ବାପା ଓ ଶିଶୁ କନ୍ୟା‌ ସହିତ ରହୁଥିବା ସ୍ମିତାରାଣୀଙ୍କୁ ଘଟଣା ଦିନ ରୂପେଶ ନିଜ ଗାଡ଼ି ପଠାଇ ବ୍ଲକରୁ ଭତ୍ତା ବଣ୍ଟନ ପାଇଁ ଭଡ଼ଙ୍ଗାକୁ ନେବା ପରେ ପୁଣି ଗେଷ୍ଟ ହାଉସକୁ ନେଇଥିଲେ। ପଞ୍ଚାୟତର କାମ ପଞ୍ଚାୟତ କାର୍ଯ୍ୟାଳୟରେ ନକରି ବିଭିନ୍ନ ସମୟରେ ଏହି ଗେ‌ଷ୍ଟହାଉସ୍‌ରେ କରାଯାଇଥିବା ନଜିର ରହିଛି। ତେଣୁ କାମ ବାହାନାରେ ସ୍ମିତାରାଣୀଙ୍କୁ ନିଆଯାଇଥାଇପାରେ େବାଲି ଚର୍ଚ୍ଚା ହେଉଛି।

ଏହି ଗେଷ୍ଟ ହାଉସରେ ସିସି କ୍ୟାମେରା ଲାଗିଛି। ସେହି କ୍ୟାମେରାକୁ ପୁଲିସ ଯାଞ୍ଚ କରିଛି କି ନାହିଁ ତାହା ଜଣାପଡିନାହିଁ। ମୋବାଇଲ୍‌ କଲ ରେକର୍ଡ ଏବଂ ସେଥିରେ ଥିବା ଭିଡିଓ ଏବଂ ଫଟୋ ଆଦି ଯାଞ୍ଚ କଲେ ଘଟଣା ଉପରୁ ପରଦା ହଟିପାରେ। ସ୍ମିତାରାଣୀଙ୍କ ଫେସ୍‌ବୁକ୍‌ ଆକାଉଣ୍ଟକୁ ଡିଲିଟ କରିଦିଆଯାଇଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ଚର୍ଚ୍ଚାରେ ନାଣ୍ଡୁ ଓରଫ ରୂପେଶ: ଚା ଦୋକାନରୁ କୋଟିପତି

ସ୍ମିତାରାଣୀଙ୍କ ମୃତ୍ୟୁ ପରେ ଚର୍ଚ୍ଚାକୁ ଆସିଛନ୍ତି ନାଣ୍ଡୁ ଓରଫ ରୂପେଶ ଭଦ୍ର। ଦିନେ ଚା’ ବିକି ପେଟ ପୋଷୁଥିବା ନାଣ୍ଡୁ କିଭଳି ଅଚଳାଚଳ ସଂପତ୍ତିର ମାଲିକ ହେଲେ ତାକୁ ନେଇ ଜିଲ୍ଲାରେ ଏବେ ଜୋରଦାର ଚର୍ଚ୍ଚା। ୨୦୦୭-୦୮ ମସିହା ପର୍ଯ୍ୟନ୍ତ ନାଣ୍ଡୁ ହରିଦାସପୁର ଷ୍ଟେସନରେ ଚା’ ଦୋକାନ ଦେଇଥିଲେ। ସେ ଦୋକାନ ଏବେ ବି ରହିଛି। ପରିବାର ଅନ୍ୟ କେତେକ ସଦସ୍ୟ ସେଠାରେ ନିୟୋଜିତ ରହିଛନ୍ତି। ମାତ୍ର ସେଠାରୁ ଓହରି ଆସି ସେ ହରିଦାସପୁର-ପାରାଦୀପ ରେଳଲାଇନରେ ପେଟି କଣ୍ଟ୍ରାକ୍ଟର ଭାବେ କାମ କରିବା ଆରମ୍ଭ କରିଥିଲେ। ସେଇଠୁ ବଢ଼ିଥିଲା ରୂପେଶଙ୍କ ସାମ୍ରାଜ୍ୟ। କୋଟିକୋଟି ଟଙ୍କାର ବାଲି, ମାଟି, ମୋରମ୍‌ ଭଳି ଲଘୁ ଖଣିଜ ସଂପଦ ବିକ୍ରି ହେଉ କି ଅନ୍ୟ କିଛି ଗୋପନୀୟ କାରବାର କରି ମାତ୍ର ୧୦ ବର୍ଷ ମଧ୍ୟରେ ସେ ବହୁକୋଟି ଟଙ୍କାର ମାଲିକ ବନିଗଲେ। ଏବେ ତାଙ୍କ ନିୟନ୍ତ୍ରଣରେ ଏକ ସିମେଣ୍ଟ କାରଖାନା। ଏଠାରେ ତାଙ୍କର କୋଟି କୋଟି ଟଙ୍କାର କାରବାର ଚାଲିଛି। ଏସବୁ ସମ୍ଭବ ହୋଇଛି ରୂପେଶଙ୍କ ରାଜନୈତିକ ସଂପର୍କ କାରଣରୁ।

ସମ୍ବନ୍ଧିତ ଖବର