ଥାଲାସେମିଆ ରୋଗୀଙ୍କୁ ମାସିକ ଯାତାୟାତ ଭତ୍ତା ପ୍ରଦାନ କରାଯିବ

ସ୍ୱେଚ୍ଛାକୃତ ରକ୍ତଦାନ ଦିବସ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ରାଜ୍ୟ ରକ୍ତ ସଞ୍ଚାରଣ ପରିଷଦ ଓ ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତିର ମିଳିତ ଆନୁକୂଲ୍ୟରେ ଆଜି ଜୟଦେବ ଭବନ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଲେ, ରାଜ୍ୟ ସରକାର ରକ୍ତର ଅଭାବ ନହେବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି। ରକ୍ତ ସଂଗ୍ରହ ପରେ ଏହାର ପରୀକ୍ଷଣ ପାଇଁ ରାଜ୍ୟ ସରକାର ଅତ୍ୟାଧୁିନକ ଜ୍ଞାନକୌଶଳର ବ୍ୟବସ୍ଥା ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ବୁର୍ଲା ସ୍ଥିତ ବ୍ଲଡ୍‌ ବ୍ୟାଙ୍କରେ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଥାଲାସେମିଆ, ସିକିଲସେଲ୍‌ ଆନିମିଆ ଏବଂ ହିମୋଫିଲିଆ ରୋଗୀମାନଙ୍କୁ ସହଜରେ ରକ୍ତ ପ୍ରଦାନ ବ୍ୟବସ୍ଥା ସହ ଯାତାୟତ ବାବଦକୁ ମାସିକ ୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ରାଜ୍ୟରେ ୧୪ଟି ରକ୍ତ କଣିକା ପୃଥକୀକରଣ କେନ୍ଦ୍ର ଥିବାବେଳେ ଆହୁରି ୭ଟି କେନ୍ଦ୍ର ଖୁବ ଶୀଘ୍ର ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ କ୍ଷେତ୍ରରେ ସର୍ବାଧିକ ରକ୍ତ ସଂଗ୍ରହ ପାଇଁ ବିଜୁ ଜନତା ଦଳର ‘ଜୀବନବିନ୍ଦୁ’ କାର୍ଯ୍ୟକ୍ରମକୁ ପୁରସ୍କୃତ କରାଯାଇଥିଲା। ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସେହିପରି ରାଜ୍ୟରେ ରକ୍ତଦାନ ଅଭିଯାନ କ୍ଷେତ୍ରରେ ମୂଳଦୁଆ ପକାଇଥିବା ସ୍ୱେଚ୍ଛାସେବୀ ସଂଗଠନ ‘ଆମ ଓଡ଼ିଶା’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲା। ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ୨୦୦୬ ମସିହାରୁ ଲଗାତର ଭାବେ ‘ଆମ ଓଡ଼ିଶା’କୁ ଏକାଦଶ ଥର ପାଇଁ ଏହି ସମ୍ମାନ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଏହି ଦୁଇଟି ଅନୁଷ୍ଠାନ ସହିତ ସତ୍ୟସାଇ ସଂଗଠନକୁ ମିଶାଇ ସମୁଦାୟ ୨୭ଟି ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ମାନିତ ଅତିଥି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଲେ, ରକ୍ତ ସଂଗ୍ରହରେ ଆମ ରାଜ୍ୟ ଓଡ଼ିଶା ରେକର୍ଡ ହାସଲ କରିପାରିଛି। ରାଜ୍ୟରେ ଆବଶ୍ୟକ ହେଉଥିବା ୪ ଲକ୍ଷ ୨୦ ହଜାର ୟୁନିଟ୍‌ ରକ୍ତ ସଂଗ୍ରହର ଲକ୍ଷ୍ୟ ହାସଲ ହୋଇପାରିଛି। ଅନ୍ୟତମ ଅତିଥି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ କହିଲେ, ରକ୍ତର କୌଣସି ବିକଳ୍ପ ନାହିଁ। ବିଜ୍ଞାନ ଯେତେ ଉନ୍ନତି କଲେ ବି ରକ୍ତ ତିଆରି କରିପାରିବ ନାହିଁ। ରକ୍ତଦାନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷ ପ୍ରଶଂସାର ଅଧିକାରୀ। ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି, ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଦିବସ ପାଳନ ଅବସରରେ ରାଜ୍ୟ ରକ୍ତ ସଞ୍ଚାରଣ ପରିଷଦ ଓ ଏଡ୍‌ସ ନିୟନ୍ତ୍ରଣ ସମିତି ପକ୍ଷରୁ ଜୟଦେବ ଭବନ ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ପ୍ରମୋଦ କୁମାର ମେହେର୍ଦ୍ଦା ସ୍ୱାଗତ ଭାଷଣ ଦେଇଥିଲେ। ରାଜ୍ୟ ରକ୍ତ ସଞ୍ଚାରଣ ବିଭାଗର ନିର୍ଦେଶକ ଜ୍ଞାନବ୍ରତ ମହାନ୍ତି ଧନ୍ୟବାଦ ଦେଇଥିଲେ।

ଉଭୟ ମିଶିଲେ ରକ୍ତ ଅଭାବରୁ କେହି ମରିବେ ନାହିଁ: ସୌମ୍ୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳକୁ ଜୀବନବିନ୍ଦୁ କାର୍ଯ୍ୟକ୍ରମ ପାଇଁ ଅଭିନନ୍ଦନ। ସାରା ଭାରତରେ ରାଜନୈତିକ ଦଳକୁ ଲୋକେ ଟିକେ ନାକ ଟେକି ଦେଖନ୍ତି। କିନ୍ତୁ ଏହା ଏପରି ଏକ କାର୍ଯ୍ୟକ୍ରମ, ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଶତ୍ରୁମାନେ ମଧ୍ୟ ଅଭିନନ୍ଦନ ଜଣାଇବା ପାଇଁ ଆଗ୍ରହୀ ହେବେ। ଆଜି ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳନ ଅବସରରେ ଲଗାତାର ଏକାଦଶ ଥର ପାଇଁ ପୁରସ୍କୃତ ହେବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତିି ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ, ‘ଆମ ଓଡ଼ିଶା’ ସବୁଠୁ ବେଶି ରକ୍ତ ସଂଗ୍ରହ କରୁଥିଲା। ମୁଁ ବ୍ୟକ୍ତିଗତ ଭାବେ ଖୁସି ଯେ ଏବେ ‘ଜୀବନବିନ୍ଦୁ’ ଆମଠାରୁ ଅଧିକ ରକ୍ତ ସଂଗ୍ରହ କରିଛି। ମୁଁ ଜଣେ ସୁଯୋଗ୍ୟ ପ୍ରତିଦ୍ୱନ୍ଦ୍ୱୀ ପାଇଁ ଅତ୍ୟନ୍ତ ଆନନ୍ଦିତ। କାରଣ ଯଦି ଆଗକୁ ଏକ ବଡ଼ ଲକ୍ଷ୍ୟ ନଥିବ ଆମେ ବି ଅଧିକରୁ ଅଧିକ ଏ କାର୍ଯ୍ୟକ୍ରମକୁ ଆଗେଇବାକୁ ସକ୍ଷମ ହେବୁ ନାହିଁ। ଉଭୟ ମିଶିଲେ ରକ୍ତ ଅଭାବରୁ ଆଉ କେହି ମରିବେ ନାହିଁ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବାବଦରେ ମତ ରଖି ଶ୍ରୀ ପଟ୍ଟନାୟକ କହିଲେ, ରକ୍ତ ସମ୍ବନ୍ଧୀୟ ରୋଗୀ ଆସୁଥିବା ସମୟରେ ତାକୁ ୫୦୦ ଟଙ୍କା ଦିଆଯିବା ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଗରିବ ରୋଗୀମାନଙ୍କୁ ଏହା ବହୁତ ସାହାଯ୍ୟ କରିବ। ଏଥିସହିତ ସରକାର ରେଡ୍‌କ୍ରସ କର୍ମଚାରୀ ଭାଇ ଭଉଣୀଙ୍କ ଦାୟିତ୍ୱ ହାତକୁ ନେବା ମତେ ବେଶି ଆନନ୍ଦ ଦେଇଛି।

ଆପଣ ବିଜେଡି ଆଡ଼କୁ ଢଳିବାର କିଛି ଆଭିମୁଖ୍ୟ ଅଛି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଲେ, ରକ୍ତଦାନ କାର୍ଯ୍ୟକ୍ରମରେ ରାଜନୀତି ଆଲୋଚନା ଆଦୌ କରିବା ଉଚିତ୍‌ ନୁହେଁ। ରାଜନୀତିର ରଙ୍ଗ ଦେଇ ଏହି କାର୍ଯ୍ୟକ୍ରମକୁ ମଇଳା କରିବା ନାହିଁ। ଏ ସମ୍ବନ୍ଧରେ ପରେ ଆଲୋଚନା କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର